ମୋବାଇଲ୍‌ ସିମ୍‌ ପାଇଁ ଆଧାର ବାଧ୍ୟତାମୂଳକ ନୁହେଁ: ସରକାର

ନୂଆଦିଲ୍ଲୀ: ମୋବାଇଲ୍‌ ସିମ୍‌ ପାଇଁ ଆଧାର କାର୍ଡ ଆଉ ବାଧ୍ୟତାମୂଳକ ନୁହେଁ ବୋଲି ସରକାର ଅପରେଟର୍‌ମାନଙ୍କ ପାଇଁ ନିର୍ଦେଶନାମା ଜାରି କରିଛନ୍ତି। ଆଧାର ପରିବର୍ତ୍ତେ ସେମାନେ ଡ୍ରାଇଭିଙ୍ଗ୍‌ ଲାଇସେନ୍‌ସ୍‌, ପାସ୍‌ପୋର୍ଟ ଏବଂ ଭୋଟର୍‌ ଆଇଡି ଭଳି ବିକଳ୍ପ ପରିଚୟପତ୍ର ଗ୍ରହଣ କରିବାକୁ ସରକାର ସେମାନଙ୍କୁ ଏହି ନିର୍ଦେଶନାମାରେ କହିଛନ୍ତି। ଗ୍ରାହକମାନଙ୍କର ଅସୁବିଧା ନ ହେବା ପାଇଁ ମୋବାଇଲ୍‌ କମ୍ପାନିମାନେ ଯଥା ଶୀଘ୍ର ଉକ୍ତ ନିର୍ଦେଶନାମାକୁ ଅନୁସରଣ କରିବା ଉଚିତ ବୋଲି ଟେଲିକମ୍‌ ସଚିବ ଅନୁରାଗ ସୁନ୍ଦରରାଜନ କହିଛନ୍ତି।

ପୂର୍ବ ନିର୍ଦେଶାବଳୀ ଅନୁଯାୟୀ ମୋବାଇଲ୍‌ କମ୍ପାନିମାନେ ଗ୍ରାହକମାନଙ୍କର ପରିଚୟ ଯାଞ୍ଚ ପାଇଁ ଆଧାର ଉପରେ ନିର୍ଭର କରୁଛନ୍ତି। ଲୋକନୀତି ଫାଉଣ୍ଡେସନ୍‌ ମାମଲାରେ ସୁପ୍ରିମ୍‌ କୋର୍ଟଙ୍କ ପର୍ଯ୍ୟବେକ୍ଷଣ ଆଧାରରେ ଟେଲିକମ୍‌ ମନ୍ତ୍ରାଳୟ ଏ ଭଳି ନିର୍ଦେଶ ଦେଇଥିବା କଥା କହିଛି। କିନ୍ତୁ ସେ ଭଳି କୌଣସି ନିର୍ଦେଶ ଦେଇ ନ ଥିବା କଥା ଏବେ ସୁପ୍ରମ୍‌ କୋର୍ଟ ସ୍ପଷ୍ଟ କରିଛନ୍ତି।

ଆଧାର ମାମଲା କେବଳ ସ୍ଥାନୀୟ ବାସିନ୍ଦା ନୁହେଁ, ଦେଶକୁ ଆସୁଥିବା ପ୍ରବାସୀ ଭାରତୀୟ ଏବଂ ବିଦେଶୀମାନଙ୍କୁ ମଧ୍ୟ ପ୍ରଭାବିତ କରିଛି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଆଧାର କାର୍ଡ ନ ଥିବାରୁ ମୋବାଇଲ୍‌ କମ୍ପାନିମାନଙ୍କର ଖୁଚୁରା ବିକ୍ରେତାଗଣ ସେମାନଙ୍କୁ ସିମ୍‌ କାର୍ଡ ଦେବାକୁ ମନା କରୁଥିଲେ। ଏ ବାବଦରେ ମୋବାଇଲ୍‌ ଅପରେଟର୍‌ମାନେ ମନ୍ତବ୍ୟ ଦେବାକୁ ଏ ପର୍ଯ୍ୟନ୍ତ ମନା କରିଛନ୍ତି। କିନ୍ତୁ, ଅଧିକାରୀଙ୍କ ସୂତ୍ରରୁ ଜଣାପଡ଼ିଛି ଯେ ସରକାର ଏହାକୁ ବଡ଼ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି।

ସମ୍ବନ୍ଧିତ ଖବର