ଝାଡ଼ଖଣ୍ଡରେ ଆଲୋଡ଼ନ, ଗୁଣି ଗାରେଡ଼ି ସନ୍ଦେହରେ ୪ ଜଣଙ୍କୁ ପିଟି ପିଟି ହତ୍ୟା

ରାଞ୍ଚି: ଝାଡ଼ଖଣ୍ଡର ଗୁମଲା ଜିଲ୍ଲାରେ ଗୁଣି ଗାରେଡ଼ି ସନ୍ଦେହରେ ଏକ ଦମ୍ପତି ସମେତ ୪ ଜଣଙ୍କୁ ଅଜଣା ଦୁର୍ବୃତ୍ତମାନେ ପିଟି ପିଟି ହତ୍ୟା କରିଛନ୍ତି। ଏହି ଘଟଣା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି। ଶନିବାର ରାତି ପ୍ରାୟ ୧୨ଟା ବେଳେ ପ୍ରାୟ ୧୫ ଜଣ ବ୍ୟକ୍ତି ମୁହଁରେ ଗାମୁଛା ଗୁଡ଼ାଇ ବାଡ଼ି ଓ ଲୁହା ରଡ ଧରି ପିସ୍‌କାରୀ ଗ୍ରାମରେ ପହଥିଲେ ଏବଂ ଗ୍ରାମର ସୁନା ଉରାମ୍ବ (୬୫), ଫଗନି ଉରାମ୍ବ (୬୦), ଚାପା ଭଗତ (୬୫) ଏବଂ ତାଙ୍କ ପତ୍ନୀ ପିରୀ ଦେବୀ (୬୦)ଙ୍କୁ ଟାଣି ନେଇ ଗାଁ ମଝିରେ ନିସ୍ତୁକ ପ୍ରହାର କରିଥିଲେ। ଭୟରେ କୌଣସି ଗ୍ରାମବାସୀ ଏହି ଦୁର୍ବୃତ୍ତଙ୍କୁ ଅଟକାଇବାକୁ ସାହସ କରିନଥିଲେ। ଘଟଣାସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଗୁଣି ଗାରେଡି ସନ୍ଦେହରେ ଚାପା ଭଗତ ଓ ତାଙ୍କ ପତ୍ନୀଙ୍କୁ ଆଖପାଖ ଗ୍ରାମର କିଛି ଲୋକ ଲଗାତାର ଧମକ ଦେଉଥିଲେ ବୋଲି ପଡ଼ୋଶୀମାନେ ପ୍ରକାଶ କରିଛନ୍ତି। ହତ୍ୟାର ଶିକାର ହୋଇଥିବା ଅନ୍ୟ ୨ ଜଣଙ୍କୁ ମଧ୍ୟ ଗୁଣି ଗାରେଡି କରୁଥିବା ସନ୍ଦେରେ ପୂର୍ବରୁ ଆକ୍ରମଣ ହୋଇଥିଲା। ଏଥିରେ ପିସ୍‌କାରୀ ଗ୍ରାମର ମଧ୍ୟ କେତେକ ଲୋକଙ୍କ ହାତ ଥିବା ପୁଲିସ ସନ୍ଦେହ କରୁଛି। ଆଜି ସକାଳେ ପୁଲିସ ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଏବଂ ହତ୍ୟାକାରୀମାନଙ୍କୁ ଠାବ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି। ଗୁମଲା ଏସ୍‌ପି ଅଂଜନୀ କୁମାର କହିଛନ୍ତି ଗୁଣି ଗାରେଡି ସନ୍ଦେହରେ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଗତ ମେ’ରେ ମଧ୍ୟ ଗୁମଲା ଜିଲ୍ଲାରେ ଗୋ ମାଂସକୁ କେନ୍ଦ୍ର କରି ଭିଡ଼ ହିଂସା ଯୋଗୁଁ ପ୍ରକାଶ ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା ଏବଂ ୩ ଜଣ ଗୁରୁତର ଆହତ ହୋଇଥିଲେ। ଜୁନ୍‌ ମାସରେ ୨୪ ବର୍ଷୀୟ ତବରେଜ ଅଂସାରୀଙ୍କୁ ଚୋର ସହେନ୍ଦରେ କେତେକ ଗ୍ରାମବାସୀ ପିଟି ପିଟି ହତ୍ୟା କରିଥିଲେ। ଏହି ଘଟଣାର ଭିଡିଓ ଭାଇରାଲ ହେବାପରେ ଦେଶବ୍ୟାପୀ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର