ଚାବାହାର ବନ୍ଦର : ଭାରତର ସୁବିଧା ପାଇଁ ଇରାନ ଉପରେ କଟକଣାକୁ ସାମୟିକ କୋହଳ କଲା ଆମେରିକା

ନୂଆଦିଲ୍ଲୀ : ଭାରତକୁ ଏକ ବଡ଼ କୂଟନୈତିକ ସଫଳତା ମିଳିଛି । ଇରାନରେ ଭାରତ ନିର୍ମାଣ କରୁଥିବା ଚାବାହାର ବନ୍ଦର ପାଇଁ କଟକଣାକୁ ସାମୟିକଭାବେ କୋହଳ କରିଛି ଆମେରିକା । ଏହା ଫଳରେ ଭାରତ ଏହି ବନ୍ଦରରେ ଲାଗୁଥିବା କେତେକ ଜରୁରୀ ଉପକରଣ କିଣିପାରିବ ।
ଗତ ବର୍ଷଠାରୁ ଆମେରିକାର ଟ୍ରମ୍ପ ପ୍ରଶାସନ ଇରାନ ଉପରେ ଅର୍ଥନୈତିକ କଟକଣା ଲଗାଇଛି । ଏପରିକି ଇରାନରୁ ତେଲ କିଣୁଥିବା ଦେଶମାନଙ୍କ ଉପରେ ମଧ୍ୟ ଆମେରିକା କଟକଣା ଲଗାଉଛି । ଏହା ଫଳରେ ଚାବାହାର ବନ୍ଦରର ନିର୍ମାଣ କାର୍ଯ୍ୟ ଧୀମେଇ ଯାଇଥିଲା । କଟକଣା କାରଣରୁ ଏହି ବନ୍ଦର ପାଇଁ କିଣାଯିବାକୁ ଥିବା ବିଭିନ୍ନ ଅତ୍ୟାଧୁନିକ ଉପକରଣ କ୍ରୟ ନିମନ୍ତେ ଆବଶ୍ୟକ ୮୫ ନିୟୁତ ଡଲାର ଯୋଗାଇବାକୁ କୌଣସି ଅନ୍ତର୍ଜାତୀୟ ବ୍ୟାଙ୍କ ରାଜି ହେଉନଥିଲେ । କିନ୍ତୁ ଏହି ପ୍ରସଙ୍ଗକୁ ଭାରତ ପକ୍ଷରୁ ଆମେରିକା ନିକଟରେ ଉଠାଯିବା ପରେ ଆମେରିକା ଏହି ପ୍ରକଳ୍ପ ପାଇଁ କଟକଣାକୁ କୋହଳ କରିଛି । ଏ ସଂପର୍କରେ ଆମେରିକା ଭାରତକୁ ଲିଖିତ ଆଶ୍ୱାସନା ପ୍ରଦାନ କରିଛି ।

ଭାରତ ସରକାରଙ୍କ ଦ୍ୱାରା ଗଠିତ ଇଣ୍ଡିଆ ପୋର୍ଟ୍ସ ଗ୍ଲୋବାଲ ଲିମିଟେଡ (ଆଇପିଜିଏଲ) ଗତବର୍ଷ ଏହି ବନ୍ଦରର ପରିଚାଳନା ଦାୟିତ୍ୱ ଗ୍ରହଣ କରଥିଲା । ଏହି ବନ୍ଦର ଦ୍ୱାରା କେବଳ ଭାରତ, ଇରାନ ନୁହେଁ ଆଫଗାନିସ୍ତାନ ମଧ୍ୟ ବିଶେଷଭାବେ ଉପକୃତ ହେବ । ଏହି ବନ୍ଦର ହେଲେ ଭାରତ ଆଫଗାନିସ୍ତାନ ଓ କେନ୍ଦ୍ର ଏସିଆରେ ସିଧାସଳଖ ପହଞ୍ଚିପାରିବ । ଇରାନରୁ ତୈଳ ଆମଦାନୀ ମଧ୍ୟ ସହଜ ହେବ । ଆଫଗାନିସ୍ତାନ ରପ୍ତାନି ଆମଦାନୀ ପାଇଁ ସବୁବେଳେ ପାକିସ୍ତାନ ଉପରେ ନିର୍ଭର କରୁଥିଲା । କିନ୍ତୁ ଏବେ ଆଉ ପାକିସ୍ତାନ ଉପରେ ନିର୍ଭର କରିବାକୁ ପଡିବ ନାହିଁ । ଏହା ଫଳରେ ଆତଙ୍କବାଦ ବିରୋଧୀ ଲଢେଇରେ ଏହି ତିନି ଦେଶ ଏକାଠି ହୋଇପାରିବେ ।

ସମ୍ବନ୍ଧିତ ଖବର