ବିଦେଶରେ କଳାଧନ ଗଚ୍ଛିତ ମାମଲା: ଚିଦମ୍ବରମଙ୍କ ପରିବାରକୁ ନିସ୍ତାର ନାହିଁ

ନୂଆଦିଲ୍ଲୀ: ବିଦେଶରେ କଳାଧନ ଗଚ୍ଛିତ ରଖିବା ମାମଲାରେ ବରିଷ୍ଠ କଂଗ୍ରେସ ନେତା ପି. ଚିଦମ୍ବରମ ଓ ତାଙ୍କ ପରିବାରକୁ ନିସ୍ତାର ମିଳିବ ନାହିଁ। ସେମାନଙ୍କ ନାମରେ ଆୟକର ବିଭାଗ ରୁଜୁ କରିଥିବା କଳାଧନ ଆଇନ ମାମଲାର ବିଚାର ପ୍ରକିୟାରେ ରହିତାଦେଶ ଲଗାଇବାକୁ ଆଜି ମାଡ୍ରାସ ହାଇକୋର୍ଟ ମନା କରିଦେଇଛନ୍ତି। ଚେନ୍ନାଇ ସ୍ଥିତ ଅର୍ଥନୈତିକ ଅପରାଧର ସ୍ୱତନ୍ତ୍ର କୋର୍ଟରେ ଚିଦମ୍ବରମଙ୍କ ପତ୍ନୀ ନଳିନୀ, ପୁଅ କାର୍ତ୍ତି ଚିଦମ୍ବରମ ଓ ବୋହୂ ଶ୍ରୀନିଧି ବିଦେଶରେ ରଖିଥିବା ସମ୍ପତ୍ତିର ବିବରଣୀ ଦେଇନଥିବା ନେଇ ଆୟକର ବିଭାଗ ଗତ ୧୧ ତାରିଖରେ ଅଭିଯୋଗ ଆଣଥିଲା। କଳାଧନ ଆଇନର ଧାରା ୫୦ରେ ଆୟକର ବିଭାଗ ଏହି ମାମଲା ରୁଜୁ କରିଛି। ଉଲ୍ଳେଖଯୋଗ୍ୟ, ଏମାନଙ୍କ ନାମରେ ବ୍ରିଟେନରେ ୫କୋଟି ୩୭ଲକ୍ଷର ସମ୍ପତ୍ତି ଥିବା ଜଣାପଡ଼ିଛି। ଏତଦ୍‌ବ୍ୟତୀତ ବ୍ରିଟେନର ମେଟ୍ରୋବ୍ୟାଙ୍କରେ ମଧ୍ୟ କାର୍ତ୍ତିଙ୍କ ନାମରେ ଆକାଉଣ୍ଟ ଓ ଆମେରିକାର ନାନୋ ହୋଲଡିଙ୍ଗସ୍‌ରେ ପୁଞ୍ଜିନିବେଶ ସମ୍ପର୍କିତ ତଥ୍ୟ ସେ ପ୍ରଦାନ କରିନଥିବା ମଧ୍ୟ ଆୟକର ବିଭାଗ ଅଭିଯୋଗ ଆଣିଥିଲା। ଏହାକୁ ବିରୋଧ କରି ଚିଦମ୍ବରମଙ୍କ ପରିବାର ବର୍ଗ ଆୟକର ବିଭାଗର ଏହି ମାମଲାର ବିଚାର ପ୍ରକ୍ରିୟାରେ ଅନ୍ତରୀଣ ରହିତାଦେଶ ଲାଗୁ କରିବା ସହ ଆୟକର ବିଭାଗର ଉକ୍ତ ଅଭିଯୋଗର ଏକ ନକଲ ପ୍ରଦାନ କରିବାକୁ ମାଡ୍ରାସ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କୋର୍ଟ ଚିଦମ୍ବରମଙ୍କ ପରିବାର ପକ୍ଷରୁ କରାଯାଇଥିବା ଏହି ଆବେଦନକୁ ଖାରଜ କରିବା ସହ ଆସନ୍ତା ୫ ତାରିଖରେ ଏହି ମାମଲାର ଶୁଣାଣି କରିବାକୁ କହିଛନ୍ତି।

ସମ୍ବନ୍ଧିତ ଖବର