ଅମିତ ଶାହଙ୍କ ସମ୍ପତ୍ତିର ମୂଲ୍ୟ ୩୦.୫ କୋଟି, ୯ ବର୍ଷରେ ୩ ଗୁଣ ବୃଦ୍ଧି

ନୂଆଦିଲ୍ଲୀ: ବିଜେପି ସଭାପତି ଅମିତ ଶାହଙ୍କ ସମ୍ପତ୍ତି ବିଗତ ୯ ବର୍ଷରେ ୩ ଗୁଣ ବୃଦ୍ଧି ପାଇଛି। ଗତକାଲି ଗାନ୍ଧୀନଗର ଆସନରୁ ପ୍ରାର୍ଥୀପତ୍ର ଦାଖଲ କରିଥିବା ଶାହ ତାଙ୍କର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୩୦.୫ କୋଟି ବୋଲି ଦର୍ଶାଇଛନ୍ତି। ତାଙ୍କ ପତ୍ନୀ ସୋନଲବେନଙ୍କ ସମ୍ପତ୍ତିର ମୂଲ୍ୟ ହେଉଛି ୮.୩୫ କୋଟି। ଶାହ କରିଥିବା ସତ୍ୟପାଠ ଅନୁଯାୟୀ ସେ ଓ ତାଙ୍କ ପତ୍ନୀଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତିର ମୂଲ୍ୟ ପ୍ରାୟ ୩୮.୮୧ କୋଟି ଟଙ୍କା। ୨୦୧୨ ମସିହାରେ ଶାହ ଦମ୍ପତିଙ୍କ ସମ୍ପତ୍ତିର ମୂଲ୍ୟ ଥିଲା ୧୧.୭୯ କୋଟି ଟଙ୍କା। ଏଥିରେ ପୈତୃକ ସମ୍ପତ୍ତି ମଧ୍ୟ ଅନ୍ତର୍ଭୂକ୍ତ। ନାମାଙ୍କନ ଦାଖଲ କରିଥିବା ତଥ୍ୟ ଅନୁଯାୟୀ ଶାହଙ୍କ ନିକଟରେ ନଗଦ ୨୦,୬୩୩ ଟଙ୍କା ଅଛି। ସେହିପରି ତାଙ୍କ ପତ୍ନୀଙ୍କ ପାଖରେ ନଗଦ ୭୨,୫୭୮ ଟଙ୍କା ରହିଛି। ସେହିପରି ଉଭୟଙ୍କ ନାମରେ ୨୭.୮୦ ଲକ୍ଷ ଟଙ୍କାର ବ୍ୟାଙ୍କ୍‌ ଜମା ଓ ୯.୮୦ ଲକ୍ଷ ଟଙ୍କାର ସ୍ଥାୟୀ ଜମା ରହିଛି। ପତ୍ନୀଙ୍କ ସମ୍ପତ୍ତି ୨୦୧୩-୧୪ ମସିହାରେ ୧୪ ଲକ୍ଷ ୫୫ ହଜାର ୬୩୭ ଟଙ୍କା ଥିବା ବେଳେ ୨୦୧୭-୧୮ରେ ଏହା ୨ କୋଟି ୩୦ ଲକ୍ଷରେ ପହଞ୍ଚିଥିଲା। ଶାହଙ୍କ ପତ୍ନୀଙ୍କ ସମ୍ପତ୍ତି ୫ ବର୍ଷରେ ୧୬ ଗୁଣ ବଢ଼ିଛି। ଶାହ ତାଙ୍କ ରୋଜଗାରର ଉତ୍ସ ଭାବେ ସାଂସଦ ଦରମା ଓ ସମ୍ପତ୍ତିରୁ ମିଳୁଥିବା ଭଡ଼ାକୁ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର