ସୀମାରେ ଗୁଳିବର୍ଷା: ୪ ଯବାନ ସହିଦ

ଶ୍ରୀନଗର: ଜମ୍ମୁ କଶ୍ମୀର ନିୟନ୍ତ୍ରଣ ରେଖା ଅଂଚଳର ରାମଗଡ଼ ସେକ୍ଟରଠାରେ ଆଜି ପାକିସ୍ତାନ ପୁଣିଥରେ ଅସ୍ତ୍ରବିରତି ଉଲ୍ଲଂଘନ କରି ଆଖିବୁଜା ଗୁଳିମାଡ଼ କରିଛି। ପାକିସ୍ତାନ ସେନାର ଏହି ଗୁଳିମାଡ଼ରେ ୪ ଜଣ ବିଏସଏଫ ଯବାନ ସହିଦ ହୋଇଥିବା ବେଳେ ୩ ଜଣ ଯବାନଙ୍କ ସମେତ ୫ଜଣ ଗୁରୁତର ଆହତ ହୋଇଛନ୍ତି। ଆହତ ଯବାନଙ୍କୁ ଶ୍ରୀନଗର ସେନା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ସହିଦଙ୍କ ମଧ୍ୟରେ ଜଣେ ସହକାରୀ କାମାଣ୍ଡାଣ୍ଟ, ଜଣେ ସବ-ଇନ୍ସପେକ୍ଟର ଏବଂ ଦୁଇଜଣ ବିଏସ୍‌ଏଫ ଯବାନ ଥିବା ଆଇଜି ରାମ ଅବତାର କହିଛନ୍ତି। ସୀମାରେ ଶାନ୍ତି ସ୍ଥାପନ ସହ ଅସ୍ତ୍ରବିରତି ପାଳନ କରିବା ପାଇଁ ପାକ୍‌ ରେଞ୍ଜର୍ସ ପ୍ରତିଶ୍ରୁତି ଦେଇଥିଲା। ଏହା ସହିତ ନିକଟରେ ହୋଇଥିବା ଡିଜିଏମଓ ଓ ଫ୍ଳାଗ୍‌ ବୈଠକରେ ମଧ୍ୟ ପାକିସ୍ତାନ ୨୦୦୩ ଅସ୍ତ୍ରବିରତି ନିୟମ ପାଳନ କରିବ ବୋଲି କହିଥିଲା। ତେବେ ବାରମ୍ବାର ପାକିସ୍ତାନ ପ୍ରତିଶ୍ରୁତି ଦେଇ ଏଭଳି ଅସ୍ତ୍ରବିରତି ଉଲ୍ଳଂଘନ କରିଚାଲିଥିବାରୁ ଏହାକୁ ନେଇ ଭାରତୀୟ ସେନା କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ମିଳିଥିବା ଖବର ମୁତାବକ, ରାମଗଡ଼ ସେକ୍ଟର ଚାମଲିୟାଲ ପୋଷ୍ଟ ନିକଟରେ ଗତରାତି ସାଢେ ୧୦ଟାରୁ ଭୋର ୪ଟା ଯାଏଁ ପାକିସ୍ତାନ ପକ୍ଷରୁ ଆଖିବୁଜା ଗୁଳିମାଡ ହୋଇଥିଲା। ଡିଜିଏମ୍‌ଓ ବୈଠକ ପରେ ଚଳିତମାସରେ ଏହା ଦ୍ୱିତୀୟ ବଡ଼ ଧରଣର ଅସ୍ତ୍ର ବିରତି ଉଲ୍ଲଂଘନ। ଜୁନ୍‌ ୩ ତାରିଖରେ ପ୍ରଗଓ୍ଵାଲ,କକାନଚକ୍‌ ସେକ୍ଟରରେ ପାକ୍‌ ସେନାର ଗୁଳିମାଡ଼ରେ ୨ଜଣ ବିଏସ୍‌ଏଫ୍‌ ଯବାନ ସହିଦ ହୋଇଥିଲେ ଓ ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିଲେ। ଚଳିତ ବର୍ଷ ଏଯାବତ୍‌ ପାକ୍‌ ଗୁଳିମାଡ଼ରେ ୨୪ ଜଣ ଯବାନଙ୍କ ସହ ମୋଟ ୫୦ ଜଣଙ୍କର ମୃତ୍ୟୁ ହେଲାଣି। ପାକିସ୍ତାନର ଏଭଳି ବାରମ୍ବାର ଅସ୍ତ୍ର ବିରତି ଉଲ୍ଲଂଘନ ପରେ ସୀମାନ୍ତ ଗ୍ରାମଗୁଡ଼ିକରେ ରହୁଥିବା ଲୋକେ ଭୟଭୀତ ହୋଇ ଗ୍ରାମ ଛାଡ଼ି ସେନା କ୍ୟାମ୍ପ ଗୁଡ଼ିକୁ ଚାଲି ଯାଇଥିଲେ। କିନ୍ତୁ ଉଭୟ ଡିଜିଏମ୍‌ଓ ଓ ଫ୍ଲାଗ ବୈଠକ ପରେ ସୀମାରେ ଶାନ୍ତି ଫେରିବା ଆଶାରେ ସେମାନେ ଘରକୁ ଫେରିଥିଲେ। ଏବେ ସୀମାରେ ପୁଣି ଉତ୍ତେଜନା ଭୟଙ୍କର ରୂପ ନେଇଥିବାରୁ ଆତଙ୍କ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର