ଫେବ୍ରୁଆରି ୧ ଯାଏଁ ଚିଦମ୍ବରମ ଗିରଫ ହେବେନି

ନୂଆଦିଲ୍ଲୀ : ଏୟାରସେଲ୍‌ ମାକ୍ସିସ୍‌ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦମ୍ବରମ ଏବଂ ପୁଅ କାର୍ତ୍ତି ଚିଦମ୍ବରମଙ୍କୁ ଆସନ୍ତା ଫେବ୍ରୁଆରି ୧ ତାରିଖ ପର୍ଯ୍ୟନ୍ତ ଆଶ୍ବସ୍ତି ମିଳିଛି। ଦିଲ୍ଲୀ କୋର୍ଟ ଉଭୟଙ୍କ ଗିରଫଦାରୀ ଉପରେ ଫେବ୍ରୁଆରି ୧ ପର୍ଯ୍ୟନ୍ତ ଅଙ୍କୁଶ ଲଗାଇଛନ୍ତି। ସ୍ବତନ୍ତ୍ର ସିବିଆଇ ବିଚାରପତି ଓପି ସାଇନି ମାମଲାର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରି ୧କୁ ଧାର୍ଯ୍ୟ କରିଛନ୍ତି। ସିବିଆଇ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା କୋର୍ଟରେ ଉପସ୍ଥିତ ରହି କହିଛନ୍ତି ଯେ ମାମଲାରେ ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅନ୍ୟପକ୍ଷରେ ଚିଦମ୍ବରଙ୍କ ପତ୍ନୀ ନଳିନୀ ଚିଦମ୍ବରମଙ୍କ ବିରୋଧରେ ସିବିଆଇ ଚାର୍ଜସିଟ୍‌ ଦାଖଲ କରିଛି। ଚିଟ୍‌ ଫଣ୍ଡ୍‌ ଦୁର୍ନୀତି ମାମଲାରେ ସାରଦା ଗ୍ରୁପ୍‌ ଅଫ୍‌ କମ୍ପାନିରୁ ସେ ୧.୪ କୋଟି ଟଙ୍କା ଗ୍ରହଣ କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ଏହି ଚାର୍ଜସିଟ୍‌ ଦାଖଲ ହୋଇଛି।

ସମ୍ବନ୍ଧିତ ଖବର