ଭଗବାନ ରାମଙ୍କ ଅସ୍ତିତ୍ୱରେ ବିଶ୍ୱାସ କରୁନଥିବା ଦଳ ନିଜକୁ ପାଣ୍ଡବ କହୁଛି : ବିଜେପି

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ବିଜେପି ବିରୋଧୀ ବକ୍ତବ୍ୟକୁ ନେଇ କଡା ପ୍ରତିକ୍ରିୟା ରଖିଛି ବିଜେପି । ଭଗବାନ ରାମଙ୍କ ଅସ୍ତିତ୍ୱରେ ବିଶ୍ୱାସ କରୁନଥିବା ଦଳ ଏବେ ନିଜକୁ ପାଣ୍ଡବ ବୋଲି କହୁଛନ୍ତି । ହିନ୍ଦୁ ସଂସ୍କୃତିକୁ ବିଦ୍ରୁପ କରୁଥିବା ଦଳ ନିଜକୁ ପାଣ୍ଡବ କହୁଛି ।  କହିଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ।

ରାହୁଲ ଗାନ୍ଧିଙ୍କୁ କଡା ଜବାବ ଦେଇ ସେ କହିଛନ୍ତି ଯେ ରାହୁଲ ଜଣେ ପରାଜିତ ପରି ପ୍ରଳାପ କରୁଛନ୍ତି । ରାହୁଲ ନିଜେ ନ୍ୟାସନାଲ ହେରାଲ୍ଡ ମାମଲାରେ ଅଭିଯୁକ୍ତ ରହି ଜାମିନରେ ଅଛନ୍ତି, କିନ୍ତୁ ସେ ବିଜେପି ଅଧ୍ୟକ୍ଷ ଅମିତ ଶାହାକୁ ହତ୍ୟା ଅଭିଯୁକ୍ତ ବୋଲି କହୁଛନ୍ତି । ଅମିତ ଶାହାଙ୍କୁ କୋର୍ଟ ଏହି ଅଭିଯୋଗରୁ ମୁକ୍ତ କରିଥିବାବେଳେ ରାହୁଲ ଏବେ ବି ଅଭିଯୁକ୍ତ ଅଛନ୍ତି ।

 

ବୀର ସଭରକର ଜଣେ ସ୍ୱାଧୀନତା ସଂଗ୍ରାମୀ ଥିବାବେଳେ ତାଙ୍କୁ ରାହୁଲ ନିନ୍ଦା କରିବା ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ କଂଗ୍ରେସ ନିର୍ବାଚନରେ ସ୍ୱଚ୍ଛତା ଚାହୁଁନି ସେଥିପାଇଁ ଇଭିଏମ ବଦଳରେ ବାଲଟ ବ୍ୟବସ୍ଥାକୁ ଫେରିବାକୁ କହୁଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ୧୯୮୪ର ଶିଖ ବିରୋଧୀ ଦଙ୍ଗା ପାଇଁ  କଂଗ୍ରେସ ଦାୟୀ । କଂଗ୍ରେସ ହେଉଛି ଏପରି ଏକ ଦଳ ଯାହାକି ଆତଙ୍କବାଦୀଙ୍କ ଶବ ଉପରେ ଲୁହ ବୁହାଏ ।

ଅନ୍ୟପକ୍ଷରେ କେନ୍ଦ୍ର ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ କହିଛନ୍ତି ଯେ ରାହୁଲ ଗାନ୍ଧୀ ଯେପରି ଭାବେ ଅମିତ ଶାହାଙ୍କୁ ଅଭିଯୁକ୍ତ ବୋଲି କହିଲେ ତାହା  ପରୋକ୍ଷରେ ନ୍ୟାୟାଳୟର ସାଧୁତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

 

ସମ୍ବନ୍ଧିତ ଖବର