ପୁଣି କାଷ୍ଟିଂ କାଉଚକୁ ନେଇ ତେଜିଲା ବିବାଦ : ମୁହଁ ଖୋଲିଲେ ତାପସୀ

ମୁମ୍ବାଇ: ପୁଣିଥରେ ଚଳଚ୍ଚିତ୍ର ଜଗତରେ କାଷ୍ଟିଂ କାଉଚକୁ ନେଇ ବିବାଦ ସୃଷ୍ଟି ହୋଇଛି। ବଲିଉଡ ଅଭିନେତ୍ରୀ ତାପସୀ ପନ୍ନୁ ଇଣ୍ଡଷ୍ଟ୍ରିରେ କାଷ୍ଟିଂ କାଉଚ୍‌ ଚାଲିଥିବା ବିଷୟକୁ ସ୍ୱୀକାର କରିଛନ୍ତି। କିନ୍ତୁ ଲଜ୍ଜା ଭୟରେ ଅନେକ ଏ ନେଇ ମୁହଁ ଖୋଲୁନାହାନ୍ତି ବୋଲି ସେ କହିଛନ୍ତି। ତେବେ ସୌଭାଗ୍ୟ କିମ୍ବା ଦୁର୍ଭାଗ୍ୟ ବଶତଃ ସେ କାଷ୍ଟିଂ କାଉଚ୍‌ର ଶିକାର ହୋଇନାହାନ୍ତି। ଏହା ହୋଇଥିଲେ ସେ ଏହା ବିରୋଧରେ ନିଶ୍ଚିତ ମୁହଁ ଖୋଲିଥାନ୍ତେ ବୋଲି କହିଛନ୍ତି।
ଏକ ସାକ୍ଷାତକାରରେ ସେ କହିଛନ୍ତି ଯେ ଅନେକ ନବାଗତା କାଷ୍ଟିଂ କାଉଚ୍‌ର ଶିକାର ହେଉଥିଲେ ମଧ୍ୟ ଲଜ୍ଜା ଭୟରେ ମୁହଁ ଖୋଲୁ ନାହାନ୍ତି। କାରଣ ଯିଏ ମୁହଁ ଖୋଲିବ ତାଙ୍କ କ୍ୟାରିୟର ବାଧାପ୍ରାପ୍ତ ହେବ। ଅନେକ ଲୋକ ତାଙ୍କୁ ସମର୍ଥନ ମଧ୍ୟ କରିବେ ନାହିଁ। ଶସ୍ତା ଲୋକପ୍ରିୟତା ହାସଲ ପାଇଁ ଏପରି କରାଯାଉଛି ବୋଲି ଅଭିଯୋଗ ଆସିବ। ସଂପୃକ୍ତ ମହିଳାଙ୍କର ନୈତିକତା ଏବଂ ଚରିତ୍ର ଉପରେ ମଧ୍ୟ ପ୍ରଶ୍ନ ଉଠିବ ବୋଲି ତାପସୀ କହିଛନ୍ତି। ହଲିଉଡ୍‌ରେ ଯୌନ ଶୋଷଣକାରୀଙ୍କ ନାମ ଉଲ୍ଲେଖ କରି ସେମାନଙ୍କୁ ଲଜ୍ଜିତ କରିବାର ବ୍ୟବସ୍ଥା ହୋଇ ପାରୁଥିବା ବେଳେ ବଲିଉଡ୍‌ରେ ଏ ପର୍ଯ୍ୟନ୍ତ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ଏ ନେଇ ନିରବ ଅଛନ୍ତି ବୋଲି ତାପସୀ କହିଛନ୍ତି।

ଯେତେବେଳେ ବି କୌଣସି ଇଣ୍ଡଷ୍ଟ୍ରିରେ କ୍ଷମତାର ପ୍ରୟୋଗରେ କିଛି ଭୁଲ କାର୍ଯ୍ୟ ହୁଏ ସେତେବେଳେ ଏହା ଚର୍ଚ୍ଚାର ପରିସରକୁ ଆସିଥାଏ। ବଲିଉଡ ଇଣ୍ଡଷ୍ଟ୍ରିରେ କାଷ୍ଟିଂ କାଉଚ ସେହିଭଳି ପ୍ରସଙ୍ଗ ଯାହା ଅନେକ ସମୟରେ ଚର୍ଚ୍ଚାର ପରିସରକୁ ଆସିଛି। ବର୍ଷିୟାନ ଅଭିନେତା ତଥା ବିଜେପି ନେତା ଶତ୍ରୁଘ୍ନ ସିହ୍ନା ମଧ୍ୟ ଏହାକୁ ସ୍ୱୀକାର କରିଛନ୍ତି। ସୁଟିଂ ସମୟରେ ଅଭିନେତ୍ରୀମାନଙ୍କୁ ଅନେକ ସମୟ ଟିମ୍‌ ସହ ରହିବାକୁ ପଡ଼ୁଥିବା ବେଳେ କିଛି ଲୋକ ଏହାର ଫାଇଦା ଉଠାଇବାକୁ ଚେଷ୍ଟା କରନ୍ତି ବୋଲି କିଛି ଦିନ ତଳେ ଅଭିନେତ୍ରୀ ଆଲିଆ ଭଟ୍ଟ କହିଥିଲେ।

ସମ୍ବନ୍ଧିତ ଖବର