ସୋମନାଥ ଚାଟାର୍ଜୀଙ୍କ ପରଲୋକ

ନୂଆଦିଲ୍ଲୀ: ପୂର୍ବତନ ଲୋକସଭା ବାଚସ୍ପତି ତଥା ମାର୍କ୍ସବାଦୀ ନେତା ସୋମନାଥ ଚାଟାର୍ଜୀଙ୍କର ସୋମବାର ପରଲୋକ ହୋଇଛି। ଦୀର୍ଘଦିନ ଧରି କିଡ୍‌ନି ରୋଗରେ ପୀଡ଼ିତ ଥିଲେ। ଆଜି ସକାଳ ୮ଟା ୧୦ରେ କୋଲ୍‌କାତାସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ସେ ହୃଦ୍‌ଘାତରେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କୁ ୮୯ ବର୍ଷ ହୋଇଥିଲା। ଶେଷଶଯ୍ୟା ନିକଟରେ ପତ୍ନୀ ରେଣୁ, ପୁଅ ଓ ଦୁଇ ଝିଅ ଉପସ୍ଥିତ ଥିଲେ। ଭାରତୀୟ ରାଜନୀତିର ଅନ୍ୟତମ ବହୁଚର୍ଚ୍ଚିତ ଚେହେରା ସୋମନାଥ ୧୦ ଥର ଲୋକସଭାକୁ ନିର୍ବାଚିତ ହୋଇଥିବା ବେଳେ ସଂସଦରେ ୫୦୦ରୁ ଅଧିକ ଭାଷଣ ଦେଇ ଏକ ବିରଳ ରେକର୍ଡ ସ୍ଥାପନ କରିଥିଲେ।

ଆଜି ସକାଳ ୮ଟା ୧୦ରେ ଦେହାନ୍ତ ପରେ ସୋମନାଥଙ୍କ ମରଶରୀର କୋଲ୍‌କାତା ହାଇକୋର୍ଟ ନିଆଯାଇଥିଲା। ସେଠାରୁ ରାଜ୍ୟ ବିଧାନସଭାକୁ ନିଆଯାଇଥିଲା। ଅପରାହ୍ନ ୨ଟା ୧୫ରେ ମରଶରୀରକୁ ରାଜା ବସନ୍ତ ରୟ ରୋଡ୍‌ସ୍ଥିତ ତାଙ୍କ ବାସଭବନକୁ ନିଆଯାଇଥିଲା। ତାଙ୍କ ମରଶରୀରକୁ ହସ୍ପିଟାଲ୍‌କୁ ଦାନ କରିବା ଲାଗି ପରିବାର ପକ୍ଷରୁ ଘୋଷଣା କରାଯାଇଛି। ତାଙ୍କୁ ରାଜ୍ୟର ଶ୍ରେଷ୍ଠ ସମ୍ମାନ ଦିଆଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବ ବୋଲି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଛନ୍ତି। ୧୯୯୬ରେ ଉତ୍କଷ୍ଟ ସାଂସଦ ଭାବେ ପୁରସ୍କୃତ ହୋଇଥିବା ସୋମନାଥ ଚାଟାର୍ଜୀ ୨୦୦୪ରେ ୟୁପିଏ-୧ ଅମଳରେ ସର୍ବସମ୍ମତିକ୍ରମେ ଲୋକସଭା ବାଚସ୍ପତି ନିର୍ବାଚିତ ହୋଇ ୨୦୦୯ ପର୍ଯ୍ୟନ୍ତ ଦାୟିତ୍ୱ ନିର୍ବାହ କରିଥିଲେ। ତେବେ ୟୁପିଏ ସରକାରରୁ ସିପିଆଇଏମ୍‌ ଏହାର ସମର୍ଥନ ପ୍ରତ୍ୟାହାର ପରେ ତାଙ୍କୁ ବାଚସ୍ପତି ପଦରୁ ଇସ୍ତଫା ପାଇଁ ଦଳ ବାଧ୍ୟ କରିଥିଲା। କିନ୍ତୁ ସେ ଲୋକସଭାର ଗରିମାକୁ ଦୃଷ୍ଟିରେ ରଖି ଏହାକୁ ସ୍ୱୀକାର କରିନଥିଲେ। ବାଚସ୍ପତି ହିସାବରେ ସେ ରାଜନୈତିକ ଦଳଠାରୁ ଊର୍ଧ୍ୱରେ ବୋଲି ଦର୍ଶାଇଥିଲେ। ଶେଷରେ ତାଙ୍କୁ ଦଳ ପକ୍ଷରୁ ୨୦୦୮ ଜୁଲାଇ ୨୩ରେ ବହିଷ୍କାର କରାଯାଇଥିଲା। ଏହି ଦିନକୁ ସେ ଜୀବନର ସବୁଠୁ ଦୁଃଖଦ ଦିନ ବୋଲି ଅଭିହିତ କରିଥିଲେ। ତେବେ ୨୦୦୯ରେ ସେ ସକ୍ରିୟ ରାଜନୀତିରୁ ସନ୍ନ୍ୟାସ ନେଇଥିଲେ। ଆସାମର ତେଜପୁରରେ ୧୯୨୯ରେ ଜନ୍ମଗ୍ରହଣ କରିଥିବା ସୋମନାଥ କୋଲ୍‌କାତା ଓ ବ୍ରିଟେନ୍‌ରେ ଉଚ୍ଚଶିକ୍ଷା ଲାଭ କରିଥିଲେ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୋକ ପ୍ରକାଶ କରି କହିଛନ୍ତି ଯେ ସୋମନାଥଙ୍କ ମୃତ୍ୟୁ ତାଙ୍କୁ ଆଘାତ ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ସୋମନାଥ ଚାଟାର୍ଜୀ ଭାରତୀୟ ରାଜନୀତିର ପୁରୋଧା ଥିଲେ। ସଂସଦୀୟ ଲୋକତନ୍ତ୍ରକୁ ମଜଭୁତ କରିବାରେ ତାଙ୍କର ଭୂମିକା ଅତୁଳନୀୟ। ସେହିପରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି, ସୋମନାଥ ନିଜେ ଜଣେ ଅନୁଷ୍ଠାନ ଥିଲେ, ଯାହାଙ୍କୁ ସବୁ ଦଳର ନେତାମାନେ ସମ୍ମାନ କରୁଥିଲେ। ଦୀର୍ଘଦିନ ଧରି ସଂସଦର ସଦସ୍ୟ ରହି ସୋମନାଥ ସଂସଦୀୟ ପରଂପରାକୁ ସମୃଦ୍ଧ କରିଥିଲେ ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ଶାହ କହିଛନ୍ତି।

ସମ୍ବନ୍ଧିତ ଖବର