ବାଙ୍ଗାଲୁରୁ : ଦେଶରେ ଏବେ ରାଫେଲ ବିମାନକୁ ନେଇ ବିବାଦ ଚାଲିଛି । ଏହି ବିମାନ କିଣାରେ ଅନିୟମିତତା ହୋଇଥିବା କଂଗ୍ରେସ ବାରମ୍ବାର ଅଭିଯୋଗ କରୁଛି । କିନ୍ତୁ ସୁପ୍ରିମକୋର୍ଟଙ୍କ ଠାରୁ ଆରମ୍ଭ କରି ସିଏଜି ସମସ୍ତେ ସରକାରଙ୍କୁ କ୍ଲିନଚିଟ ଦେଇଛନ୍ତି । ଏଭଳି ବିବାଦ ମଧ୍ୟରେ ଆଜି ବାଙ୍ଗାଲୁରୁରେ ପହଞ୍ଚିଛି ୩ଟି ରାଫେଲ ବିମାନ । ଆସନ୍ତା ଫେବ୍ରୁଆରୀ ୨୦-୨୪ ତାରିଖରେ ବାଙ୍ଗାଲୁରୁର ହେଲେହେଙ୍ଗା ବାୟୁସେନା ଘାଟିଠାରେ ହେବାକୁ ଥିବା ବାଙ୍ଗାଲୁରୁ ଏୟାର ଶୋ’ରେ ଏସବୁ ରାଫେଲ ବିମାନଗୁଡ଼ିକର ଉଡାଣ କରାଯିବ । ଏଥିପାଇଁ ରାଫେଲ ନିର୍ମାଣକାରୀ କମ୍ପାନି ଡାସାଲ୍ଟ ଆଭିଏସନ ପକ୍ଷରୁ ଏହି ୩ଟି ବିମାନ ଭାରତକୁ ଆସିଛି । ଏହା ମଧ୍ୟରୁ ୨ଟି ରାଫେଲ ବିମାନ ଉଡି ନିଜର କଳାକୌଶଳ ଓ କ୍ଷମତାର ପ୍ରଦର୍ଶନ କରିବେ । ୩ୟ ରାଫେଲଟି ଗ୍ରାଉଣ୍ଡରେ ରହି ପ୍ରଦର୍ଶିତ ହେବ ।
Sambad is now on WhatsApp
Join and get latest news updates delivered to you via WhatsApp
ମୋଦି ସରକାର ୨୦୧୬ରେ ୩୬ଟି ରାଫେଲ ବିମାନ ଯୋଗାଇବା ପାଇଁ ୫୯ ହଜାର କୋଟି ଟଙ୍କାର ଏକ ଚୁକ୍ତି କରିଥିଲେ । ଏହି ଚୁକ୍ତି ଫ୍ରାନ୍ସ ସରକାରଙ୍କ ସହ ହୋଇଥିଲା । ନିକଟରେ ସରକାର ମୋଟ ରାଶିର ୨୫ ପ୍ରତିଶତ ପେମେଣ୍ଟ ଫ୍ରାନ୍ସ ସରକାରଙ୍କୁ କରିଛନ୍ତି । ଏହି ଚୁକ୍ତି ଭାରତ ଓ ଫ୍ରାନ୍ସ ସରକାରଙ୍କ ମଧ୍ୟରେ ହୋଇଥିବାରୁ ଭାରତ ସରକାର ଫ୍ରାନ୍ସ ସରକାରଙ୍କୁ ଅର୍ଥ ପ୍ରଦାନ କରିଛନ୍ତି । ଫ୍ରାନ୍ସ ସରକାର ଏହି ଅର୍ଥ ଡାସାଁ ଆଭିଏସନକୁ ପ୍ରଦାନ କରିବେ । ଆସନ୍ତା ସେପ୍ଟେମ୍ବର ମାସରେ ଭାରତ ପ୍ରଥମ ରାଫେଲ ବିମାନର ଡେଲିଭରୀ ପାଇବ ।