ନୂଆଦିଲ୍ଲୀ: ବଲିଉଡ୍ ସିନେମା ‘ଲଗାନ୍’ର ଅଭିନେତା ଶ୍ରୀବଲ୍ଲଭ ବ୍ୟାସଙ୍କ ରବିବାର ସନ୍ଧ୍ୟାରେ ରାଜସ୍ଥାନର ଜୟପୁରରେ ୬୦ବର୍ଷ ବୟସରେ ପରଲୋକ ହୋଇଛି। ଅମୀର ଖାନ୍ଙ୍କ ସହିତ ସିନେମା ‘ଲଗାନ୍’ରେ ଶ୍ରୀବଲ୍ଲଭ ଈଶ୍ୱର କାକା ଚରିତ୍ରରେ ଜୀବନ୍ତ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିଲେ। ୮ବର୍ଷ ପୂର୍ବରୁ ସେ ରୋଗରେ ପୀଡିତ ଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଶ୍ରୀବଲ୍ଲଭଙ୍କ ପତ୍ନୀ ଶୋଭା ବ୍ୟାସଙ୍କ କହିବାନୁସାରେ, ୨୦୦୮ ଅକ୍ଟୋବରରେ ଗୁଜୁରାଟର ରାଜପିପଲାରେ ଭୋଜପୁରୀ ସିନେମା ସୁଟିଂ କରୁଥିବା ସମୟରେ ଗାଧୁଆଘରେ ଶ୍ରୀବଲ୍ଲଭଙ୍କ ପାଦ ଖସି ଯାଇଥିଲା। ଫଳରେ ତାଙ୍କ ମୁଣ୍ଡରେ ଗଭୀର ଆଘତ ଲାଗିଥିଲା। ଦୁର୍ଘଟଣା ଘଟିବା ସଙ୍ଗେସଙ୍ଗେ ସୁଟିଂ ସେଟରେ ଥିବା ଲୋକମାନେ ତାଙ୍କୁ ଭଦୋଦରା ନେଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ତାଙ୍କ ମୁଣ୍ଡର ଅସ୍ତ୍ରୋପଚାର କରାଯାଇଥିଲା। ଅସ୍ତ୍ରୋପଚାର ପରେ ସେ ବିପଦମୁକ୍ତ ଅଛନ୍ତି ବୋଲି ଡାକ୍ତର କହିଥିଲେ। କିନ୍ତୁ ପରେପରେ ତାଙ୍କ ଶରୀରାବସ୍ଥା ବିଗିଡ଼ିବାରେ ଲାଗିଥିଲା।
ଶ୍ରୀବଲ୍ଲଭ ହିନ୍ଦୀରେ ୬୦ରୁ ଊର୍ଧ୍ୱ ସିନେମାରେ ଅଭିନୟ କରିଥିଲେ। ତାଙ୍କ ଅଭିନୀତ ସିନେମା ମଧ୍ୟରେ ରହିଛି, ‘ସରଦାର’. ‘ମାୟା ମେମ୍ ସାହବ’, ‘େଓ୍ଵଲକମ୍ ଟୁ ସଜ୍ଜନପୁର’, ‘ସରଫରସ’, ‘ଲଗାନ୍’, ‘ବଣ୍ଟି ଔର ବବଲି’, ‘ଚାନ୍ଦନି ବାର’ ଓ ‘ବିରୁଦ୍ଧ’ ଆଦି।
ସ୍ୱାମୀ ଶ୍ରୀବଲ୍ଲଭଙ୍କ ଚକିତ୍ସା ପାଇଁ ବହୁ ଅର୍ଥ ଖର୍ଚ୍ଚ ହୋଇଥିଲା। ଯାହା ଆମ ପାଖରେ ନଥିଲା। ଅଭିନେତା ଅମୀର ଖାନ୍ ଆମକୁ ଆର୍ଥିକ ସାହାଯ୍ୟ କରିଛନ୍ତି। ଅମୀରଙ୍କ ଯୋଗୁଁ ହିଁ ଜୟପୁରରେ ୩ଟି ବେଡରୁମ୍ ଥିବା ଘର ମିଳି ପାରିଥିଲା। ସେ ମୋର ଝିଅର ସ୍କୁଲ ଫିସ୍ ମଧ୍ୟ ଭରି ଥାଆନ୍ତି। ତାଙ୍କ ବ୍ୟତୀତ ଏଭଳି ପରିସ୍ଥିତିରେ ଇମରାନ୍ ଖାନ୍ ଓ ମନୋଜ ବାଜପେୟୀ ବି ବହୁତ ସାହାଯ୍ୟ କରିଛନ୍ତି ବୋଲି ଶ୍ରୀବଲ୍ଲଭଙ୍କ ପତ୍ନୀ ଶୋଭା କହନ୍ତି।