ସିଦ୍ଧାନ୍ତଙ୍କ ସହ ପ୍ରଥମ ଥରପାଇଁ ପରଦାରେ ଏହି ନାୟକ

ଭୁବନେଶ୍ୱର: ମେଗାଷ୍ଟାର୍‌ ସିଦ୍ଧାନ୍ତ ମହାପାତ୍ର। ସେ ଓଲିଉଡ଼୍‍ରେ ପ୍ରାୟ ୨୭ ବର୍ଷ ହେବ ସକ୍ରିୟ ଅଛନ୍ତି। ଏବେ ବି ନାୟକ ଭୂମିକାରେ ନଜର ଆସୁଛନ୍ତି। ତା’ ସାଙ୍ଗକୁ ଖଳନାୟକ ଓ ଚରିତ୍ର ଅଭିନେତା ଭାବେ ବି ମିଳୁଛି ତାଙ୍କୁ ପରଦା ଉପରେ।

ସିଦ୍ଧାନ୍ତଙ୍କ ସହିତ କାମ କରିବାକୁ ଯେମିତି ନୂଆ ନିର୍ଦ୍ଦେଶକ ମାନେ ଆଗ୍ରହୀ,ଠିକ୍‌ ସେହିପରି ନାୟକମାନେ ବି ତାଙ୍କ ସହିତ ସ୍କ୍ରିନ୍‌ ସେଆର୍‌ କରିବାକୁ ଉତ୍କଣ୍ଠିତ ଥାଆନ୍ତି। ନିକଟ ଅତୀତରେ ଅନୁଭବ ,ଅରିନ୍ଦମ୍‌, ସବ୍ୟସାଚୀ,ବାବୁସାନ୍‌,ଆକାଶ,ବୁଦ୍ଧାଦିତ୍ୟ,ଅମ୍ଳାନ ଓ ସମ୍ବିତ୍‌ ପ୍ରମୁଖ ଜଣାଶୁଣା ନାୟକମାନେ ସିଦ୍ଧାନ୍ତଙ୍କ ସହିତ କାମ କରିବାକୁ ସୁଯୋଗ ପାଇଛନ୍ତି। ହେଲେ ଜଣେ ନାୟକଙ୍କୁ ସେଭଳି ସୁଯୋଗ ମିଳି ନଥିଲା।ଏବେ ସେ ସିଦ୍ଧାନ୍ତଙ୍କ ସହିତ ପ୍ରଥମ ଥର ପାଇଁ ଅଭିନୟ କରୁଛନ୍ତି ଏକ ନୂଆ ଓଡ଼ିଆ ସିନେମାରେ।

ଏଠାରେ ଯେଉଁ ନାୟକଙ୍କ କଥା କୁହାଯାଉଛି,ସେ ହେଲେ ଜ୍ୟୋତି। ଇତିମଧ୍ୟରେ ତାଙ୍କ ଅଭିନୀତ ‘ଦେଲେ ଧରା କଥା ସରେ’,‘ନିଝୁମ୍‌ ରାତିର ସାଥି’,‘ଦିଲ୍‌କା ରାଜା’,‘ତୁ ମୋ’ ହିରୋ’ ଓ ‘ହାପି ଲକି’ ଆଦି ରିଲିଜ୍‌ ହୋଇସାରିଛି। ଏଥିମଧ୍ୟରୁ କୌଣସି ଗୋଟିଏ ବି ସିନେମାରେ ଜ୍ୟୋତିଙ୍କୁ ସିଦ୍ଧାନ୍ତଙ୍କ ସହିତ କାମ କରିବାର ସୁଯୋଗ ମିଳି ନଥିଲା। ଏବେ ଜ୍ୟୋତି ଏକ ନୂଆ ସିନେମାରେ କାମ କରୁଛନ୍ତି,ଯେଉଁଥିରେ ପ୍ରଥମଥର ଲାଗି ସେ ସିଦ୍ଧାନ୍ତଙ୍କ ସହ ଅଭିନୟ କରୁଛନ୍ତି। ଏହି ସିନେମାର ଶୀର୍ଷକ ହେଲା ‘ଓଲେ ଓଲେ ଦିଲ୍‌ ବୋଲେ’।


ପ୍ରାପ୍ତ ସୂଚନା ଅନୁଯାୟୀ ‘ଓଲେ ଓଲେ ଦିଲ୍‌ ବୋଲେ’ରେ ସିଦ୍ଧାନ୍ତଙ୍କ ସହିତ ଜ୍ୟୋତିଙ୍କର ଅନେକ ଗୁଡ଼ିଏ କମେଡ଼ି ସିନ୍‌ ରହିଛି। ସିଦ୍ଧାନ୍ତଙ୍କ ସହିତ କାମ କରିବା ତାଙ୍କ ପାଇଁ ସୌଭାଗ୍ୟର କଥା ବୋଲି କୁହନ୍ତି ଜ୍ୟୋତି। ତାଙ୍କର ଏକ ସ୍ୱପ୍ନ ପୂରଣ ହେଲା ବୋଲି ମଧ୍ୟ କହନ୍ତି ନାୟକ ଜ୍ୟୋତି।ଏହି ସିନେମାରେ ଝିଲିକ୍‌ ଅଛନ୍ତି ଜ୍ୟୋତିଙ୍କ ବିପକ୍ଷରେ।

ସମ୍ବନ୍ଧିତ ଖବର