୨ଟି ଭ୍ୟାନ୍ ଯୋଗେ ବୋହୂ ଐଶ୍ୱର୍ଯ୍ୟାଙ୍କ ସମସ୍ତ ସାମଗ୍ରୀକୁ ବାପଘରକୁ ପଠାଇଦେଲେ ଶାଶୁ ରାବଡ଼ି
ପାଟନା: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଘରୁ ଅଶାନ୍ତି ଥମିବାର ନାମ ନେଉନାହିଁ। ଲାଲୁଙ୍କ ବଡ଼ ପୁଅ ତେଜପ୍ରତାପ ଏବଂ ବୋହୂ ଐଶ୍ୱର୍ଯ୍ୟା ରାୟଙ୍କ ମଧ୍ୟରେ ଛାଡ଼ପତ୍ରକୁ ନେଇ ଖବର ଜୋର ଧରିଥିବା ବେଳେ ଆଉ ଏକ ଖବର ସାମ୍ନାକୁ ଆସିଛି। ତେଜପ୍ରତାପ ଯାଦବଙ୍କ ମା’ ଓ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡ଼ି ଦେବୀ ବୋହୂ ଐଶ୍ୱର୍ଯ୍ୟାଙ୍କ ସମସ୍ତ ସାମଗ୍ରୀକୁ ଏକାଠି କରି ଭ୍ୟାନ୍ ଯୋଗେ ସମୁଦି ଚନ୍ଦ୍ରିକା ରାୟଙ୍କ ଘରକୁ ପଠାଇ ଦେଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଦୁଇଟି ଭ୍ୟାନ୍ରେ ଐଶ୍ୱର୍ଯ୍ୟାଙ୍କ ପୋଷାକଠାରୁ ଆରମ୍ଭ କରି ଆସବାବପତ୍ର ସମେତ ଇଲେକ୍ଟ୍ରୋନିକ୍ସ ସାମଗ୍ରୀକୁ ରାବଡ଼ି ଏକାଠି କରି ଘରୁ ବାହାର କରି ବୋହୂର ବାପା ଘରକୁ ପଠାଇ ଦେଇଥିଲେ। ରାବଡ଼ି ପଠାଇଥିବା ଏସବୁ ସମସ୍ତ ସାମଗ୍ରୀ ତେଜପ୍ରତାପଙ୍କ ଶ୍ୱଶୁର ଚନ୍ଦ୍ରିକା ରାୟଙ୍କ ଘରେ ଯେତେବେଳେ ପହଞ୍ଚିଥିଲା ସେ ଏହାକୁ ଗ୍ରହଣ କରି ପାରିବେ ନାହିଁ ବୋଲି ସ୍ପଷ୍ଟ ଭାବେ ମନା କରି ଦେଇଥିଲେ। ଚନ୍ଦ୍ରିକା ରାୟ ପୁଲିସକୁ ଖବର ଦେଇ ଏସବୁ ସାମଗ୍ରୀକୁ ଜବତ କରିବା ପାଇଁ ଅନୁରୋଧ କରିଥିଲେ। ଏଥିସହିତ ଚନ୍ଦ୍ରିକା ରାୟଙ୍କ ଘରେ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି।
ତେବେ ଏଭଳି ଜିନିପତ୍ର ପଠାଇବାକୁ ନେଇ ଲାଲୁଙ୍କ ପରିବାର ସଫେଇ ଦେଇ କହିଛନ୍ତି, ଐଶ୍ୱର୍ଯ୍ୟାଙ୍କ ମା’ ପୂର୍ଣ୍ଣିମା ରାୟଙ୍କ କହିବାଅନୁସାରେ ସେମାନେ ଏପରି କରିଛନ୍ତି। ଏହି କ୍ରମରେ ତେଜପ୍ରତାପ ଏକ ଚିଠି ବି ଦେଖାଇଛନ୍ତି। ଯେଉଁଥିରେ ପୂର୍ଣ୍ଣିମା ରାୟ ମହିଳା ହେଲପ୍ଲାଇନ୍ ଜରିଆରେ ଐଶ୍ୱର୍ଯ୍ୟାଙ୍କ ସାମଗ୍ରୀ ରାବଡ଼ି ଦେବୀ ଫେରାଇ ଦିଅନ୍ତୁ ବୋଲି ଦାବି କରିଛନ୍ତି।
କିଛି ମାସତଳେ ଐଶ୍ୱର୍ଯ୍ୟା ତାଙ୍କ ଶାଶୁ ରାବଡ଼ି ଦେବୀଙ୍କ ସହିତ ତେଜ ପ୍ରତାପଙ୍କ ଭଉଣୀ ଶିଶା ଉପରେ ଉପରେ ନିର୍ଯାତନା ଦେଉଥିବା ଅଭିଯୋଗ ଆଣିଥିଲେ। ଏହି ଘଟଣାକୁ ନେଇ ଐଶ୍ୱର୍ଯ୍ୟା କହିଥିଲେ, ‘ଶିଶା ଭାରତୀ ମୋତେ ରୋଷେଇ ଘରକୁ ଯିବାକୁ ଅନୁମତି ଦିଅନ୍ତି ନାହିଁ। ଏମିତି କି ଅନେକ ସମୟରେ ସେ ମୋତେ ଖାଇବାକୁ ଦିଅନ୍ତି ନାହିଁ। ମୁଁ ଯାହା ଖାଇବା ଖାଇଥାଏ, ମୋର ବାପ ଘରୁ ଆସିଥାଏ। ଅନେକ ସମୟରେ ଶାଶୁ ଓ ନଣନ୍ଦ ମୋତେ ନିର୍ଯାତନା ଦିଅନ୍ତି।’
ଲାଲୁ ପ୍ରସାଦ ଯାଦବଙ୍କ ବୋହୂ ଐଶ୍ୱର୍ଯ୍ୟା ୨୦୧୯ ନଭେମ୍ବର ୩ ତାରିଖରେ ପାଟନାସ୍ଥିତ ପାରିବାରିକ ଅଦାଲତରେ ଭରଣପୋଷଣ ପ୍ରସଙ୍ଗ ନେଇ ଆବେଦନ କରିଥିଲେ। ଏହାପରେ ଡିସେମ୍ବର ୧୭ ତାରିଖରେ ଏହାର ଶୁଣାଣି ହୋଇଥିଲା। ଏହି ଶୁଣାଣିରେ ସ୍ୱାମୀ ତେଜପ୍ରତାପ ଐଶ୍ୱର୍ଯ୍ୟାଙ୍କୁ ପ୍ରତିମାସରେ ୨୨ ହଜାର ଟଙ୍କା ଦେବେ। କେବଳ ଏତିକି ନୁହେଁ ଭରଣପୋଷଣ ଦାୟିତ୍ୱ ସହ ଛାଡ଼ପତ୍ର ମାମଲା ଲଢିବା ପାଇଁ ବି ପତ୍ନୀଙ୍କୁ ସେ ଅତିରିକ୍ତ ଦୁଇ ଲକ୍ଷ ଟଙ୍କା ଦେବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ।