ବାଂଲାଦେଶରେ ଦୁଇ ଟ୍ରେନ ମୁହାଁମୁହିଁ, ୧୫ ଯାତ୍ରୀଙ୍କର ମୃତ୍ୟୁ

ଢାକା: ବାଂଲାଦେଶର ବ୍ରହ୍ମଣବାଡିଆରେ ଦୁଇଟି ଯାତ୍ରୀବାହୀ ଟ୍ରେନ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି | ଏଥିରେ ୧୫ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଯାଇଛି | ମିଳିଥିବା ସୂଚନା ମୁତାବକ ସିଲହଟରୁ ଚାଟଗାଁ ଯାଉଥିବା ଉଦୟନ ଏକ୍ସପ୍ରେସ ସହ ଚାଟଗାଁରୁ ଢାକା ଯାଉଥିବା ଟୁର୍ଣ୍ଣା ନିଶିତ ଏକ୍ସପ୍ରେସ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା | ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୯ ଜଣଙ୍କର ମୃତ୍ୟୁ ହୋଇଯାଇଥିବାବେଳେ ଅନ୍ୟ ୬ ଜଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଯାଇଥିଲା | ଏହି ଦୁର୍ଘଟଣା ପରେ ଚାଟଗାଁ ଓ ସିଲହଟ ମଧ୍ୟରେ ରେଳ ଚଳାଚଳ ପ୍ରଭାବିତ ହୋଇଛି |

ଏହି ଦୁର୍ଘଟଣାରେ ୨୮ ଜଣ ଗୁରୁତର ଭାବେ ଆହତ ହୋଇଥିବାରୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି | ଗତକାଲି ତେଲେଙ୍ଗାନାର ହାଇଦ୍ରାବାଦ୍‌ର କଚେଗୁଡ଼ା ରେଳ ‌ଷ୍ଟେସନ୍‌ରେ ଦୁଇଟି ଟ୍ରେନ୍‌ ମୁହାଁମୁହିଁ ଧକ୍କା ହୋଇ ୧୨ ଜଣ ଯାତ୍ରୀ ଆହତ ହୋଇଥିଲେ ।

ହାଇଦ୍ରାବାଦ୍‌ର କଚେଗୁଡ଼ା-ମଲକ‌ପେଟ୍‌ ରେଳ ଷ୍ଟେସନ୍‌ ମଧ୍ୟରେ ଗତକାଲି ସକାଳ ୧୦.୩୦ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଏକ ଲୋକାଲ ଏମ୍‌ଏମ୍‌ଟିଏସ୍‌ ଟ୍ରେନ୍‌ ଫଲକନୁମାରୁ ସିକନ୍ଦରବାଦ୍‌ ଅଭିମୁଖେ ଯାତ୍ରା କରୁଥିବାବେଳେ ସେହି ସମାନ ଟ୍ରାକ୍‌ରେ ଏକ ଇଣ୍ଟରସିଟି ଏକ୍ସପ୍ରେସ୍‌ ‌ଟ୍ରେନ୍‌ ସହ ଧକ୍କା ହୋଇଥିଲା‌। ଭୁଲ୍‌ ସିଗ୍‌ନାଲ୍‌ ଯୋଗୁଁ ଏହି ଦୁର୍ଘଟଣା ହୋଇଥିଲା।

ସମ୍ବନ୍ଧିତ ଖବର