୬୫ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା: ବିନୋଦ ଖାନ୍ନାଙ୍କୁ ଫାଲ୍‌କେ

ନୂଆଦିଲ୍ଲୀ:ନୂଆଦିଲ୍ଲୀର ଶାସ୍ତ୍ରୀଭବନରେ ଆଜି ୬୫ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଥିବା ବେଳେ ଏଥିରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ଅହମିୟା ଭାଷାର ‘ଭିଲେଜ ରକ୍‌ଷ୍ଟାରସ୍‌’, ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଦିବଙ୍ଗତ ଶ୍ରୀଦେବୀ(ମମ୍‌) ଓ ଶ୍ରେଷ୍ଠ ଅଭିନେତା ଭାବେ ରିଦ୍ଧି ସେନ୍‌ (ନଗର କୀର୍ତ୍ତନ)ଙ୍କୁ ଚୟନ କରାଯାଇଛି। ହିନ୍ଦୀ ଚଳଚ୍ଚିତ୍ର ଜଗତରେ ସ୍ମରଣୀୟ ଅବଦାନ ପାଇଁ ଦିବଙ୍ଗତ ଅଭିନେତା ବିନୋଦ ଖାନ୍ନାଙ୍କୁ ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନିତ କରାଯିବ। ଓଡ଼ିଆ ଚଳଚ୍ଚିତ୍ର ‘ହେଲୋ ଆର୍‌ସି’ ସମେତ ଶ୍ରେଷ୍ଠ ଆଞ୍ଚଳିକ ଚଳଚ୍ଚିତ୍ର ପୁରସ୍କାର ତାଲିକାରେ ସାମିଲ ହୋଇଥିବା ୧୨ଟି ଚଳଚ୍ଚିତ୍ରକୁ ମଧ୍ୟ ଚୟନ କରାଯାଇଛି। ଚଳଚ୍ଚିତ୍ର (ଭୟାନକମ୍‌) ପାଇଁ ଜୟରାଜ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ନିମନ୍ତେ ବିବେଚିତ ହୋଇଛନ୍ତି । ସେହିଭଳି ଶ୍ରେଷ୍ଠ ସହ ଅଭିନେତା ଭାବେ ମାଲାୟଲମ୍‌ ଷ୍ଟାର ଫହାଦ୍‌ ଫଜିଲ (ଥୋଣ୍ଡିମୁଥାଲମ୍‌ ଦ୍ରିକ୍ସାକ୍ଷିୟମ) ଓ ବଲିଉଡ ଅଭିନେତ୍ରୀ ଦିବ୍ୟା ଦତ୍ତ(ଇରାଦା)ଙ୍କୁ ଶ୍ରେଷ୍ଠ ସହ ଅଭିନେତ୍ରୀ ପୁରସ୍କାର ପ୍ରଦାନ କରାଯିବ। ଶ୍ରେଷ୍ଠ ହିନ୍ଦୀ ଚଳଚ୍ଚିତ୍ର ଭାବେ ଅଭିନେତା ରାଜ କୁମାର ରାଓଙ୍କ ଅଭିନୀତ ‘ନିଉଟନ୍‌’ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ସଙ୍ଗୀତକାର ଏ.ଆର୍‌.ରେହମାନଙ୍କୁ ‘କତ୍ରୁ ଭେଲିଦାୟୀ’ ଚଳଚ୍ଚିତ୍ରର ସଙ୍ଗୀତ ନିର୍ଦ୍ଦେଶନା ପାଇଁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ପୁରସ୍କାର ପ୍ରଦାନ କରାଯିବ। ଜାତୀୟ ଚଳଚ୍ଚିତ୍ର ପୁରସ୍କାର କମିଟିର ଅଧ୍ୟକ୍ଷ ଶେଖର କପୁର ଆଜିଏହି ଘୋଷଣା କରିଛନ୍ତି।

ଚଳଚ୍ଚିତ୍ର ‘ନିଉଟନ୍‌’ରେ ନିପୁଣ ଅଭିନୟ ପାଇଁ ଅଭିନେତା ପଙ୍କଜ ତ୍ରିପାଠୀଙ୍କୁ ସ୍ୱତନ୍ତ୍ର ପୁରସ୍କାର ପାଇଁ ମନୋନୀତ କରାଯାଇଛି । ଗତବର୍ଷର ସବୁଠୁ ବଡ଼ ବଜେଟ ଚଳଚ୍ଚିତ୍ର ‘ବାହୁବଳୀ-୨’କୁ ଶ୍ରେଷ୍ଠ ଜନପ୍ରିୟ ଚଳଚ୍ଚିତ୍ର ଓ ଶ୍ରେଷ୍ଠ ଆକ୍ସନ ନିର୍ଦ୍ଦେଶନା ଓ ଶ୍ରେଷ୍ଠ ସ୍ପେସାଲ ଇଫେକ୍ଟ ପୁରସ୍କାର ମିଳିବ। ଶ୍ରେଷ୍ଠ ଗୀତିକାର ଭାବେ ଜେ.ଏମ୍‌ ପ୍ରହଲ୍ଲାଦ, ଶ୍ରେଷ୍ଠ ନୃତ୍ୟ ନିର୍ଦ୍ଦେଶକ ଭାବେ ଗଣେଶ ଆଚାର୍ଯ୍ୟ ଏବଂ ଶ୍ରେଷ୍ଠ ଶିଶୁ କଳାକାର ଭାବେ ବନିତା ଦାସ(ଭିଲେଜ ରକ୍‌ଷ୍ଟାର୍‌ସ)ଙ୍କୁ ପୁରସ୍କୃତ କରାଯିବ । ଆସନ୍ତା ୩ ତାରିଖରେ ଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ପୁରସ୍କାର ବିତରଣ କରିବେ।

ସମ୍ବନ୍ଧିତ ଖବର