କରୁଣାନିଧିଙ୍କ ଦେହାନ୍ତ ପରେ:ପରିବାରରେ କ୍ଷମତା ଲଢ଼େଇ ଆରମ୍ଭ

ପିତାଙ୍କ ସମର୍ଥକ ମୋ ସହ ଅଛନ୍ତି: ଆଲାଗିରି

ଚେନ୍ନାଇ: ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ମୁଖ୍ୟ ଏମ୍‌ କରୁଣାନିଧିଙ୍କ ପରଲୋକ ଘଟିବାର ସପ୍ତାହେ ନପୂରୁଣୁ ତାଙ୍କ ପରିବାର ମଧ୍ୟରେ ରାଜନୈତିକ କ୍ଷମତାକୁ ନେଇ ଲଢ଼େଇ ଆରମ୍ଭ ହୋଇଯାଇଛି। ୨୦୧୪ରୁ ଦଳରୁ ବହିଷ୍କୃତ ହୋଇଥିବା କରୁଣାନିଧିଙ୍କ ପୁଅ ଏମ୍‌ କେ ଆଲାଗିରି ଏବେ ପିତାଙ୍କ ଅସଲି ଉତ୍ତରାଧିକାରୀ ବୋଲି ଦାବି କରିଛନ୍ତି। ସେ କହିଛନ୍ତି ପିତା କରୁଣାନିଧିଙ୍କ ସମର୍ଥକମାନେ ତାଙ୍କ ସହ ଅଛନ୍ତି। ଏମିତି କି ପିତାଙ୍କ ସଂପର୍କୀୟମାନେ ମଧ୍ୟ ତାଙ୍କୁ ସମର୍ଥନ କରନ୍ତି ବୋଲି ଆଲାଗିରି ଦାବି କରିଛନ୍ତି।
ଉଲ୍ଲେଖଯୋଗ୍ୟ, କରୁଣାନିଧିଙ୍କ ପରଲୋକ ଘଟିବା ପରେ ପ୍ରଥମ ଥର ପାଇଁ ଡିଏମ୍‌କେ କାର୍ଯ୍ୟକାରିଣୀ କମିଟିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ମଙ୍ଗଳବାର ବସିବାକୁ ଯାଉଛି। ଏଥିରେ ଦଳର କାର୍ଯ୍ୟକାରୀ ମୁଖ୍ୟ ତଥା କରୁଣାନିଧିଙ୍କ ସାନପୁଅ ଏମ୍‌ କେ ଷ୍ଟାଲିନ୍‌ ଅଧ୍ୟକ୍ଷତା କରିବେ ବୋଲି ଜଣାପଡ଼ିଛି। ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସ୍ୱରୂପ ଷ୍ଟାଲିନ୍‌ଙ୍କୁ ଦଳର ସୁପ୍ରିମୋ କରାଯାଇପାରେ ବୋଲି କଳ୍ପନାଜଳ୍ପନା ପ୍ରକାଶ ପାଇଛି। ଫଳରେ ଆଲାଗିରି ପ୍ରତିକ୍ରିୟାଶୀଳ ହୋଇପଡ଼ିଛନ୍ତି। ଏହାକୁ ନେଇ ପରିବାର ମଧ୍ୟରେ କ୍ଷମତା ଲଢ଼େଇ ତୀବ୍ରତର ହେବ ବୋଲି ଆଶଙ୍କା କରାଯାଉଛି। ଆଲାଗିରି କହିଛନ୍ତି, ମୋ ପିତାଙ୍କର ପ୍ରକୃତ ସଂପର୍କୀୟମାନେ ମୋ ସପକ୍ଷରେ ଅଛନ୍ତି। ତାମିଲନାଡୁରେ ଥିବା ଦଳର ସମସ୍ତ ସମର୍ଥକ ମଧ୍ୟ ମୋ ସପକ୍ଷରେ ଥିବା ସହିତ ମୋତେ ଉତ୍ସାହିତ କରୁଛନ୍ତି। ତେବେ କେବଳ ସମୟ ହିଁ ଜବାବ ଦେଇପାରିବ। ବର୍ତ୍ତମାନ ମୁଁ କେବଳ ଏତିକି କହିପାରିବି। ଉଲ୍ଲେଖଯୋଗ୍ୟ, ରାଜ୍ୟର ଦକ୍ଷିଣ ଭାଗରେ ଦଳକୁ ଶକ୍ତିଶାଳୀ କରିଥିବା ଆଲାଗିରିଙ୍କୁ ତାଙ୍କ ବିଶୃଙ୍ଖଳିତ ଆଚରଣ ପାଇଁ ୨୦୧୪ ଲୋକସଭା ନିର୍ବାଚନ ପୂର୍ବରୁ ବହିଷ୍କାର କରାଯାଇଥିଲା। କରୁଣାନିଧିଙ୍କ ମୃତ୍ୟୁ ପରେ ସେ ଷ୍ଟାଲିନ୍‌ ଓ ଭଉଣୀ କାନିମୋଝିଙ୍କ ସହ ମିଶିପାରିଥିଲେ। ମଙ୍ଗଳବାର ବୈଠକରେ କାନିମୋଝିଙ୍କୁ ମଧ୍ୟ ପଦୋନ୍ନତି ମିଳିପାରେ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର