ଏଇଥିପାଇଁ ଅନୁତାପ କରିଥିଲେ ଜୁହି ଚାଓ୍ଵାଲା

ମୁମ୍ବାଇ: ଆଜି ହେଉଛି ବଲିଉଡର ଖ୍ୟାତନାମା ଅଭିନେତ୍ରୀ ଜୁହି ଚାଓ୍ଵାଲାଙ୍କ ୫୦ତମ ଜନ୍ମ ଦିବସ। ସେ ୧୯୬୭ ମସିହା ନଭେମ୍ବର ୧୩ ତାରିଖରେ ଜନ୍ମ ହୋଇଥିଲେ। ମିସ୍‌ ଇଣ୍ଡିଆ ଟାଇଟଲ୍‌ ହାସଲ କରିବାପରେ ସେ ଗ୍ଲାମର ଦୁନିଆଁରେ ପ୍ରବେଶ କରିଥିଲେ। ଜୁହି ପ୍ରଥମେ ସନ୍ନି ଦେଓଲ ଅଭିନୀତ ‘ସଲତନତ୍‌’ ସିନେମାରେ ଅଭିନୟ କରି ବଲିଉଡରେ ପ୍ରବେଶ କରିଥିଲେ ହେଲେ ଅମୀର ଖାନଙ୍କ ବିପକ୍ଷରେ ବ୍ଲକବଷ୍ଟର୍‌ ମୁଭି ‘କୟାମତ୍‌ ସେ କୟାମତ୍‌ ତକ୍‌’ରେ ନାୟିକା ହେବାପରେ ଷ୍ଟାରଡମ୍‌ ହାସଲ କରିଥିଲେ। ଜୁହି ଚାଓ୍ଵାଲାଙ୍କ କ୍ୟାରିଅରର ଅଳ୍ପଜଣା କଥା ଆମେ ଆଜି ଆପଣଙ୍କୁ ଜଣାଉଛୁ।

ନିର୍ଦ୍ଦେଶକ ପ୍ରକାଶ ଝାଙ୍କ ଏକ ବହୁ ଚର୍ଚ୍ଚିତ ସିନେମା ହେଲା ‘ ମୃତ୍ୟୁଦଣ୍ଡ’ । ଏଥିରେ ଆୟୁବ୍‌ ଖାନ ,ଶବାନା ଆଜମୀ ଏବଂ ମାଧୁରୀ ଦୀକ୍ଷିତ ମେନ୍‌ ଲିଡରେ ଥିଲେ । ହେଲେ ଆପଣ ଜାଣନ୍ତି କି ମାଧୁରୀଙ୍କ ପୂର୍ବରୁ ଫିଲ୍ମରେ ସାନ ବୋହୂ କେତକୀ ଭୂମିକା ଲାଗି ପ୍ରଥମେ ସେ ସମୟରେ ଟପ୍‌ ହିରୋଇନ୍‌ ଜୁହି ଚାଓ୍ଵାଲାଙ୍କୁ ଆପ୍ରୋଚ କରିଥିଲେ ନିର୍ଦ୍ଦେଶକ ପ୍ରକାଶ ଝା। ଜୁହି ମନେ କରିଥିଲେ ଯେ ପ୍ରକାଶ ଝା ବୋଧହୁଏ ଆର୍ଟ ଫିଲ୍ମ କରିବେ, ଏଣୁ ସେ ମନା କରି ଦେଇଥିଲେ । ସେତେବେଳକୁ ଜୁହି ଲଗାତର୍‌ କମର୍ସିଆଲ୍‌ ହିଟ୍‌ ଦେଇ ଚାଲିଥାଆନ୍ତି । ଜୁହିଙ୍କଠାରୁ ନାସ୍ତିବାଣୀ ଶୁଣିବାପରେ ପ୍ରକାଶଙ୍କ ମନ ଭାଙ୍ଗିଗଲା । ସେ ଭାବିଲେ କୌଣସି ସାଧାରଣ ଅଭିନେତ୍ରୀଙ୍କୁ ନେଇ ଫିଲ୍ମ କରିବେ । ଏଣୁ ସେ ସେସମୟର ଚର୍ଚ୍ଚିତ ଅଭିନେତ୍ରୀ ପଲ୍ଲବୀ ଯୋଶୀଙ୍କୁ ଅଫର୍‌ ଦେଲେ । ଶବନା ଆଜମୀ ଭଳି ଦକ୍ଷ ଅଭିନେତ୍ରୀ ଆଗରେ ସେ କାଳେ ଫିକା ପଡିଯିବେ ବୋଲି ଆଶଙ୍କା କରି ପଲ୍ଲବୀ ବି ରାଜି ହେଲେନି ।

photo-youtube

ପ୍ରକାଶ ଝା ‘ ମୃତ୍ୟୁଦଣ୍ଡ’ ର ସାନବୋହୁ କେତକୀ ଭୂମିକାରେ କାହାକୁ ନେବେ ବୋଲି ଖୁବ୍‌ ବ୍ୟସ୍ତ ବିବ୍ରତ ହୋଇ ଉଠିଥିଲେ । ସେ ତାଙ୍କର ଗାଇଡ୍‌ ସୁଭାଷ ଘାଇଙ୍କ ପାଖରେ ପହଂଚି ନିଜକଥା ଜଣାଇଲେ । ସୋ’ ମ୍ୟାନ୍‌ ପ୍ରଥମେ ପ୍ରକାଶଙ୍କ ଠାରୁ ଫିଲ୍ମର କାହାଣୀ ସଂପର୍କରେ ଜାଣିବାକୁ ଚାହିଁଲେ । ‘ ମୃତ୍ୟୁଦଣ୍ଡ’ ର କାହାଣୀ ଶୁଣିବାପରେ ସୁଭାଷ ଘାଇ କେତକୀ ଭୂମିକାରେ ତାଙ୍କୁ ନେବା ଲାଗି ପରାମର୍ଶ ଦେଲେ । ସେହି ସମୟରେ ମାଧୁରୀ ଥିଲେ ବଲିଉଡ୍‌ର ନମ୍ବରଓ୍ଵାନ୍‌ ହିରୋଇନ୍‌ । ସେ କ’ଣ ଏହି ଫିଲ୍ମରେ କାମ କରିବାକୁ ରାଜି ହେବେ, ସେଥିନେଇ ଆଶଙ୍କା ବ୍ୟକ୍ତ କରିଲେ ପ୍ରକାଶ । ତା’ଛଡା ସେ ଏହାର ବଜେଟ୍‌ ମାତ୍ର ତିନିକୋଟି ରଖିଥିଲେ, ମାଧୁରୀଙ୍କ ପରି ଷ୍ଟାର୍‌ ରହିଲେ, ବଜେଟ୍‌ ବଢ଼ିବାର ସମ୍ଭାବନା ବିରହିଛି । ଏଣେ ଏହାର ସୁଟିଂ ବିହାରରେ କରାଯିବ, ଏଥିରେ ମାଧୁରୀଙ୍କ ସମ୍ମତି ରହିବ କି ନାହିଁ ସେଥିନେଇ ଦ୍ୱିଧରଗ୍ରସ୍ତ ହେଲେ ପ୍ରକାଶ ଝା । ହେଲେ କାହାଣୀ ଶୁଣିବା ପରେ ସୁଭାଷ ଘାଇଙ୍କ ପରାମର୍ଶରେ ମାଧୁରୀ‘ମୃତ୍ୟୁଦଣ୍ଡ’ ରକେତକୀ ବନିଥିଲେ । କିନ୍ତୁ ପରେ ଜୁହି ‘ମୃତ୍ୟୁଦଣ୍ଡ’ ଛାଡିଥିବା ଯୋଗୁଁ ଅନୁତାପ କରିଥିଲେ।

ସମ୍ବନ୍ଧିତ ଖବର