ରାହୁଲଙ୍କୁ ଅମିତ ଶାହଙ୍କ କଟାକ୍ଷ ଏବେ ଇଟାଲିରେ ନିର୍ବାଚନ ଚାଲିଛି

ନୂଆଦିଲ୍ଲୀ: ପୂର୍ବାଞ୍ଚଳ ନିର୍ବାଚନରେ ଆଶାତୀତ ସଫଳତା ହାସଲ କରିବା ପରେ ବିଜେପି ଅଧ୍ୟକ୍ଷ ଅମିତ ଶାହ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପ୍ରତି ତୀବ୍ର କଟାକ୍ଷ କରିଛନ୍ତି। ଏବେ ଇଟାଲିରେ ସଂପର୍କୀୟଙ୍କ ଗହଣରେ ଥିବା ରାହୁଲଙ୍କ ସଂପର୍କରେ ଏକ ପ୍ରଶ୍ନର ଜବାବରେ ଶାହ କହିଥିଲେ ଯେ ଏବେ ବୋଧହୁଏ ଇଟାଲିରେ ନିର୍ବାଚନ ଚାଲିଛି। ଏ ବାବଦରେ ସେ ଏକ ହ୍ଵାଟ୍‌ସଆପ୍‌ ବାର୍ତ୍ତା ପାଇଥିଲେ ବୋଲି କହିଛନ୍ତି। ଦେଶରେ ରାହୁଲଙ୍କ ବାରମ୍ବାର ଅନୁପସ୍ଥିତି ସଂପର୍କରେ ଲୋକଙ୍କୁ ଜଣାଇବାକୁ ଶାହ ଅତ୍ୟନ୍ତ ଚତୁରାତର ସହ ଇଟାଲି ନିର୍ବାଚନ କଥା ଉଠାଇଥିଲେ। ଏହି ଅବସରରେ ସେ କହିଥିଲେ ଯେ ବାମଦଳଗୁଡ଼ିକ ଦେଶର କୌଣସି ଅଂଚଳ ପାଇଁ ମଧ୍ୟ ଉପଯୁକ୍ତ ନୁହନ୍ତି। ତ୍ରିପୁରାରେ ବାମମେଣ୍ଟ ଦ୍ୱାରା ସୃଷ୍ଟି କରାଯାଇଥିବା ଭୟ, ହିଂସା ଓ ଆତଙ୍କ ଭିତରେ ବିଜେପି କର୍ମୀମାନେ ଅତ୍ୟନ୍ତ ନିଷ୍ଠାର ସହ ପରିଶ୍ରମ କରି ଲୋକଙ୍କ ହୃଦୟ ଜିଣିଛନ୍ତି ଏବଂ ତାହାର ପରିଣାମ ବିଜେପିକୁ ମିଳିଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶ ଏଜେଣ୍ଡାକୁ ପୂର୍ବାଞ୍ଚଳ ଜନତା ଆଦରି ନେଇଛନ୍ତି ଏବଂ ଏବେ ଏହି ଅଂଚଳ ବିକାଶର ନୂଆ ଦିଗନ୍ତକୁ ଛୁଇଁବ ବୋଲି ସେ କହିଛନ୍ତି। ଦେଶର ବିକାଶର ମୁଖ୍ୟସ୍ରୋତରେ ସମାନ ଭାବେ ପୂର୍ବାଞ୍ଚଳକୁ ସାମିଲ କରିବା ପାଇଁ ପ୍ରଧାନମନ୍ତ୍ରୀ ସର୍ବଦା ସ୍ୱପ୍ନ ଦେଖିଆସିଛନ୍ତି ଏବଂ ଏବେ ଏହା ତ୍ୱରାନ୍ଵିତ ହେବ ବୋଲି ସେ କହିଛନ୍ତି। ଦଳ ପାଇଁ ଏବେ ସୁବର୍ଣ୍ଣ ସମୟ ଆସିଛି କି ବୋଲି ପ୍ରଶ୍ନର ଜବାବରେ ଶାହ କହିଥିଲେ ଯେ ଓଡ଼ିଶା, ପଶ୍ଚିମବଂଗ ଏବଂ କେରଳରେ ଦଳ କ୍ଷମତାକୁ ନ ଆସିବା ପର୍ଯ୍ୟନ୍ତ ବିଜେପିର ସୁବର୍ଣ୍ଣ ସମୟ ଆରମ୍ଭ ହୋଇପାରିବ ନାହିଁ। ଆଗାମୀ କର୍ଣ୍ଣାଟକ ନିର୍ବାଚନରେ ଦଳକୁ ବିପୁଳ ବିଜୟ ମିଳିବ ବୋଲି ଶାହ କହିଛନ୍ତି।

ସମ୍ବନ୍ଧିତ ଖବର