ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ଅମିତାଭ ବଚ୍ଚନ

ମୁମ୍ବାଇ: ବଲିଉଡର ବିଗ୍‌ ବି ଅମିତାଭ ବଚ୍ଚନ ଗତ ସପ୍ତାହରେ ଏକ କାର୍‌ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସେ ଗତ ଶନିବାର ଦିନ କୋଲକାତାଠାରେ ଅନୁଷ୍ଠିତ ୨୩ତମ ଆନ୍ତରାଷ୍ଟ୍ରୀୟ ଚଳଚ୍ଚିତ୍ର ମହୋତ୍ସବର ଉଦଘାଟନ ଉତ୍ସବରେ ଅତିଥିଭାବେ ଯୋଗ ଦେବାକୁ ଆସିଥିଲେ। ଏହାପରେ ସେ ଯେତେବେଳେ ବିମାନ ବନ୍ଦରକୁ ଯାତ୍ରା କଲେ ସେତେବେଳେ ବାଟରେ ତାଙ୍କୁ ରାଜ୍ୟ ସରକାର ଦେଇଥିବା ମର୍ସିଡିଜ୍‌ କାରର ପଛ ଚକ ଚଳନ୍ତା ଅବସ୍ଥାରେ ବାହାରିଗଲା। ଫଳତଃ ନିଶ୍ଚିତ ଦୁର୍ଘଟଣାର ଯୋଗ ହେଲା। ମାତ୍ର ସୌଭାଗ୍ୟବଶତଃ ଅମିତାଭ ବଚ୍ଚନଙ୍କର ଏହି ଦୁର୍ଘଟଣାରେ କିଛି କ୍ଷତି ହୋଇ ନଥିଲା। ତାଙ୍କୁ ସାଧାରଣ ଆଘାତ ବି ଲାଗି ନଥିବା କୁହାଯାଉଛିି।

ଏହି ଘଟଣାକୁ ସ୍ୱୀକାର କରିଛନ୍ତି ଉକ୍ତ ଦାୟିତ୍ୱରେ ଥିବା ପଶ୍ଚିମବଙ୍ଗ ସଚିବାଳୟର ସରକାରୀ ଅଧିକାରୀ। ତାଙ୍କର ସୂଚନା ଅନୁଯାୟୀ ଗତ ଶନିବାର ଦିନ ସକାଳେ ଯେତେବେଳେ ଅମିତାଭ ବଚ୍ଚନଙ୍କ କାର ବିମାନବନ୍ଦରଆଡକୁ ମୁହାଁଇଥିଲା ସେତେବେଳେ ଡୁଫୋରିନ୍‌ ରୋଡରେ କାରର ପଛ ଚକ ହୁଗୁଳି ଯାଇ ଅଲଗା ହୋଇଥିଲା। ଏହାଫଳରେ କାର ନିୟନ୍ତ୍ରଣ ହରାଇଥିଲା। ଏହି ମାମଲାରେ ରାଜ୍ୟ ସରକାର ଗାଡି ଉପଲବ୍ଧ କରାଇଥିବା ଟ୍ରାଭେଲ ଏଜେନସୀକୁ କାରଣ ଦର୍ଶାଅ ନୋଟିସ କରିଛନ୍ତି। ଅପରପକ୍ଷରେ ବିଗ୍‌ ବି ଅମିତାଭ ବଚ୍ଚନ ଏହି ଘଟଣାକୁ ଗମ୍ଭୀରଭାବେ ନ ନେବାକୁ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର