ପଦ୍ମ ଧରିଲେ ବିଭୁ ତରାଇ, ଜଗତସିଂହପୁରରେ ପ୍ରାର୍ଥୀ ହେବେ !

ଭୁବନେଶ୍ବର: ଗତକାଲି କଂଗ୍ରେସରୁ ଇସ୍ତଫା ଦେଇଥିବା ପୂର୍ବତନ ସାଂସଦ ବିଭୁ ତରାଇ ଆଜି ବିଜେପିରେ ସାମିଲ ହୋଇଛନ୍ତି। ସେ ଜଗତସିଂହପୁରରୁ ବିଜେପି ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ଚାଲିଛି। ବିଜେପି ପକ୍ଷରୁ ଏହି ଆସନ ପାଇଁ କାହାରିକୁ ପ୍ରାର୍ଥୀ ଘୋଷଣା କରାଯାଇ ନାହିଁ। ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଓ ବରିଷ୍ଠ ‌େନତା ବିଶ୍ବଭୂଷଣ ହରିଚନ୍ଦନଙ୍କ ଉପସ୍ଥିତିରେ ଶ୍ରୀ ତରାଇ ଆଜି ବିଜେପିରେ ଯୋଗ ଦେଇଥିଲେ। ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ନିମାପଡ଼ାର ପୂର୍ବତନ ବିଧାୟକ ବେଣୁଧର ସେଠୀ, ମୟୂରଭଞ୍ଜର ଜିଲ୍ଲାର କଂଗ୍ରେସ ନେତା ବିରାମ ମୁର୍ମୁ ମଧ୍ୟ ବିଜେପିରେ ସାମିଲ ହୋଇଥିଲେ। ବିକାଶର ଧାରା କେବଳ ବିଜେପି ହିଁ ବଜାୟ ରଖିଛି ଓ ଓଡ଼ିଶାରେ ପରିବର୍ତ୍ତନକୁ ଆବଶ୍ୟକତା ଭାବି ବିଜେପିରେ ସାମିଲ୍‌ ହେଲେ ବୋଲି ଶ୍ରୀ ତରାଇ କହିଥିଲେ। ମିଶ୍ରଣ ପର୍ବରେ ପୂର୍ବତନ ମନ୍ତ୍ରୀ ପ୍ରବୀଣ ଭଞ୍ଜଦେଓ, ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡ଼ା ଉପସ୍ଥିତ ଥିଲେ। ଶ୍ରୀ ତରାଇ ଲଗାତର ତିନିଟି ନିର୍ବାଚନରେ ତିନିଟି ଭିନ୍ନ ଭିନ୍ନ ଦଳରୁ ଗୋଟିଏ ଆସନରେ ଲଢ଼ିବା ଚର୍ଚ୍ଚାର ବିଷୟ ହୋଇଛି। ୨୦୦୯ ନିର୍ବାଚନରେ ସିପିଆଇ ପ୍ରାର୍ଥୀ ଭାବେ ସେ ଜଗତସିଂହପୁର ଆସନରୁ ବିଜୟୀ ହୋଇଥିଲେ। ଏହି ନିର୍ବାଚନରେ ବିଜେଡି-ସିପିଆଇ ମେଣ୍ଟ ହୋଇଥିଲା। ଜଗତସିଂହପୁର ଆସନକୁ ସିପିଆଇକୁ ଛାଡ଼ି ଦେଇଥିଲା ବିଜେଡି। ତେବେ ପରବର୍ତ୍ତୀ ସମୟରେ ଦଳବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ସିପିଆଇଙ୍କୁ ନିଲମ୍ବନ କରାଯାଇଥିଲା। ୨୦୧୪ ନିର୍ବାଚନ ପୂର୍ବରୁ ଶ୍ରୀ ତରାଇ କଂଗ୍ରେସରେ ଯୋଗ ଦେବା ସହ ଜଗତସିଂହପୁର ଲୋକସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ହୋଇଥିଲେ। ତେବେ ସେ ବିଜେଡି ପ୍ରାର୍ଥୀଙ୍କ ଠାରୁ ଅଢ଼େଇ ଲକ୍ଷରୁ ଅଧିକ ଭୋଟ୍‌ରେ ହାରିଥିଲେ। ଚଳିତ ନିର୍ବାଚନରେ ତାଙ୍କୁ ତିର୍ତୋଲ ବିଧାନସଭା ଆସନ ପାଇଁ କଂଗ୍ରେସ ଟିକେଟ୍‌ ମିଳିଥିଲେ ବି ସେ ସନ୍ତୁଷ୍ଟ ନ ଥିଲେ। ଦଳୀୟ ନେତୃତ୍ବ ବିରୋଧରେ ବି‌େଷାଦଗାର କରି ସେ ଗତକାଲି ଇସ୍ତଫା ଦେଇଥି‌େଲ। ଆଜି ବିଜେପିରେ ମିଶିଲା ପରେ ତାଙ୍କୁ ଜଗତସିଂହପୁର ଲୋକସଭା ଆସନରେ ଦଳୀୟ ପ୍ରାର୍ଥୀ କରାଯିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର