ଶୈବପୀଠରେ ରାଜନେତାଙ୍କ ଭିଡ଼

ଗାଜିଆବାଦ୍‌: ନିର୍ବାଚନ ସମୟରେ ରାଜନେତାମାନେ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥାନ୍ତି। ଭଗବାନଙ୍କ କୃପାଲାଭ କରି ସେମାନେ ନିର୍ବାଚନୀ ବୈତରଣୀ ପାରି ହୋଇଯିବାକୁ ଚାହାନ୍ତି। ଅନେକଙ୍କର ଭଗବାନଙ୍କ ଉପରେ ଦୃଢ଼ ବିଶ୍ବାସ ରହିଥାଏ। ଉତ୍ତରପ୍ରଦେଶର ଗାଜିଆବାଦ୍‌ରେ ଏମିତି ଏକ ମନ୍ଦିର ଅଛି‌ ଯେଉଁଠିକୁ ନିର୍ବାଚନ ସମୟରେ ପ୍ରଭୁଙ୍କ ଆର୍ଶୀବାଦ ପାଇଁ ବହୁ ରାଜନେତାଙ୍କ ଭିଡ଼ ଲାଗିଥାଏ। ଗାଜିଆବାଦ୍‌ରେ ଥିବା ମନ୍ଦିରଟି ହେଉଛି ଏକ ଶୈବ ପୀଠ। ଏହି ଶୈବ ପୀଠର ନାଁ ଦୁଧେଶ୍ବର ନାଥ । ପଶ୍ଚିମ ଉତ୍ତରପ୍ରଦେଶରେ ଏହା ସବୁଠୁ ପୁରଣା ଶୈବ ପୀଠ। ୬୦୦ ବର୍ଷର ଏହି ପୁରୁଣା ଶୈବ ପୀଠରେ ନିର୍ବାଚନ ସମୟରେ ରାଜନେତାମାନଙ୍କ ଭିଡ଼ ଜମେ। ଗାଜିଆବାଦ ସହରର କେନ୍ଦ୍ରସ୍ଥଳରେ ଅବସ୍ଥିତ ଏହି ମନ୍ଦିରଟି ୧୨ ବିଘା ଜମି ପରିବ୍ୟାପ୍ତ ଅଟେ। ରାଜନେତା ଜଗନ୍ନାଥ ମିଶ୍ର, କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପରି ପ୍ରମୁଖ ନେତାମାନେ ପ୍ରତି ନିର୍ବାଚନ ସମୟରେ ଏହି ଶୈବପୀଠ ଆସି ଶିବଙ୍କ କୃପା ଲାଭ କରିଥାନ୍ତି ବୋଲି ମନ୍ଦିର ମହନ୍ତ ନାରାୟଣ ଗିରି କହନ୍ତି। ଚଳିତ ନିର୍ବାଚନୀ ଋତୁରେ ମଧ୍ୟ ରାଜନାଥ, ଯୋଗୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରମୁଖ ଏହି ମନ୍ଦିର ଆସି ଶିବ କୃପା ଲାଭ କରି ସାରିଛନ୍ତି। ବିଶ୍ବାସ ରହିଛି ଯେ ପ୍ରଭୁଙ୍କ କରୁଣା ହେଲେ ଅସମ୍ଭବ କାର୍ଯ୍ୟ ବି ସମ୍ଭବ ହୋଇପାରେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିକଟରେ ଏକ ନିର୍ବାଚନୀ ରୢାଲିରେ ଯିବା ପୂର୍ବରୁ ଏଠାକୁ ଆସି ପ୍ରଭୁ କୃପା ଲାଭ କରିଥିଲେ।

ସମ୍ବନ୍ଧିତ ଖବର