୨୦୦୪ରେ ପ୍ରକାଶିତ ଜନ୍ ପର୍କିନ୍ସଙ୍କର ବହୁଚର୍ଚ୍ଚିତ ପୁସ୍ତକ ‘କନ୍ଫେସନ୍ସ ଅଫ୍ ଆନ୍ ଇକନମିକ୍ ହିଟ୍ମ୍ୟାନ୍’ (‘ଜଣେ ଅର୍ଥନୈତିକ ଆତତାୟୀର ସ୍ୱୀକାରୋକ୍ତି’)ରୁ ଏହି ଶବ୍ଦ ଉଧାର ନେଇ ଯଦି କୁହାଯାଏ ଯେ ୨୦୧୬ର ବିମୁଦ୍ରୀକରଣ ଓ ୨୦୧୭ର ତ୍ରୁଟିପୂର୍ଣ୍ଣ ଜିଏସ୍ଟି ପ୍ରବର୍ତ୍ତନ ପଛରେ ମୋଦୀ ସରକାରରେ ଲୁଚି ରହିଥିବା କୌଣସି ଛଦ୍ମବେଶୀ ଅର୍ଥନୈତିକ ଆତତାୟୀର ହାତ ଥିଲା, ତେବେ ସ୍ୱାଭାବିକ ଭାବରେ ମନରେ ଆଶଙ୍କା ଉପୁଜେ ୨୦୧୮ରେ ମଧ୍ୟ ଆଉ କୌଣସି ନିଶାଣ ଉପରେ ସେଇ ଆତତାୟୀର ଚୋଟ ପଡ଼ିବାକୁ ଯାଉଛି। ଉପରୋକ୍ତ ଦୁଇଟି ଧକ୍କା ଯୋଗୁଁ ବର୍ତ୍ତମାନ ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ଯେଉଁ ଭଳି ଧିମା ଅବସ୍ଥା ଦେଖା ଦେଇଛି ଏବଂ ରାଜକୋଷ ଯେପରି ଚାପର ସମ୍ମୁଖୀନ ହୋଇଛି, ତାହାର ମୁକାବିଲା ପାଇଁ ଆଗାମୀ ବଜେଟ୍ ପ୍ରସ୍ତୁତକର୍ତ୍ତାମାନେ ଯେ ବର୍ତ୍ତମାନ ସରକାରଙ୍କ ପାଇଁ କୌଣସି ନୂତନ ପୃଥୁଳ ଆୟର ବାଟ ଖୋଜୁଥିବେ, ସେ ସମ୍ବନ୍ଧରେ ବିଭିନ୍ନ ଗୁଞ୍ଜରଣ ମାନ ଶୁଣିବାକୁ ମିଳିଲାଣି। ୨୦୧୯ର ସାଧାରଣ ନିର୍ବାଚନ ପାଖେଇ ଆସିଲାଣି। ମତଦାତା ମାନଙ୍କୁ ଖୁସି କରିବା ପାଇଁ ଏହାର ଠିକ୍ ପୂର୍ବରୁ ସରକାର ସେମାନଙ୍କ ପାଇଁ ତତ୍କ୍ଷଣାତ୍ ଲାଭ ସୃଷ୍ଟି ଉଦ୍ଦେଶ୍ୟରେ ହାତଖୋଲା ଖର୍ଚ୍ଚ କରିବା ନିଧାର୍ଯ୍ୟ। ଏଥିପାଇଁ ଏବେଠାରୁ ସମ୍ବଳ ସଂଗ୍ରହ ମଧ୍ୟ ଆବଶ୍ୟକ।
Sambad is now on WhatsApp
Join and get latest news updates delivered to you via WhatsApp
ଯାହା ସୁରାକ୍ ମିଳୁଛି ଏ ସମସ୍ତ ଆବଶ୍ୟକତା ମେଣ୍ଟାଇବା ପାଇଁ ୨୦୧୮ରେ ଆତତାୟୀ ଏକ ବଡ଼ଜନ୍ତୁ ମାରିବାକୁ ଯାଉଛି। ଜନ୍ତୁଟି ହେଉଛି ସେଆର୍ ବଜାରରେ ଦୀର୍ଘକାଳୀନ ପୁଞ୍ଜିନିବେଶକ ମାନେ ପାଉଥିବା ଲାଭ (ଲଙ୍ଗ୍ ଟର୍ମ କ୍ୟାପିଟାଲ୍ ଗେନ୍ସ)। ଜଣେ ନିବେଶକ କୌଣସି କମ୍ପାନିର ଅଂଶପତ୍ରରେ ଯଦି ଏକ ବର୍ଷରୁ ଅଧିକକାଳ ଧରି ପୁଞ୍ଜି ଖଟାଇଥାନ୍ତି, ତେବେ ବର୍ତ୍ତମାନର ନିୟମ ଅନୁସାରେ ସେଭଳି ଅଂଶପତ୍ର ବିକ୍ରି କରି ସେ ଯେଉଁ ଲାଭ ପାଇବେ, ତା’ ଉପରେ ତାଙ୍କୁ ଆଦୌ ଟିକସ ଦେବାକୁ ପଡ଼ିବ ନାହିଁ। ସରକାର ଯଦି ଏହି ଦୀର୍ଘକାଳୀନ ଲାଭ ଉପରେ ଏବେ ଟିକସ ଲାଗୁ କରନ୍ତି, ତାହା ରାଜକୋଷ ପାଇଁ ତତ୍କ୍ଷଣାତ୍ ବିପୁଳ ଅତିରିକ୍ତ ଆୟ ସୃଷ୍ଟି କରିବା ନିଶ୍ଚିତ। କେତେଦିନ ତଳେ ଖୋଦ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ବୋଧହୁଏ ଆଖିରେ ରଖି ଆହ୍ଵାନ ଦେବା ଦେଖା ଯାଇଥିଲେ ଯେ ପୁଞ୍ଜି ବଜାରକୁ ମଧ୍ୟ ‘ରାଷ୍ଟ୍ର ଗଠନ’ରେ ଭାଗ ନେବାକୁ ପଡ଼ିବ। ଅର୍ଥାତ୍ ସେଆର୍ ବଜାରରେ ସୃଷ୍ଟି ହେଉଥିବା ଦୀର୍ଘକାଳୀନ ଲାଭ ଉପରେ ଏହାର ଟିକସ ବସିବ।
ଏପରି ଏକ ଟିକସ ରାଜନୈତିକ ଦୃଷ୍ଟିରୁ ମଧ୍ୟ ଆକର୍ଷଣୀୟ ମନେ ହୋଇପାରେ। ଅଧିକାଂଶ ମତଦାତାମାନଙ୍କର ସେଆର୍ ବଜାର ସହିତ କୌଣସି ସମ୍ପର୍କ ନଥାଏ। ଏପରି ଏକ ଟିକସ ତେଣୁ ସିଧାସଳଖ ସେମାନଙ୍କୁ ଆଦୌ ପ୍ରଭାବିତ କରିବ ନାହିଁ। ଆଉ ସେମାନଙ୍କ ମନରେ ଏକ ଧାରଣା ସୃଷ୍ଟି କରାଯାଇପାରେ ଯେ ଏହା ହେଉଛି ଧନୀ ଲୋକମାନଙ୍କ ଉପରେ ଲାଗୁ କରାଯାଇଥିବା ଏକ ଟିକସ। ବିମୁଦ୍ରୀକରଣ ମତଦାତାମାନଙ୍କ ମଧ୍ୟରେ ଠିକ୍ ଏଇ ଭଳି ଏକ ଭାବନା ସୃଷ୍ଟି କରିଥିଲା ଯାହା ଭାରତୀୟ ଜନତା ପାର୍ଟି ପାଇଁ ବେଶ୍ ନିର୍ବାଚନୀ ଲାଭ ସୃଷ୍ଟି କରିବା ଦେଖାଯାଇଛି। ବିମୁଦ୍ରୀକରଣ ଯୋଗୁଁ ତ ସାଧାରଣ ଲୋକମାନଙ୍କୁ କିଛି ହଇରାଣ ହରକତ ହେବାକୁ ପଡ଼ିଥିଲା, ଏଭଳି ଏକ ଟିକସ ଯୋଗୁଁ କିନ୍ତୁ ସେମାନଙ୍କ ପାଇଁ ହଠାତ୍ କୌଣସି ଅସୁବିଧା ସୃଷ୍ଟି ହେବାର ସମ୍ଭାବନା ନାହିଁ। ଅପରପକ୍ଷେ ମୋଦୀ ସରକାର ଠାରେ ରାହୁଲ ଗାନ୍ଧୀ ଲଗାଇଥିବା ‘ସୁଟ୍ ବୁଟ୍ର ସରକାର’ କଳଙ୍କକୁ ପୋଛିବା ପାଇଁ ଏ ଟିକସ ବେଶ୍ ସହାୟକ ହେବ ବୋଲି ବିଶ୍ୱାସ କରାଯାଇ ପାରୁଥାଏ। ତେଣୁ ଉଭୟ ସ୍ୱଳ୍ପକାଳୀନ ଅର୍ଥନୈତିକ ଓ ରାଜନୈତିକ ଦୃଷ୍ଟିରୁ ଏପରି ଏକ ଟିକସର ପ୍ରବର୍ତ୍ତନ ସରକାରଙ୍କ ପାଇଁ ବେଶ୍ ଲାଭଜନକ ହୋଇପାରେ।
କିନ୍ତୁ ଯଦି ଏକ ଦୀର୍ଘକାଳୀନ ଦୃଷ୍ଟିଭଙ୍ଗୀ ଗ୍ରହଣ କରାଯାଏ, ଏକ ଭିନ୍ନ ପ୍ରକାର ଚିତ୍ରର ଆବିର୍ଭାବ ଘଟିପାରେ। ଆଜିର ପୃଥିବୀରେ ଆମେ ଶିଳ୍ପବାଣିଜ୍ୟର ଯେଉଁ ଅଭ୍ୟୁଦୟ ଦେଖୁଛୁ ଏବଂ ଯାହା ପୃଥିବୀର ପ୍ରାୟ ସାତଶହ କୋଟି ଜନସଂଖ୍ୟାକୁ ଜୀବନଧାରଣର ସାଧନ ଯୋଗାଇଛି ତାହା ମୂଳରେ ଯେଉଁ ମନ୍ତ୍ରଟି କାର୍ଯ୍ୟ କରିଥାଏ ତାହା ହେଉଛି ‘ସୀମିତ ଦେୟ’ (ଲିମିଟେଡ୍ ଲାଏବିଲିଟି) ନିୟମ। ଏହି ନିୟମ ଆଧାରରେ କମ୍ପାନି ମାନଙ୍କର ସେଆର୍ ବା ଅଂଶପତ୍ର ସେଆର୍ ବଜାରରେ ବିକ୍ରି ହୋଇଥାଏ। ଏହା ଅଗଣିତ ସାଧାରଣ ଲୋକଙ୍କୁ ନିବେଶକ ହେବା ପାଇଁ ଉତ୍ସାହିତ କରିଥାଏ ଏବଂ ସମ୍ପୃକ୍ତ କମ୍ପାନିକୁ ଋଣ ବୋଝରୁ ରକ୍ଷା କରିଥାଏ। ଶିଳ୍ପ ବିପ୍ଳବରେ ସୀମିତ ଦେୟ ଅଂଶପତ୍ରର ଭୂମିକାକୁ ସ୍ୱୀକୃତି ପ୍ରଦାନ କରି ମର୍ଯ୍ୟାଦାଜନକ ଆନ୍ତର୍ଜାତିକ ଅର୍ଥନୈତିକ ପତ୍ରିକା ‘ଦି ଇକୋନୋମିଷ୍ଟ’ ୧୯୨୬ରେ ଏହାକୁ ବାଷ୍ପୀୟ ଇଂଜିନ୍ର ଉଦ୍ଭାବକ ଜେମ୍ସ ଓ୍ଵାଟ୍ କିଂବା ରେଳଗାଡ଼ିର ଉଦ୍ଭାବକ ଜର୍ଜ ଷ୍ଟିଫେନ୍ସନ୍ଙ୍କ ସହିତ ସମାନ ମର୍ଯ୍ୟାଦା ପ୍ରଦାନ କରାଯିବା ଉଚିତ ବୋଲି ମତ ପ୍ରକାଶ କରିଥିଲା।
ଆମ ଦେଶରେ ଏହି ଚିନ୍ତାଧାରାର ଯଥାର୍ଥତା ହୃଦୟଙ୍ଗମ କଲା ଭଳି ଦୀର୍ଘକାଳୀନ ଅଂଶପତ୍ର ଧାରଣ ଜନିତ ଲାଭ ଉପରେ ଶୂନ୍ୟ ଟିକସ ହାର ଲାଗୁ କରାହୋଇ ଆସୁଛି। ସ୍ୱଳ୍ପକାଳ ପାଇଁ ଯେଉଁମାନେ ଅଂଶପତ୍ର କ୍ରୟ କରିଥାନ୍ତି ସେମାନେ ମୁଖ୍ୟତଃ ଲାଭ ଅନେ୍ଵଷଣକାରୀ ଜୁଆଡ଼ି ରୂପେ ବିବେଚିତ ହେଉଥିବା ବେଳେ ଦୀର୍ଘକାଳୀନ ଅଂଶପତ୍ର ଧାରଣକାରୀ ମାନଙ୍କୁ ପ୍ରକୃତ ନିବେଶକ ରୂପେ ବିଚାର କରାଯାଇଥାଏ। ଏମାନେ ନିବେଶ କରିଥିବା ଅର୍ଥ ବିନିଯୋଗ କରି କମ୍ପାନିଟିଏ ଉତ୍ପାଦନ ଓ ନିଯୁକ୍ତି ସୃଷ୍ଟି କରିଥାଏ। ଯଦି ଏଭଳି ନିବେଶକମାନଙ୍କ ଲାଭ ଉପରେ ଟିକସ ଲାଗୁ କରାଯାଏ, ସେମାନେ ହୁଏତ ନିରୁତ୍ସାହିତ ହୋଇ ଆଉ ସେଆର୍ ବଜାରରେ ପୁଞ୍ଜିନିବେଶ ନକରି ଜମିଜମା (ରିଅଲ୍ ଇଷ୍ଟେଟ୍) ବା ସୁନା ଭଳି ଅଣଉତ୍ପାଦନଶୀଳ ପରିସମ୍ପତ୍ତିରେ ନିଜର ସଞ୍ଚିତ ପୁଞ୍ଜି ବିନିଯୋଗ କରିବାକୁ ପସନ୍ଦ କରିବେ। ଏପରି ଟିକସ ଲାଗୁ ହେବା ପରେ ବୈଦେଶିକ ପୁଞ୍ଜିନିବେଶକ ମାନେ ହୁଏତ ଭାରତରୁ ପୁଞ୍ଜି ପ୍ରତ୍ୟାହାର କରି ପଳାଇ ଯାଇ ପାରନ୍ତି। ଆମେରିକା ବର୍ତ୍ତମାନ ନିବେଶକ ମାନଙ୍କ ପାଇଁ ଏକ ଆକର୍ଷଣୀୟ ଗନ୍ତବ୍ୟ ସ୍ଥଳରେ ପରିଣତ ହୋଇଥିବା ବେଳେ ଏଭଳି ଘଟିବାର ଦୃଢ଼ ସମ୍ଭାବନା ରହିଛି।
ତା’ଛଡ଼ା ଏପରି ନୁହେଁ ଯେ କର୍ପୋରେଟ୍ ଶିଳ୍ପବାଣିଜ୍ୟ କ୍ଷେତ୍ରରୁ ବର୍ତ୍ତମାନ ସରକାର କୌଣସି ସମ୍ବଳ ସଂଗ୍ରହ କରୁନାହାନ୍ତି। ଉଦାହରଣ ସ୍ୱରୂପ ସେଆର୍ ହୋଲ୍ଡର ମାନଙ୍କ ନିକଟରେ ଲାଭାଂଶ ବା ଡିଭିଡେଣ୍ଡ୍ ଆକାରରେ ପହଞ୍ଚିବା ପୂର୍ବରୁ ଏକ କମ୍ପାନିର ଆୟରୁ ଯେଉଁସବୁ ଟିକସ ଆଦାୟ ହୋଇସାରିଥାଏ ସେ ଗୁଡ଼ିକ ମଧ୍ୟରେ ରହିଛି: କର୍ପୋରେଟ୍ ଆୟକର, ଲାଭାଂଶ ବଣ୍ଟନ ବା ଡିଭିଡେଣ୍ଡ୍ ଡିଷ୍ଟ୍ରିବ୍ୟୁସନ୍ ଟିକସ, ଯାହା କମ୍ପାନି ଉପରେ ପଡ଼ିଥାଏ ଏବଂ ଡିଭିଡେଣ୍ଡ୍ ଟିକସ ଯାହା ଅଂଶପତ୍ରଧାରଣକାରୀଙ୍କ ଉପରେ ପଡ଼ିଥାଏ ଯଦି ଡିଭିଡେଣ୍ଡ୍ର ପରିମାଣ ୧୦ ଲକ୍ଷ ଟଙ୍କାରୁ ଅଧିକ ହୋଇଥାଏ। ଏହା ବାଦ୍ ମଧ୍ୟ ସରକାର ଆଦାୟ କରିଥାନ୍ତି ସେଆର୍ କ୍ରୟ ବିକ୍ରୟ ଉପରେ ଏକ ଟିକସ- ସିକ୍ୟୁରିଟି ଟ୍ରାନ୍ଜାକ୍ସନ୍ ଟ୍ୟାକ୍ସ (ଏସ୍ଟିଟି)। ସରକାର ଏ ସବୁ ବାଦ୍ ଯଦି ଦୀର୍ଘକାଳୀନ ପୁଞ୍ଜିନିବେଶର ଲାଭ ଉପରେ ଟିକସ ବସାଇବାକୁ ନିଷ୍ପତ୍ତି ନିଅନ୍ତି, ତାହା ହେବ ଲୋଭାସକ୍ତା ବୁଢ଼ୀଟି ଏକାଥରେ ସବୁତକ ଅଣ୍ଡା ପାଇବା ଆଶାରେ ତାର ସୁନା ଅଣ୍ଡା ଦେଉଥିବା କୁକୁଡ଼ାଟିକୁ ମାରିଦେବା ଭଳି।