ଭଲ ଭଲ ଭାବନା ସବୁ ମୋ ମୁଣ୍ଡରେ ଗାଧୁଆଘରେ ଥିବା ବେଳେ ହିଁ ଆସେ, ମୁଁ ହେଉଛି ‘ବାଥ୍‌ରୁମ୍‌ ଥିଙ୍କର୍‌’

ସାକ୍ଷାତ୍‌କାର/ ବନ୍ଦନା ମିଶ୍ର

ଭୁବନେଶ୍ୱର: ‘ପାଗଳ ପ୍ରେମୀ’ ଚଳଚ୍ଚିତ୍ର ଜରିଆରେ ଓଲିଉଡ୍‌ରେ ପ୍ରବେଶ କରିଥିବା ସବ୍ୟସାଚୀ ମିଶ୍ର ବର୍ତ୍ତମାନ ଜଣେ ବହୁ ପରିଚିତ ଚେହେରା। ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ ହୋଇ ପ୍ରଥମରୁ ହିଁ ଦର୍ଶକଙ୍କୁ ତାଙ୍କ ଅଭିନୟର କୁହୁକପଣରେ ବାନ୍ଧି ପାରିଥିଲେ ସବ୍ୟ। ଜଣେ ଆଇଏଏସ୍‌ ବାପା ଓ ସୁପରିଚିତା ଲେଖିକାଙ୍କ ଏହି ସୁପୁତ୍ର ପ୍ରଥମେ ଆଲ୍‌ବମରୁ ନିଜ କ୍ୟାରିୟର୍‌ ଆରମ୍ଭ କରି ପରେ ସିନେ-ଜଗତରେ ପାଦ ରଖିଛନ୍ତି। ତାଙ୍କ ଉଲ୍ଲେଖନୀୟ ଚଳଚ୍ଚିତ୍ରଗୁଡ଼ିକ ମଧ୍ୟରେ ରହିଛି ‘ଡ୍ରିମ୍‌ଗର୍ଲ’, ‘ମୁଁ ସପନର ସୌଦାଗର’, ‘କେବେ ତୁମେ ନାହଁ କେବେ ମୁଁ ନାହିଁ’, ‘ପିଲାଟା ବିଗିଡ଼ିଗଲା’, ‘ତୋର ମୋର ଯୋଡ଼ି ସୁନ୍ଦର’, ‘ଧୀରେ ଧୀରେ ପ୍ରେମ ହେଲା’ ଇତ୍ୟାଦି। ସେ ଓଲିଉଡ୍‌ ନାୟିକା ଅର୍ଚ୍ଚିତା, ବର୍ଷା, ପ୍ରିୟା, ଏଲିନା ଆଦି ପ୍ରାୟତଃ ସବୁ ଅଭିନେତ୍ରୀଙ୍କ ସହ କାମ କରି ସାରିଛନ୍ତି। ଅର୍ଚ୍ଚିତାଙ୍କ ସହ ତାଙ୍କ ଯୋଡ଼ିକୁ ଦର୍ଶକମାନେ ବିଶେଷ ପସନ୍ଦ କରୁଥିଲେ ବି ନୂଆ ନୂଆ ଅଭିନେତ୍ରୀଙ୍କ ସହ କାମ କରିବାର ସଉକ ରଖନ୍ତି ସବ୍ୟ। କେବଳ ସିରିୟସ୍‌ ନୁହେଁ କମେଡି ଚଳଚ୍ଚିତ୍ରରେ ବି ସେ ନଜର ଆସିଛନ୍ତି। ଇଷ୍ଟର୍ଣ୍ଣ ମିଡିଆ ନିବେଦିିତ ଚଳଚ୍ଚିତ୍ର ‘ଛାତି ତଳେ ଡିଙ୍ଗ୍‌ ଡଙ୍ଗ୍‌’ରେ ବି ଦର୍ଶକଙ୍କ ଭରପୂର ମନୋରଞ୍ଜନ କରାଇଛନ୍ତି ଏହି ନାୟକ। ଏ ସପ୍ତାହରେ ଓଲିଉଡ୍‌ର ଏହି ଚକୋଲେଟ୍‌ ହିରୋଙ୍କ ସହ ଅଳ୍ପ-ଆଳାପ।

୧.ପ୍ରଶ୍ନ: ସବ୍ୟସାଚୀଙ୍କ ପ୍ରଥମ ବିବାହ ସଫଳ ହୋଇନାହିଁ। ଓଲିଉଡ୍‌ର ଜଣେ ହିଟ୍‌ ନାୟିକାଙ୍କ ସହ ଆପଣଙ୍କ ନାମ ଯୋଡ଼ା ହେଉଛି। ତେବେ, ସବ୍ୟ ସେହି ନାୟିକାଙ୍କୁ ବିବାହ କରିବେ କି?
ଉତ୍ତର: ଯେପର୍ଯ୍ୟନ୍ତ କୌଣସି କାର୍ଯ୍ୟ ହୋଇନାହିଁ ସେପର୍ଯ୍ୟନ୍ତ ସେ ବିଷୟରେ କିଛି କହିବା ଅନୁଚିତ। କାହିଁକି ନା କୌଣସି କଥାର କିଛି ନିର୍ଦ୍ଦିଷ୍ଟତା ନାହିଁ। ଘଟଣା ଘଟିଲା ପରେ ହିଁ ମୋ ପ୍ରଶଂସକମାନେ ଜାଣିପାରିବେ। ଆପଣ ଯାହାଙ୍କ ବିଷୟରେ ଶୁଣିଛନ୍ତି, ମୁଁ ବି ସେ ବିଷୟରେ ଶୁଣିଛି।

୨.ପ୍ରଶ୍ନ: ଓଲିଉଡ୍‌ର ଅନେକ ଅଭିନେତ୍ରୀଙ୍କ ସହ କାମ କରିଛନ୍ତି। କେଉଁ ଅଭିନେତ୍ରୀଙ୍କ ସହ ଅନ୍ତରଙ୍ଗ ଦୃଶ୍ୟରେ ନଜର ଆସିବାକୁ ପସନ୍ଦ କରନ୍ତି ସବ୍ୟ? ଅର୍ଚ୍ଚିତା, ବର୍ଷା, ଏଲିନା ନା ଆଉ କେହି ?
ଉତ୍ତର: ସବୁବେଳେ ନବାଗତାଙ୍କ ସହ ଅନ୍ତରଙ୍ଗ ଦୃଶ୍ୟରେ ଅଭିନୟ କରିବା ପାଇଁ ମୋତେ ଭଲ ଲାଗେ। କାହିଁକି ନା ଏକ ନୂଆ ଯୋଡ଼ିକୁ ଦର୍ଶକ ଗ୍ରହଣ କରିପାରିବାର ସମ୍ଭାବନା ଥାଏ।

୩.ପ୍ରଶ୍ନ: ଯଦି ଆପଣ ଜଣେ ସମଲିଙ୍ଗୀ ହୋଇଥାନ୍ତେ ତେବେ ଓଲିଉଡ୍‌ର କେଉଁ ପୁରୁଷଙ୍କ ସହ ସଂପର୍କରେ ରହିବାକୁ ପସନ୍ଦ କରିଥାନ୍ତେ?
ଉତ୍ତର: ସବ୍ୟସାଚୀ! କାରଣ ମୋଠାରୁ ଭଲ ଆଉ କେହି ନାହାନ୍ତି, ଯେହେତୁ ମୁଁ ସମଲିଙ୍ଗୀ ହୋଇଥିଲେ ମୋତେ ହିଁ ଭଲପାଇଥାନ୍ତି। ଦ୍ୱିତୀୟ ସବ୍ୟସାଚୀ ଆଉ କେହି ନାହାନ୍ତି।

ଗଣମାଧ୍ୟମର ମୋ ଉପରେ ଏକ ଅଧିକାର ରହିଛି। ସେ ଅଧିକାରରକୁ ହିଁ ଗଣମାଧ୍ୟମ ପ୍ରତିନିଧିମାନେ ଜାହିର କରନ୍ତି। ସବ୍ୟସାଚୀକୁ ଗଣମାଧ୍ୟମ ତିଆରି କରିଛି ଓ ସବ୍ୟସାଚୀ ସେହି ଋଣ ସବୁ ଦିନ ସୁଝିବ

୪.ପ୍ରଶ୍ନ: ଗଣମାଧ୍ୟମରେ ଆପଣଙ୍କ ସଂପର୍କିତ ଅନେକ ଖବର ପ୍ରକାଶ ପାଇଛି। ଏପରି କିଛି ଖବର ପ୍ରକାଶ ପାଇଛି କି ଯାହା ବିଷୟରେ ଜାଣିବା ପରେ ଆପଣ ଖୁବ୍‌ ବିରକ୍ତ ହୋଇ ଯାଇଛନ୍ତି?
ଉତ୍ତର: ନାଇଁ। ଯଦିଓ ଚଳଚ୍ଚିତ୍ର ଦୁନିଆକୁ ମୋତେ ହର ପଟ୍ଟନାୟକ ଆଣିଛନ୍ତି, ମାତ୍ର ମୋତେ ଷ୍ଟାର୍‌ ବନାଇଛି ଗଣମାଧ୍ୟମ। ଗଣତନ୍ତ୍ରର ଏହି ଚତୁର୍ଥ ସ୍ତମ୍ଭକୁ ମୁଁ ଖୁବ୍‌ ସମ୍ମାନ କରେ। ବାସ୍ତବ କଥା କହିବାକୁ ଗଲେ ମୋତେ ଲାଗେ ଗଣମାଧ୍ୟମର ମୋ ଉପରେ ଏକ ଅଧିକାର ରହିଛି। ସେ ଅଧିକାରକୁ ହିଁ ଗଣମାଧ୍ୟମ ପ୍ରତିନିଧୀମାନେ ବ୍ୟବହାର କରନ୍ତି। ଏହା ମୋର ଭାଗ୍ୟ ହେଉ କି ସେମାନଙ୍କ ଆଶୀର୍ବାଦ ହେଉ ମାତ୍ର ମୁଁ ଅନେକ ସମୟରେ ଗଣମାଧ୍ୟମ ଦ୍ୱାରା ପ୍ରଶଂସିତ ହୋଇଛି, ସମର୍ଥନ ପାଇଛି। ସବ୍ୟସାଚୀକୁ ଗଣମାଧ୍ୟମ ତିଆରି କରିଛି ଓ ସବ୍ୟସାଚୀ ସେହି ଋଣ ସବୁ ଦିନ ଶୁଝିବ।

୫.ପ୍ରଶ୍ନ: ସବ୍ୟସାଚୀ ଗାଧୁଆଘରେ ଥିବା ବେଳେ ତାଙ୍କ ମସ୍ତିଷ୍କରେ କ’ଣ ଚାଲେ? ସେ କେଉଁ ବିଷୟରେ ଭାବନ୍ତି?
ଉତ୍ତର: ସବୁଠାରୁ ଯଦି କୌଣସି ସୃଜନାତ୍ମକ ସ୍ଥାନ ଥାଏ, ତାହା ହେଉଛି ମୋ ପାଇଁ ଗାଧୁଆଘର। ମୁଁ ସମସ୍ତ ପ୍ରକାରର ସୃଜନାତ୍ମକ କଥା ଗାଧୁଆ ଘରେ ହିଁ ଭାବିପାରେ। ଭଲ ଭଲ ଭାବନା ସବୁ ମୋ ମୁଣ୍ଡରେ ଗାଧୁଆଘରେ ଥିବା ବେଳେ ହିଁ ଆସେ। ‘ବାଥ୍‌ରୁମ୍‌ ସିଙ୍ଗ୍‌ର’ ଥାଆନ୍ତି ମାତ୍ର ମୁଁ ହେଉଛି ‘ବାଥ୍‌ରୁମ୍‌ ଥିଙ୍କର୍‌’।

ଆପଣଙ୍କୁ ହସ ଲାଗିପାରେ ମାତ୍ର ମୋ ପ୍ରଥମ ପ୍ରେମିକାର ନାଁ ମୋର ମନେ ନାହିଁ। ସେ ଝିଅଟି ସୁନ୍ଦରଗଡ଼ର ଥିଲା।

୬.ପ୍ରଶ୍ନ: ସବ୍ୟସାଚୀ କ’ଣ ତାଙ୍କ ପ୍ରଥମ ପ୍ରେମକୁ ବିବାହ କରିଥିଲେ ନା ବିବାହ ପୂର୍ବରୁ ବି ତାଙ୍କ ଜୀବନରେ ଆଉ କେହି ଆସିଥିଲେ? ଖୋଲାଖୋଲି ପଚାରିଲେ ସବ୍ୟଙ୍କ ପ୍ରଥମ ପ୍ରେମ କିଏ?
ଉତ୍ତର: ମୁଁ ଯାହା କହିବି ଆପଣଙ୍କୁ ହସ ଲାଗିପାରେ ମାତ୍ର ମୋ ପ୍ରଥମ ପ୍ରେମିକାର ନାଁ ମୋର ମନେ ନାହିଁ। ସେ ଝିଅଟି ସୁନ୍ଦରଗଡ଼ର ଥିଲା। ମୁଁ ପ୍ରଥମରେ ପଢୁଥିବା ବେଳେ ଜଣେ ଝିଅ ମୋତେ ଭଲ ଲାଗିଥିଲା। ମୁଁ ମୋ ପାପୁଲିକୁ ସାବୁନରେ ଧୋଇ ମୋ ବୋଉକୁ ଦେଖେଇ କହିଥିଲେ କି ମୋ ହାତଟା ଯେତିକି ଗୋରା ଦିଶୁଛି ସେ ଝିଅଟା ସେତିକି ଗୋରା।

୭.ପ୍ରଶ୍ନ: ସବ୍ୟ ଜଣେ ଭଲ ଅଭିନେତା ହେବା ସହ ଖୁବ୍‌ ଭଲ ମଣିଷ ବୋଲି ଶୁଣାଯାଏ। କେଉଁ କମ୍ପ୍ଲିମେଣ୍ଟ୍‌ ଆପଣଙ୍କୁ ବେଶି ଭଲ ଲାଗେ?
ଉତ୍ତର: ଦୁଇଟା ଯାକ। ଭଲ ଅଭିନେତାଟା ମୋ ସ୍ୱପ୍ନକୁ ସନ୍ତୁଷ୍ଟି ଦିଏ ଓ ଭଲ ମଣିଷ ବୋଲି ଶୁଣିଲେ ମୋ ମଣିଷପଣିଆ ସନ୍ତୋଷ ଲାଭ କରେ।

(ଆପଣଙ୍କ ମୂଲ୍ୟବାନ ସମୟ ଦେଇ ଆମ ସହ ଯୋଡ଼ି ହୋଇଥିବାରୁ ‘ସମ୍ବାଦ.ଇନ୍‌’ ପକ୍ଷରୁ ଆପଣଙ୍କୁ ଧନ୍ୟବାଦ)

ସମ୍ବନ୍ଧିତ ଖବର