ରହିବା ପାଇଁ ଭୁବନେଶ୍ୱର ପସନ୍ଦର ସହର

ପୁଣେ ସବୁଠୁ ପସନ୍ଦର ସହର, ଇଜ୍‌ ଅଫ୍‌ ଲିଭିଙ୍ଗ୍‌ ଇଣ୍ଡେକ୍ସରେ ଭୁବନେଶ୍ୱର ୧୮ ଓ ରାଉରକେଲା ୮୭ତମ ସ୍ଥାନରେ

ଭୁବନେଶ୍ୱର/ନୂଆଦିଲ୍ଲୀ: ଦେଶର କେଉଁ ସହର ଲୋକଙ୍କ ପାଇଁ ରହିବା ବାସଉପଯୋଗୀ ତାହା ଜାଣିବା ପାଇଁ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଇଜ୍‌ ଅଫ୍‌ ଲିଭିଙ୍ଗ୍‌ ଇଣ୍ଡେକ୍ସ ପ୍ରତିଯୋଗିତା ହୋଇଥିଲା। ଏଥିରେ ଦେଶର ୧୧୧ଟି ସହରର ସଂସ୍ଥାଗତ, ସାମାଜିକ ବ୍ୟବସ୍ଥା, ଅର୍ଥନୀତି ଏବଂ ଭିତ୍ତିଭୂମିକୁ ନେଇ ମାର୍କ ଦିଆଯାଇଥିଲା। ଏହି ସର୍ଭେରେ ପୁଣେ ସବୁଠୁ ବାସଉପଯୋଗୀ ସହର ହୋଇଥିବା ବେଳେ ସ୍ମାର୍ଟ ସିଟି ପ୍ରତିଯୋଗିତାରେ ଏକ ନମ୍ବର ସ୍ଥାନ ହାସଲ କରିଥିବା ଭୁବନେଶ୍ୱର ୧୮ତମ ସ୍ଥାନରେ ରହିଛି। ଭୁବନେଶ୍ୱର ନୂଆଦିଲ୍ଲୀ ଭଳି ସହରକୁ ପଛରେ ପକାଇ ଦେଇଛି। ନୂଆଦିଲ୍ଲୀ ଏହି ତାଲିକାରେ ୬୫ତମ ସ୍ଥାନରେ ରହିଛି। ଓଡ଼ିଶାର ଅନ୍ୟତମ ସହର ରାଉରକେଲା ୮୭ତମ ସ୍ଥାନରେ ରହିଛି। ଉତ୍ତରପ୍ରଦେଶର ରାମପୁର ଏହି ତାଲିକାରେ ଶେଷ ସ୍ଥାନରେ ଅଛି। ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ମନ୍ତ୍ରୀ ହରଦୀପ୍‌ ସିଂହ ପୁରୀ ଆଜି ନୂଆଦିଲ୍ଲୀରେ ଏହି ର‍୍ୟାଙ୍କ୍‌ ଘୋଷଣା କରିଛନ୍ତି। ୧୧୧ ସହର ମଧ୍ୟରେ ଭୁବନେଶ୍ୱର ୧୮ତମ ସ୍ଥାନରେ ରହିବା ଭଲ ର‍୍ୟାଙ୍କ୍‌ ବୋଲି କୁହାଯାଉଛି। ଏହି ସର୍ଭେରେ ସଂସ୍ଥାଗତ ଶ୍ରେଣୀ ଅଧୀନରେ ପ୍ରଶାସନିକ ବ୍ୟବସ୍ଥା ଥିବାବେଳେ ଏଥିରେ ୨୫% ମାର୍କ ଥିଲା। ଭୁବନେଶ୍ୱର ଏଥିରେ ୨୫ତମ ସ୍ଥାନରେ ଥିବାବେଳେ ରାଉରକେଲା ୯୫ ତମ ସ୍ଥାନରେ ରହିଛି।

ସାମାଜିକ ବ୍ୟବସ୍ଥା ଶ୍ରେଣୀରେ ସହରର ପରିଚୟ ଓ ସଂସ୍କୃତି, ଶିକ୍ଷା ବ୍ୟବସ୍ଥା, ସ୍ୱାସ୍ଥ୍ୟ ବ୍ୟବସ୍ଥା, ସୁରକ୍ଷା ଓ ନିରପତ୍ତା ପାଇଁ ୨୫% ମାର୍କ ଥିବା ବେଳେ ଭୁବନେଶ୍ୱର ୧୩ତମ ଓ ରାଉରକେଲା ୬୫ତମ ସ୍ଥାନରେ ରହିଛି। ଅର୍ଥନୀତିରେ ସହରର ଅର୍ଥନୀତି ଏବଂ ନିଯୁକ୍ତି ସୁଯୋଗ ଉପରେ ୫% ମାର୍କ ଦିଆଯାଇଥିବା ବେଳେ ଭୁବନେଶ୍ୱର ୧୮ତମ ଓ ରାଉରକେଲା ୮୯ତମ ସ୍ଥାନରେ ରହିଛି। ସବୁଠୁ ଗୁରୁତ୍ୱପୂର୍ଣ୍ଣ ସହରର ଭିତ୍ତିଭୂମି ଓ ସୁବିଧା ସୁଯୋଗରେ ଗୃହ ଓ ସମଗ୍ରତା, ଲୋକଙ୍କ ଖୋଲା ସ୍ଥାନ, ଜମିର ମିଶ୍ରିତ ଉପଯୋଗ ଏବଂ କମ୍ପାକ୍ଟନେସ୍‌, ବିଦ୍ୟୁତ ଯୋଗାଣ, ପରିବହନ ଓ ଗମନାଗମନ ବ୍ୟବସ୍ଥା, ଜଳ ଯୋଗାଣ, ବର୍ଜ୍ୟ ପରିଚାଳନା, କଠିନ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ପ୍ରଦୂଷଣ କମାଇବା ପାଇଁ ନିଆଯାଉଥିବା ପଦକ୍ଷେପ ରହିଥିବାବେଳେ ଏଥିରେ ସର୍ବାଧିକ ୪୫% ମାର୍କ ଦିଆଯାଇଛି। ଏଥିରେ ଭୁବନେଶ୍ୱର ୧୯ତମ ସ୍ଥାନରେ ରହିଥିବାବେଳେ ରାଉରକେଲା ୮୧ତମ ସ୍ଥାନରେ ରହିଛି।

ସୂଚନାଯୋଗ୍ୟ ଯେ, ଏହି ସର୍ଭେର ଶ୍ରେଷ୍ଠ ୧୦ ସହରରେ ମହାରାଷ୍ଟ୍ରର ୪ଟି ସହର ରହିଛି। କେନ୍ଦ୍ର ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଗତ ବର୍ଷ ଜୁନ୍‌ରେ ସହରଗୁଡ଼ିକର ବସବାସ କରିବାର ବିଭିନ୍ନ ସୁବିଧା ସୁଯୋଗକୁ ନେଇ ର‍୍ୟାଙ୍କିଂ କରିବାର ଯୋଜନା ହୋଇଥିଲା। ଚଳିତବର୍ଷ ଜୁନ୍‌ ୧୯ରେ ଦେଶର ୧୧୧ଟି ସହରରେ ଏହି ର‍୍ୟାଙ୍କିଂ ପାଇଁ କାର୍ଯ୍ୟ ଆରମ୍ଭ ହୋଇଥିଲା। ମୋଟ୍‌ ୧୫ଟି କ୍ୟାଟେଗୋରିରେ ୭୮ଟି ସୂଚକାଙ୍କୁ ନେଇ ର‍୍ୟାଙ୍କିଂ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର