ଭାରତ ବନ୍ଦ ବେଳେ ହିଂସା : ବିହାରରେ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କର୍ଫ୍ୟୁ ଜାରି, ୧୨ରୁ ଊର୍ଦ୍ଧ୍ୱ ଆହତ
ୟୁପିରେ ଇଣ୍ଟରନେଟ୍ ସେବା ବନ୍ଦ
ନୂଆଦିଲ୍ଳୀ : ଶିକ୍ଷା ଓ ଚାକିରି କ୍ଷେତ୍ରରେ ଜାତିଭିତ୍ତିକ ସଂରକ୍ଷଣକୁ ବିରୋଧ କରି ସୋସିଆଲ ମିଡିଆରେ ଭାରତ ବନ୍ଦ ଡାକରା ଦେଇଥିବାବେଳେ ଆଜିର ବନ୍ଦ ପାଳନ ସମୟରେ ବିଭିନ୍ନ ରାଜ୍ୟରେ ହିଂସାକାଣ୍ଡ ଦେଖାଦେଇଛି। ତେବେ ଆଜିର ଭାରତ ବନ୍ଦ ଡାକରା ପାଇଁ କୌଣସି ରାଜନୈତିକ ଦଳ କିମ୍ବା ନିର୍ଦ୍ଦିଷ୍ଟ ସଂଗଠନ ଆହ୍ଵାନ କରିନଥିଲେ। କେବଳ ସୋସିଆଲ୍ ମିଡିଆ ମାଧ୍ୟମରେ କିଛି ଗୋଷ୍ଠୀw ଏହି ବନ୍ଦ ଡାକରା ଦେଇଥିବା ସତ୍ତ୍ୱେ ବନ୍ଦ ପାଳନର ଏହିଭଳି ପ୍ରଭାବ କେନ୍ଦ୍ର ସରକାରଙ୍କ ମୁଣ୍ଡ ବିନ୍ଧାର କାରଣ ହୋଇଛି। ଉଲ୍ଲେଖଯୋଗ୍ୟ, ଗତ ଏପ୍ରିଲ ୨ ତାରିଖରେ ଅନୁସୂଚିତ ଜାତି/ଜନଜାତି (ଏସ୍ସି ଏସ୍ଟି) ନିର୍ଯାତନା ନିବାରଣ ଆଇନ ସଂଶୋଧନ ସମ୍ପର୍କିତ ସୁପ୍ରିମକୋର୍ଟଙ୍କ ରାୟକୁ ବିରୋଧ କରି ହୋଇଥିବା ଭାରତ ବନ୍ଦ ଆନ୍ଦୋଳନର ହିଂସାକାଣ୍ଡ ଏଯାବତ୍ ମନରୁ ଲିଭି ନଥିବାବେଳେ ଆଜି ପୁନର୍ବାର ଗୋଟିଏ ମାସରେ ଦ୍ୱିତୀୟ ଭାରତ ବନ୍ଦ ପାଳନ ହୋଇଛି। ଏନେଇ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକୁ ଗୃହ ମନ୍ତ୍ରାଳୟ ଆଗୁଆ ନିର୍ଦ୍ଦେଶନାମା ଜାରି କରି ସତର୍କ ରହିବାକୁ କହିଥିଲେ।
ବନ୍ଦ ପାଳନ ସମୟରେ ବିହାରର ଭୋଜପୁର ଜିଲ୍ଲାର ଆରା ସହରରେ ଦୁଇ ଗୋଷ୍ଠୀ ତଥା ବନ୍ଦ ସମର୍ଥକ ଏବଂ ଜାତିଭିତ୍ତିକ ସଂରକ୍ଷଣ ସମର୍ଥକ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ତଥା ଗୁଳିମାଡ଼ ହୋଇ ୧୨ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ପରିସ୍ଥତି ନିୟନ୍ତ୍ରଣ ପାଇଁ ପୁଲିସ ଲାଠିଚାର୍ଜ ମଧ୍ୟ କରିଥିଲା। ପାଟ୍ନା, ବେଗୁସରାଇ, ଲାକ୍ଷିସରାଇ, ମୁଜାଫରନଗର, ଭୋଜପୁର, ସେଖ୍ପୁରା, ନାଓ୍ଵଡ଼ା, ଏବଂ ଦରଭଙ୍ଗାରେ ଆନ୍ଦୋଳନକାରୀମାନେ ରାସ୍ତାରୋକ କରି ଆନ୍ଦୋଳନ କରିଥିଲେ। ଆନ୍ଦୋଳନକାରୀମାନେ ପୋଡ଼ାଜଳା କରିବା ସହ ଦୋକାନ ବଜାର ଗୁଡ଼ିକ ବନ୍ଦ କରିଥିଲେ। ଏହି ସଂଘର୍ଷ ପରେ ଆରା ସହରରେ ୧୪୪ ଧାରା ଲାଗୁ କରାଯାଇଥିବାବେଳେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ମଧ୍ୟପ୍ରଦେଶ ଓ ରାଜସ୍ଥାନର ବିଭିନ୍ନ ଅଞ୍ଚଳରେ ମଧ୍ୟ ବନ୍ଦ ର ପ୍ରଭାବ ହେଦଖିବାକୁ ମିଳିଥିଲା। ମଧ୍ୟପ୍ରଦେଶର ଭୋପାଳ,ଇନ୍ଦୋରରେ ଦୋକାନ ବଜାର ପୋଡ଼ାଜଳା ହୋଇଥିବା ବେଳେ ବିଭିନ୍ନ ସ୍ଥାନରେ ଆନ୍ଦୋଳନକାରୀ ମାନଙ୍କର ପୁଲିସ୍ ସହ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା। ରାଜସ୍ଥାନର ଆରାରିଆ ଓ ଜୟପୁରରେ ୧୪୪ଧାରା ଲାଗୁ କରାଯାଇଥିବା ବେଳେ ଇଣ୍ଟରନେଟ ସେବା ମଧ୍ୟ ବନ୍ଦ କରାଯାଇଛି। ସେଭଳି ୟୁପିର କେତେକାଂଶରେ ମଧ୍ୟ ବନ୍ଦ ପ୍ରଭାବ ଦେଖିବାକୁ ମିଳିଛି। ତେବେ ବନ୍ଦ ପାଳନ ଯୋଗଗୁଁ ଦେଶର ବିଭିନ୍ନ ରାଜ୍ୟରେ ଯାନବାହାନ ଚଳାଚଳ ଠପ୍ ହୋଇଯାଇଥିବା ବେଳେ, ସ୍କୁଲ,କଲେଜ,ବ୍ୟାଙ୍କ୍ ଓ କେତେକ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ଏପ୍ରିଲ ୨ ତାରିଖରେ ହୋଇଥିବା ଭାରତ ବନ୍ଦ ହିଂସାକାଣ୍ଡରେ କେବଳ ମଧ୍ୟପ୍ରଦେଶରେ ୮ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏହାକୁ ଆଖି ଆଗରେ ରଖି ଆଜିର ବନ୍ଦ ପାଳନ ବେଳେ ରାଜ୍ୟବ୍ୟାପୀ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା। ମଧ୍ୟପ୍ରଦେଶର ୧୨ଟି ଜିଲ୍ଲାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ବେଳେ ହିଂସା ପ୍ରଣୋଦିତ ଅଞ୍ଚଳ ଗ୍ଵାଲିୟର-ଚମ୍ବଲ ଅଞ୍ଚଳରେ ଏପ୍ରିଲ ୧୫ ତାରିଖ ପର୍ଯ୍ୟନ୍ତ ୬୦୦୦ ପୁଲିସ କର୍ମୀ ମୁତୟନ ହୋଇଛନ୍ତି ଏବଂ ଆଜି ରାତି ୧୦ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ସେହିଭଳି ଭିଣ୍ଡ୍ରେ କର୍ଫ୍ୟୁ ଜାରି ହୋଇଛି। ଭୋପାଳ ପୁଲିସ ଡେପୁଟି ଇନ୍ସପେକ୍ଟର ଜେନେରାଲ ଧର୍ମେନ୍ଦ୍ର ଡୁବେଙ୍କ କହିବା ଅନୁଯାୟୀ ସୋସିଆଲ ମିଡିଆ ମେସେଜ୍ ଗୁଡ଼ିକୁ ତନ ତନ କରି ଯାଞ୍ଚ୍ କରାଯାଉଛି ଏବଂ କୌଣସି ବ୍ୟକ୍ତି ଘୃଣ୍ୟ ମେସେଜ୍ ଛାଡ଼ିଲେ ସେମାନଙ୍କ ବିରୋଧରେ ୧୮୮ ଧାରା ଅଧିନରେ ମାମଲା ରୁଜୁ ହେବ ବୋଲି ସତର୍କ କରାଇ ଦିଆଯାଇଛି। ଗୁଜରାଟର ମଧ୍ୟ କେକତାକାଂଶରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଥିବା ବେଳେ ମହାରାଷ୍ଟ୍ରରେ ମଧ୍ୟ କେତେକସ୍ଥାନରେ ବନ୍ଦ ପାଳନ ବେଳେ ଚାପା ଉତ୍ତେଜନା ଦେଖାଦେଇଛି। ତେବେ ଖାଲି ମଧ୍ୟପ୍ରଦେଶ ନୁହେଁ ରାଜସ୍ଥାନର ଜୟପୁର ଏବଂ ଭରତପୁରରେ ଓ ଉତ୍ତରାଖଣ୍ଡର ନୈନିତାଲ୍ରେ ୧୪୪ ଧାରା ଜାରି କରାଯାଇଛି। ଗତକାଲି ରାତିଠାରୁ ମୋବାଇଲ ଇଣ୍ଟରନେଟ୍ ସେବା ବନ୍ଦ ରହିଛି। ସେହିପରି ଉତ୍ତରପ୍ରଦେଶର ଫିରୋଜାବାଦ୍ରେ ମଧ୍ୟ ସମସ୍ତ ସ୍କୁଲ୍ଗୁଡ଼ିକ ବନ୍ଦ ରହିଛି।