୩ ବର୍ଷ‌ରେ ୭୩୩ ଆତଙ୍କବାଦୀ ନିପାତ

ଏଲ୍‌ଓସିରେ ଅଛନ୍ତି ୩୦୦ ଆତଙ୍କବାଦୀ

ନୂଆଦିଲ୍ଲୀ : ଜମ୍ମୁ କଶ୍ମୀରରେ ସୁରକ୍ଷାବାହିନୀର ଆତଙ୍କବାଦୀ ନିରୋଧ କାର୍ଯ୍ୟାନୁଷ୍ଠାନରେ ଗତ ୩ ବର୍ଷ ମଧ୍ୟରେ ୭୩୩ ଆତଙ୍କବାଦୀ ନିପାତ ହୋଇଛନ୍ତି। ୨୦୧୯ ଜୁନ୍‌ ୧୬ ସୁଦ୍ଧା ଜମ୍ମୁ କଶ୍ମୀରରେ ୧୧୩ ଆତଙ୍କବାଦୀ ନିପାତ ହୋଇଛନ୍ତି। ୨୦୧୮ ମସିହାରେ ୨୫୭ ଆତଙ୍କବାଦୀ ନିପାତ ହୋଇଥି‌ବାବେଳେ ୨୦୧୭ରେ ୨୧୩ ଏବଂ ୨୦୧୬ରେ ୧୫୦ ଆତଙ୍କବାଦୀ ନିପାତ ହୋଇଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ରିପୋର୍ଟରେ ଏହି ତଥ୍ୟ ଦିଆଯାଇଛି । କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଜି କିଶନ ରେଡ୍ଡି ଲୋକସଭାରେ ମଧ୍ୟ ଏ ବାବଦ ତଥ୍ୟ ରଖିଛନ୍ତି।
ସରକାର ଆତଙ୍କବାଦୀ ଏବଂ ଆତଙ୍କବାଦ କାର୍ଯ୍ୟକଳାପ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏ ବାବଦ କାର୍ଯ୍ୟାନୁଷ୍ଠାନରେ ଗତ ୩ ବର୍ଷ ମଧ୍ୟରେ ୭୩୩ ଆତଙ୍କବାଦୀ ନିପାତ ହୋଇଛନ୍ତି। ସେହିପରି ଆତଙ୍କବାଦୀଙ୍କୁ ସହଯୋଗ କରୁଥିବା ଲୋକମାନଙ୍କ ଉପରେ ମଧ୍ୟ ସରକାର ସତର୍କ ନଜର ରଖିଛନ୍ତି। ୨୦୧୬ରୁ ୨୦୧୮ ମଧ୍ୟରେ ୨୫୩ ଯବାନ ସହିଦ ହୋଇଛନ୍ତି। ୨୦୧୬ରେ ୮୨, ୨୦୧୭ରେ ୮୦ ଏବଂ ୨୦୧୮ରେ ୯୧ ଯବାନ ସହିଦ ହୋଇଥିଲେ। ୨୦୧୮ରେ ଜମ୍ମୁ କଶ୍ମୀରରେ ସମୁଦାୟ ୬୧୪ଟି ଆତଙ୍କବାଦୀ କାର୍ଯ୍ୟକଳାପ ଘଟି ୩୯ ନାଗରିକଙ୍କ ମୃତ୍ୟୁ ହୋଇଛି। ୨୦୧୭ରେ ୩୪୨ ଆତଙ୍କବାଦୀ କାର୍ଯ୍ୟକଳାପରେ ୪୦ ନାଗରିକ ଏବଂ ୨୦୧୬ରେ ୩୨୨ ଆତଙ୍କବାଦୀ କାର୍ଯ୍ୟକଳାପରେ ୧୫ ନାଗରିକଙ୍କ ମୃତ୍ୟୁ ହୋଇଛି। ଜମ୍ମୁ କଶ୍ମୀର ନିୟନ୍ତ୍ରଣ ରେଖା ଅଂଚଳରେ ପାକ୍‌ ଅଧିକୃତ କଶ୍ମୀରରେ ଏବେ ୧୧ଟି ଲଞ୍ଚ୍‌ ପ୍ୟାଡ୍‌ରେ ୩୦୦ ଆତଙ୍କବାଦୀ ସକ୍ରିୟ ଥିବା ଜଣାପଡ଼ିଛି। ବାଲାକୋଟ ବିମାନ ଆକ୍ରମଣ ପରେ ଏହି ଆତଙ୍କବାଦୀମାନେ ଲଞ୍ଚପ୍ୟାଡ୍‌ ଛାଡ଼ି ପଳାଇଥିଲେ। ଏବେ ସେମାନଙ୍କୁ ପାକିସ୍ତାନ ସେନା ଏବଂ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ପୁଣି ଲଞ୍ଚପ୍ୟାଡ୍‌କୁ ଫେରାଇ ଆଣିଛନ୍ତି।

ସମ୍ବନ୍ଧିତ ଖବର