ବିଷ ଉଗାଳିଲେ ଇମ୍ରାନ୍‌, ଛୋଟ ଲୋକଙ୍କର ଦୂରଦୃଷ୍ଟି ନଥାଏ

ଇସ୍‌ଲାମାବାଦ: ଭାରତ ଓ ପାକିସ୍ତାନ ମଧ୍ୟରେ ନ୍ୟୁୟର୍କରେ ହେବାକୁ ଥିବା ମନ୍ତ୍ରୀସ୍ତରୀୟ କଥାବାର୍ତ୍ତାକୁ ଭାରତ ରଦ୍ଦ କରିଦେବା ପରେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଆଜି ଟ୍ଵିଟର୍‌ରେ ବିଷ ଉଗାଳିଛନ୍ତି। ଭାରତର ଏଭଳି ନିଷ୍ପତ୍ତିକୁ ନିରାଶାଜନକ ଏବଂ ନକାରାତ୍ମକ ବୋଲି ସେ ଦର୍ଶାଇଛନ୍ତି। ଟ୍ଵିଟ୍‌ କରି ଇମ୍ରାନ୍‌ କହିଛନ୍ତି, ଭାରତ ସହିତ ଶାନ୍ତି କଥାବାର୍ତ୍ତା ନିମନ୍ତେ ପାକିସ୍ତାନ ଆଗେଇ ଆସିଥିବା ବେଳେ ଏଥିପାଇଁ ଔପଚାରିକ ଭାବେ ଚିଠି ଲେଖିଲା। ଭାରତ ଯଦି ଏହାକୁ ଗ୍ରହଣ କରି ଆଲୋଚନାରେ ଭାଗନେଇଥାନ୍ତା, ଦୁଇଦେଶ ମଧ୍ୟରେ ସଂପର୍କ ସୁଦୃଢ଼ ହୋଇପାରିଥାନ୍ତା। କିନ୍ତୁ ଭାରତ ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଛି। ଭାରତର ଏଭଳି ନିଷ୍ପତ୍ତିକୁ ନେଇ ମୁଁ ଅତ୍ୟନ୍ତ ନିରାଶ। ଏମିତି କି ଇମ୍ରାନ୍‌ ପରୋକ୍ଷ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଭର୍ତ୍ସନା କରିଛନ୍ତି। ସେ କହିଛନ୍ତି, ମୋ ଜୀବନରେ ଏଭଳି ଛୋଟ ଲୋକମାନଙ୍କୁ ଦେଖିନାହିଁ ଯେଉଁମାନେ ଉଚ୍ଚ ଆସନରେ ବସି ମଧ୍ୟ ଆଗାମୀ ଭବିଷ୍ୟତ ପାଇଁ ଚିନ୍ତା କରିବା ଲାଗି କ୍ଷମତା ରଖିନାହାନ୍ତି। ଆଗକୁ ବଢ଼ିବା ପାଇଁ ସେମାନଙ୍କ ନିକଟରେ ଦୂରଦର୍ଶିତାର ଅଭାବବୋଧ ରହିଛି। ଶାନ୍ତି କଥାବାର୍ତ୍ତା ପାଇଁ ପାକ୍‌ ଦେଇଥିବା ପ୍ରସ୍ତାବକୁ ରଦ୍ଦ କରାଯିବା ପ୍ରସଙ୍ଗରେ ବିଦେଶ ମନ୍ତ୍ରାଳୟ ପ୍ରବକ୍ତା ରବୀଶ କୁମାର କହିଥିଲେ, ଇମ୍ରାନ୍‌ ଖାନ୍‌ ସରକାରର ଅସଲ ରୂପ ଏବେ ପଦାକୁ ଆସିଯାଇଛି। ଉଲ୍ଲେଖଯୋଗ୍ୟ, ପାକିସ୍ତାନ ଶାନ୍ତି କଥାବାର୍ତ୍ତା ପ୍ରସ୍ତାବ ଦେଇ ଅନ୍ତର୍ଜାତୀୟ କ୍ଷେତ୍ରରେ ନିଜ ଭାବମୂର୍ତ୍ତିକୁ ସଜାଡ଼ିବାକୁ ଉଦ୍ୟମ କରୁଥିବା ବେଳେ ଏହା ଦ୍ୱାରା ପରିଚାଳିତ କିଛି ସଂସ୍ଥା ଭାରତୀୟ ସୀମାରେ ଲଗାତର ଭାବେ ବିସ୍ଫୋରଣ ଘଟାଇ ଚାଲିଛନ୍ତି। ନିକଟରେ ପାକ୍‌ ରେଞ୍ଜର୍ସମାନେ ଭାରତର ଜଣେ ବିଏସ୍‌ଏଫ୍‌ ଯବାନଙ୍କୁ ଗୁଳି କରି ହତ୍ୟା କରିବା ପରେ ତାଙ୍କ ତଣ୍ଟି କାଟିଦେଇଥିଲେ। ଏହାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ପାକ୍‌ ସେନାକୁ ନିନ୍ଦା କରାଯାଉଛି। ଏହାଛଡ଼ା ପ୍ରତ୍ୟେକ ଦିନ ପାକ୍‌ ସେନାମାନେ ଅସ୍ତ୍ରବିରତି ଉଲ୍ଲଂଘନ କରି ଭାରତୀୟ ସେନା ଉପରକୁ ଆକ୍ରମଣ କରୁଛନ୍ତି। ନିକଟରେ ଇମ୍ରାନ୍‌ ଖାନ୍‌ଙ୍କ ଚିଠିକୁ ଗ୍ରହଣ କରି ଭାରତ ପକ୍ଷରୁ ସବୁଜ ସଂକେତ ଦିଆଯାଇଥିଲା। ଚଳିତମାସ ଶେଷ ଭାଗରେ ନ୍ୟୁୟର୍କରେ ହେବାକୁ ଥିବା ଜାତିସଂଘର ସାଧାରଣ ଅଧିବେଶନ ବେଳେ ଦୁଇଦେଶର ବିଦେଶ ମନ୍ତ୍ରାଳୟ ମଧ୍ୟରେ ଆଲୋଚନା ହେବ ବୋଲି ଧାର୍ଯ୍ୟ ହୋଇଥିଲା। ଏହାପରେ ମଧ୍ୟ ପାକିସ୍ତାନ ଏହାର ଦୋମୁହାଁ ନୀତି ଛାଡ଼ିନଥିଲା। ଲଗାତର ଭାବେ ସୀମାରେ ହିଂସାକାଣ୍ଡ ଘଟାଇଥିଲା। ଏହାକୁ ନେଇ ଭାରତ ସରକାର କ୍ଷୁବ୍ଧ ହେବା ସହିତ ଶାନ୍ତି କଥାବାର୍ତ୍ତାକୁ ରଦ୍ଦ କରିଦେଇଛନ୍ତି।

ସମ୍ବନ୍ଧିତ ଖବର