ବେକାବୁ ତୁଣ୍ଡର ବିପଦ

ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ଓ ପୂର୍ବତନ ଉପ-ରାଷ୍ଟ୍ରପତି ହମିଦ ଅନ୍‌ସାରୀଙ୍କୁ ପାକିସ୍ତାନ ସହ ଯୋଡ଼ି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ମନ୍ତବ୍ୟକୁ କେନ୍ଦ୍ର କରି ଚାଲିଥିବା ଅସ୍ୱସ୍ତିକର ବିବାଦ ଉପରେ ବିଜେପି ଓ କଂଗ୍ରେସ ମଧ୍ୟରେ ସନ୍ଧି ହୋଇଛି। ଫଳରେ ଏ ପ୍ରସଙ୍ଗକୁ ନେଇ ସଂସଦରେ ଲାଗି ରହିଥିବା ଅଚଳାବସ୍ଥାର ଅବସାନ ଘଟିଛି। ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ରାଜ୍ୟସଭାରେ ସରକାରୀ ଦଳର ନେତା ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ଏକ ସ୍ପଷ୍ଟୀକରଣ ଦେବା ପରେ ଉଭୟ ଗୃହରେ ସ୍ୱାଭାବିକତା ଫେରିଛି।

ବିପକ୍ଷଙ୍କ ଦାବି ଅନୁଯାୟୀ ଜେଟ୍‌ଲୀ ତାଙ୍କ ସ୍ପଷ୍ଟୀକରଣରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ ନା ସିଧାସଳଖ ପ୍ରତ୍ୟାହାର କରିଛନ୍ତି ନା ଏଥିପାଇଁ ଦୁଃଖ ପ୍ରକାଶ କରିଛନ୍ତି। ତେବେ ଶବ୍ଦର ଭଉଁରୀ ମଧ୍ୟରେ ଯେତେ ବୁଲେଇ ବଙ୍କେଇ କହିଲେ ସୁଦ୍ଧା ଅର୍ଥମନ୍ତ୍ରୀ ଏକ ପ୍ରକାର ସ୍ୱୀକାର କରିଛନ୍ତି ଯେ, ଗୁଜରାଟ ନିର୍ବାଚନ ପ୍ରଚାର ସମୟରେ ଡ. ସିଂହ ଓ ଅନ୍‌ସାରୀଙ୍କୁ ‘ଷଡ଼୍‍ଯନ୍ତ୍ରକାରୀ’ ଭାବେ ପ୍ରତିଦ୍ୱନ୍ଦ୍ୱୀ ଦେଶ ପାକିସ୍ତାନ ସହ ଯୋଡ଼ି ମୋଦୀ ଯାହା କହିଥିଲେ ତାହା ଠିକ୍‌ ନଥିଲା। ପ୍ରଧାନମନ୍ତ୍ରୀ ପଦର ଗରିମା ଅନୁକୂଳ ନଥିଲା। ଯଦି ଠିକ୍‌ ନଥିଲା, ତେବେ ପ୍ରଧାନମନ୍ତ୍ରୀ କହିଲେ କାହିଁକି? ନିଜ ତୁଣ୍ଡ ଉପରେ ନିୟନ୍ତ୍ରଣ ରଖିପାରିଲେ ନାହିଁ କାହିଁକି? ଏହାର ଉତ୍ତରରେ ସଫେଇ ହେଲା ନିର୍ବାଚନରେ ଏସବୁ ଚଳେ। କେବଳ ବିପକ୍ଷଙ୍କୁ ନୁହେଁ, ସାଧାରଣ ଜନତାଙ୍କୁ ମଧ୍ୟ ମାନ୍ୟବର ଅର୍ଥମନ୍ତ୍ରୀ ତାଙ୍କ ସଫେଇରେ ଏହି ଧାରଣା ଦେବାକୁ ଚେଷ୍ଟା କରିଛନ୍ତି ଯେ, ନିର୍ବାଚନ ବେଳେ ଏ ପ୍ରକାର ବୟାନବାଜି ଅତ୍ୟନ୍ତ ସାଧାରଣ ଓ ସ୍ୱାଭାବିକ। ସବୁ ପ୍ରତିଦ୍ୱନ୍ଦ୍ୱୀ ପକ୍ଷଙ୍କ ତୁଣ୍ଡ ବେଲଗାମ୍‌ ହୋଇ ଏପ୍ରକାର ଢିଲା ଏକମୁହାଁ ଶବ୍ଦ ଶର ଉଡ଼େ। ଅବଶ୍ୟ, ଏହା ଭିନ୍ନ କଥା ଯେ ଏହି ଶରରେ ପ୍ରତିପକ୍ଷ ଅପେକ୍ଷା ଦେଶ ଓ ସମାଜ ଅଧିକ ଘାଇଲା ହୁଏ। ଅର୍ଥାତ୍‌, ଯୁଦ୍ଧ ପ୍ରେମରେ ସବୁ କିଛି ଉଚିତ ଓ ଚଳନୀୟ ଭଳି, ନିର୍ବାଚନରେ ମଧ୍ୟ କିଛି ଅନୁଚିତ କି ଅଚଳନୀୟ ନୁହେଁ।

ଅର୍ଥମନ୍ତ୍ରୀ ଜେଟ୍‌ଲୀ ମହୋଦୟଙ୍କ ‘ଗୋଇଠା ମାରୀ ଭେଜାଲ ବିଷ୍ଣୁ ବିଷ୍ଣୁ’ ତୁଲ୍ୟ ସଫେଇ ବିପକ୍ଷକୁ ସନ୍ତୁଷ୍ଟ କରିଥାଇପାରେ, କିନ୍ତୁ ରାଜନୀତିରେ ନୀତି, ନୈତିକତା ଉପରେ ଗୁରୁତ୍ୱ ଦେଇ ଏହାର ମର୍ଯ୍ୟାଦା ରକ୍ଷା ପାଇଁ ଯେଉଁମାନେ ବ୍ୟଗ୍ର, ଏହା ସେମାନଙ୍କୁ ନିଶ୍ଚୟ ବ୍ୟଥିତ କରୁଥିବ। ପ୍ରଶ୍ନ ଉଠୁଛି, ଯୁଦ୍ଧ ଓ ରାଜନୀତି କ’ଣ ସମାନ? ଯୁଦ୍ଧ ଜିଣିବା ପାଇଁ ଯେମିତି କିଛି ବି କରାଯାଇପାରେ, ନିର୍ବାଚନରେ ବିଜୟ ପାଇଁ କ’ଣ ସେମିତି ଯାହା ବି କିଛି କରାଯାଇପାରେ? ଓ୍ଵିନ୍‌ଷ୍ଟନ୍‌ ଚର୍ଚ୍ଚିଲ୍‌ କହିଥିଲେ, ଯୁଦ୍ଧ ଓ ରାଜନୀତି ପ୍ରାୟତଃ ସମାନ। କିନ୍ତୁ ଫରକ ଏତିକି ଯେ, ଯୁଦ୍ଧରେ ଥରେ ମରଣ ଆସେ, ରାଜନୀତିରେ କିନ୍ତୁ ବାରମ୍ବାର ମରିବାକୁ ହୁଏ। ରାଜନୀତି ସହ ନୀତି, ନୈତିକତା, ଆଦର୍ଶ, ମୂଲ୍ୟବୋଧର ପବିତ୍ର ସମ୍ପର୍କକୁ ଦର୍ଶାଇବାକୁ ଯାଇ ଚର୍ଚ୍ଚିଲ୍‌ ଏହା କହିଥିଲେ। ଯୁଦ୍ଧ ଓ ରାଜନୀତି କଦାପି ସମାନ ହୋଇନପାରେ। ଯୁଦ୍ଧର ବି କିଛି ନିର୍ଦ୍ଦିଷ୍ଟ ନୀତି, ନିୟମ ରହିଛି, କିନ୍ତୁ ତା’ଠାରୁ ରାଜନୀତିର ନୀତି, ନୈତିକତାର ସ୍ଥାନ ଆହୁରି ଉପରେ। ନୀତି, ନୈତିକତା ବିନା ରାଜନୀତି ମୂଲ୍ୟହୀନ। ନୀତି ଭାବେ ରାଜନୀତିର ଶ୍ରେଷ୍ଠତ୍ୱର ଏହା ପରିଚୟ। ବିଶେଷକରି ଭାରତ ଭଳି ଏକ ଗଣତାନ୍ତ୍ରିକ ରାଜନୈତିକ ବ୍ୟବସ୍ଥାରେ ନୀତି, ନୈତିକତା ବିନା ରାଜନୀତି ଅନ୍ତଃସାରଶୂନ୍ୟ।

ତେବେ ବିଡ଼ମ୍ବନା ହେଲା, ସଂକୀର୍ଣ୍ଣ ରାଜନୈତିକ ସ୍ୱାର୍ଥ ପାଇଁ ନୀତି, ନୈତିକତାକୁ ବଳି ଦେବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୟାନ ଏକ ମାତ୍ର ଉଦାହରଣ ନୁହେଁ। ବରଂ ସାଂପ୍ରତିକ ଭାରତୀୟ ରାଜନୀତିରେ ଏହା ଏକ ଅସୁସ୍ଥ ଧାରା, ଯାହା ନିର୍ବାଚନ ସମୟରେ ଚରମ ରୂପ ନେଇଥାଏ। ଦଳ ନିର୍ବିଶେଷରେ ଅନେକ ନେତା ଓ ପ୍ରାୟ ସବୁ ରାଜନୈତିକ ପକ୍ଷଙ୍କୁ ଏ ପ୍ରକାର ଅଯଥା ଅଶାନ୍ତି ଓ ଉତ୍ତେଜନା ସୃଷ୍ଟିକାରୀ ଅହେତୁକ ଅସ୍ୱସ୍ତିକର, ରୁଚିହୀନ ଆକ୍ରମଣାତ୍ମକ ବୟାନବାଜି ଲାଗି ଅଭିଯୁକ୍ତ ଭାବେ କାଠଗଡ଼ାରେ ଠିଆ କରାଯାଇପାରେ। ଯେମିତି କଂଗ୍ରେସର ବରିଷ୍ଠ ନେତା ମଣିଶଙ୍କର ଆୟାରଙ୍କ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଆକ୍ଷେପ ‘ନୀଚ୍‌ କିସମ୍‌ କା ଆଦ୍‌ମୀ’ ଓ ବିହାର ନିର୍ବାଚନ ବେଳେ ଜଣେ କେନ୍ଦ୍ର ମନ୍ତ୍ରୀଙ୍କ ବୟାନ ‘ପାକିସ୍ତାନ ପଠାଇ ଦେବୁ’ ଆଦି। ଗୋ-ସୁରକ୍ଷା ସମେତ ଆହୁରି ଅନେକ ସ୍ପର୍ଶକାତର ପ୍ରସଙ୍ଗରେ ଅନେକ ନେତାଙ୍କ ବୟାନ କେବଳ ନୀତି, ନୈତିକତା ରହିତ ନୁହେଁ, ଅନେକ ସମୟରେ ଶାଳୀନତାର ସରହଦ ଭିତରେ ରହିନାହିଁ। ଦାୟିତ୍ୱହୀନ, ବେଲଗାମ୍‌ ବୟାନବାଜିର ସବୁଠାରୁ ବିପଦଜନକ ପରିଣାମ ହେଲା, ସମାଜ ତଥା ଦେଶର ସାମୂହିକ ସ୍ୱାର୍ଥ ଉପରେ ଏହାର ପ୍ରତିକୂଳ ପ୍ରଭାବ। ନେତାମାନେ ପ୍ରତିପକ୍ଷ ପ୍ରତି ଆକ୍ରୋଶର ଆବେଶରେ ମନ୍ତବ୍ୟ ଦେବା ବେଳେ ଭୁଲିଯାଆନ୍ତି ଯେ, ଦେଶର ସଂହତି ଓ ଏକତା, ସାମାଜିକ ସୌହାର୍ଦ୍ଦ୍ୟ ଉପରେ ଏହାର କ’ଣ ପ୍ରଭାବ ପଡ଼ିବ। ବିଶ୍ୱ ସମୁଦାୟର ନଜରରେ ଦେଶର ଭାବମୂର୍ତ୍ତି କିଭଳି ପ୍ରଭାବିତ ହେବ। ପଦ୍ମାବତୀ ନେଇ ବିବାଦ ପ୍ରସଙ୍ଗରେ ଫିଲ୍ମର ନିର୍ଦ୍ଦେଶକ ଓ ନାୟିକାଙ୍କ ମୁଣ୍ଡକାଟ ଓ ନାକଛେଦନ ପାଇଁ ପୁରସ୍କାର ଘୋଷଣା ନିଶ୍ଚିତ ଭାବେ ବିଶ୍ୱ ଦରବାରରେ ଭାରତର ଛବିକୁ ଉଜ୍ଜ୍ୱଳ କରିନାହିଁ।

ଏହି କ୍ରମରେ ମୋଦୀ ସରକାରର ଜଣେ ରାଷ୍ଟ୍ରମନ୍ତ୍ରୀ ଅନନ୍ତ ହେଗ୍‌ଡେ ଏକ ବୟାନରେ ବସ୍ତୁତଃ ଭାରତର ଧର୍ମନିରପେକ୍ଷ ଆଦର୍ଶକୁ ଆହ୍ଵାନ ଦେଇଛନ୍ତି। ଭାରତ ପାଇଁ ଧର୍ମନିରପେକ୍ଷତା ଏକ ‘ଅଳିଆ’ ଏହାକୁ ସଫା କରିବା ଲାଗି ସମ୍ବିଧାନ ସଂଶୋଧନ କରାଯିବ ବୋଲି ସେ ଘୋଷଣା କଲେ। କେବଳ ସେତିକି ନୁହେଁ, ମନ୍ତ୍ରୀ ମହୋଦୟ ଆସ୍ପର୍ଦ୍ଧାର ସହ କହିଲେ ଯେ, ସମ୍ବିଧାନ ସଂଶୋଧନ କରିବା ଲାଗି ବିଜେପି କ୍ଷମତାକୁ ଆସିଛି। ମୁଣ୍ଡରେ ତଥାକଥିତ ବିଜେପି ମାର୍କା ରାଷ୍ଟ୍ରବାଦର ବୋଝ ବୋହିଥିିବା ମନ୍ତ୍ରୀଙ୍କ ତୁଣ୍ଡ ବୋଧହୁଏ ପାସୋରି ଦେଲା ଯେ, ବିଜେପିକୁ ଦେଶର ବିକାଶ ଓ ପ୍ରଗତି ପାଇଁ ଜନାଦେଶ ମିଳିଛି, ସମ୍ବିଧାନ ସଂଶୋଧନ କରି ଦେଶର ମୌଳିକ ଚରିତ୍ର ବଦଳାଇବାକୁ ନୁହେଁ। ପୁଣି ମନ୍ତ୍ରୀ ଏହା ମଧ୍ୟ ଭୁଲିଗଲେ ଯେ, ଯେଉଁ ସମ୍ବିଧାନ ନାମରେ ଶପଥ ନେଇ ସେ ସରକାରୀ ପଦରେ ଅଛନ୍ତି, ଧର୍ମନିରପେକ୍ଷତା ସେହି ସମ୍ବିଧାନର ଏକ ମୌଳିକ ଚରିତ୍ର, ଦେଶ ଏହା ଉପରେ ବିଶ୍ୱାସ କରେ। ଏହି ମୌଳିକ ଚରିତ୍ର ବଦଳାଇବା ପାଇଁ ସଂସଦର କ୍ଷମତା ପର୍ଯ୍ୟାପ୍ତ ନୁହେଁ। ମାନ୍ୟବର ସୁପ୍ରିମ୍‌ କୋର୍ଟଙ୍କ ଏକ ନଅଜଣିଆ ଖଣ୍ଡପୀଠ ୧୯୭୩ରୁ ଏହା ସ୍ପଷ୍ଟ କରି ଦେଇଛନ୍ତି।

ମନ୍ତ୍ରୀ ହେଗ୍‌ଡେ ବିଜେପି ଟିକେଟରେ ଚାରିଥର ଲୋକସଭାକୁ ନିର୍ବାଚିତ ହୋଇ ଆସିଛନ୍ତି। ଅଥଚ, ତାଙ୍କୁ ଜଣା ନାହିଁ ଯେ, ତାଙ୍କ ଦଳର ସମ୍ମାନନୀୟ ବରିଷ୍ଠ ନେତା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଭାରତର ଧର୍ମନିରପେକ୍ଷତା ସମ୍ପର୍କରେ କ’ଣ ମନ୍ତବ୍ୟ ଦେଇଥିଲେ? ବାଜପେୟୀ କହିଥିଲେ ଭାରତର ଧର୍ମନିରପେକ୍ଷତା ନେଇ କୌଣସି ପ୍ର୍ରକାର ସନ୍ଦେହର ଅବକାଶ ନାହିଁ। ତେବେ ସମୟ ଚକ୍ରରେ କ’ଣ ଧର୍ମନିରପେକ୍ଷତା ପ୍ରସଙ୍ଗରେ ବାଜପେୟୀଙ୍କ ସମୟରେ ବିଜେପିର ଯେଉଁ ଆଭିମୁଖ୍ୟ ଥିଲା, ଏବେ ମୋଦୀଙ୍କ ସମୟରେ ତାହା ବଦଳି ଯାଇଛି? ସରକାର ହେଗ୍‌ଡେଙ୍କ ମନ୍ତବ୍ୟରୁ ନିଜକୁ ଦୂରେଇ ରଖିଛନ୍ତି, ନିଜେ ମନ୍ତ୍ରୀ ମଧ୍ୟ ଇତିମଧ୍ୟରେ ତାଙ୍କ ମନ୍ତବ୍ୟ ପ୍ରତ୍ୟାହାର କରି ନେଇଛନ୍ତି। କିନ୍ତୁ ତାଙ୍କ ମନ୍ତବ୍ୟକୁ କେନ୍ଦ୍ର କରି ସମାଜରେ ଯେଉଁ ଅସୂୟା ଓ ଅସ୍ୱସ୍ତି ସୃଷ୍ଟି ହେଲା, ତା’ର ଭରଣା ହେବ କେମିତି? ସେ ପ୍ରଧାନମନ୍ତ୍ରୀ ହୁଅନ୍ତୁ କି ରାଷ୍ଟ୍ରମନ୍ତ୍ରୀ ହୁଅନ୍ତୁ କି ଅନ୍ୟ ଯେକୌଣସି ରାଜନୈତିକ କର୍ମକର୍ତ୍ତା ହୁଅନ୍ତୁ, ଏ ପ୍ରକାର ଦାୟିତ୍ୱହୀନ, ବେଲଗାମ୍‌, ବିଦ୍ୱେଷ, ବିଭାଜନ ସୃଷ୍ଟିକାରୀ ବୟାନ ଆଦୌ ଶୁଭଙ୍କର ନୁହେଁ।

ସାଧାରଣ ନାଗରିକଙ୍କ ଅପେକ୍ଷା ରାଜନୈତିକ ନେତୃବର୍ଗଙ୍କଠାରୁ ଅଧିକ ଦାୟିତ୍ୱବୋଧ, ବାକ୍‌ସଂଯମ ଆଶା କରାଯାଏ। ଅସୁସ୍ଥ, ଅସ୍ୱସ୍ତିକର ଆଚରଣ ଓ ଉଚ୍ଚାରଣ କଦାପି ଗୋଟିଏ ଗଣତନ୍ତ୍ର ପାଇଁ ସୁସ୍ଥ ସଂକେତ ନୁହେଁ। ପ୍ରତ୍ୟେକ ଦଳ ଓ ନେତାଙ୍କଠାରୁ ରାଜନୀତିରେ ନୀତି, ନୈତିକତା ତଥା ସାମ୍ବିିଧାନିକ ବ୍ୟବସ୍ଥା ଓ ଦେଶର ଆଇନ ପ୍ରତି ପ୍ରଶ୍ନାତୀତ ନିଷ୍ଠା, ସମ୍ପୂର୍ଣ୍ଣ ବିଶ୍ୱାସ ଓ ଆସ୍ଥା ଆଶା କରାଯାଏ। ଅନ୍ୟଥା, ଦେଶର ଗଣତନ୍ତ୍ର, ଏକତା, ସଂହତି ଏବଂ ସାମାଜିକ ସଦ୍ଭାବ ବିପନ୍ନ ହେବା ଆଶଙ୍କାକୁ ଏଡ଼ାଯାଇ ନପାରେ।

ସମ୍ବନ୍ଧିତ ଖବର