ଜାପାନରୁ ନେତାଜୀଙ୍କ ଚିତାଭସ୍ମ ଆଣିବାକୁ କେନ୍ଦ୍ର ସରକାରଙ୍କୁ ଆବେଦନ କଲେ ନେତାଜୀଙ୍କ ଝିଅ

ନୂଆଦିଲ୍ଲୀ: ଜାପାନରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଚିତାଭସ୍ମ ଭାରତକୁ ନେଇ ଆସିବାକୁ କେନ୍ଦ୍ର ସରକାରଙ୍କ ଠାରେ ପୁଣି ଥରେ ଦାବି କରିଛନ୍ତି ତାଙ୍କ ଝିଅ ଅନୀତା ବୋଷ-ଫାଫ୍‌।

ତାଙ୍କ କହିବା ଅନୁସାରେ, ୧୯୪୫ ମସିହା ଅଗଷ୍ଟ ୧୮ ତାରିଖ ଦିନ ତାଓ୍ଵାନ୍‌ ଠାରେ ଗୋଟାଏ ବିମାନ ଦୁର୍ଘଟନାରେ ନେତାଜୀଙ୍କର ଦେହାନ୍ତ ହୋଇଥିଲା। ସେପ୍ଟେମ୍ବର ୧୯୪୫ ମସିହାରୁ ତାଙ୍କର ଚିତାଭସ୍ମ ଟୋକିଓର ରେଙ୍କୋଜୀ ମନ୍ଦିରରେ ସଂରକ୍ଷିତ ହୋଇ ରହିଛି।

ସେ କହିଛନ୍ତି: ମୋ ବାପାଙ୍କର ୭୩ତମ ତିରୋଧାନ ଦିବସ ଅବସରରେ ମୁଁ ଭାରତ ସରକାରଙ୍କ ଓ ଜାପାନ ସରକାରଙ୍କ ଠାରେ ମୋର ଦାବି ନବୀକରଣ କରୁଛି। ଅନ୍ତିମ ବିସର୍ଜ୍ଜନ ପାଇଁ ତାଙ୍କର ଦେହାବଶେଷ ଜାପାନରୁ ଭାରତ ଅଣାଯିବା ପାଇଁ ବ୍ୟବସ୍ଥା କରନ୍ତୁ।

ସ୍ୱାଧୀନ ଭାରତକୁ ଫେରି ଆସିବାକୁ ମୋ ବାପାଙ୍କର ଖୁବ୍‌ ଇଚ୍ଛା ଥିଲା। ଦୁର୍ଭାଗ୍ୟକୁ ତାହା ପୂରଣ ହୋଇ ପାରିଲା ନାହିଁ।

ସେଥିପାଇଁ ଅନ୍ତତଃ ତାଙ୍କ ଚିତାଭସ୍ମ ସ୍ୱାଧୀନ ଭାରତର ମାଟି ସ୍ପର୍ଶ କରିବା ଉଚିତ ହେବ। ମୋ ବାପା ଥିଲେ ନୈଷ୍ଠିକ ହିନ୍ଦୁ। ତେଣୁ ପ୍ରଥାନୁସାରେ ତାଙ୍କ ଦେହାବଶେଷର କିଛି ଅଂଶ ଗଙ୍ଗା ନଦୀରେ ବିସର୍ଜ୍ଜନ କରିବା ସମୀଚିନ ହେବ।

୧୧୫ ବର୍ଷ ପୁରୁଣା ଟୋକିଓସ୍ଥିତ ଜାପାନ-ଭାରତ ସଂଘର ଅଧ୍ୟକ୍ଷ ହିରୋସି ହିରାବାୟସି ମଧ୍ୟ ନେତାଜୀଙ୍କ ଦେହାବଶେଷ ଫେରାଇ ନେବାକୁ ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି।

ନେତାଜୀଙ୍କୁ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି ଦେବା ନିମନ୍ତେ ଗତକାଲି ରେଙ୍କୋଜୀ ମନ୍ଦିରରେ ବାର୍ଷିକ ସ୍ମାରକୀ ସେବା ଆୟୋଜିତ ହୋଇଥିଲା।

ସମ୍ବନ୍ଧିତ ଖବର