ସୁଧୁରିବନି ପାକିସ୍ତାନ : ସୀମାରେ ଅସ୍ତ୍ରଶସ୍ତ୍ର ଠୁଳ କରୁଛି, ଏକାଧିକ ହେଲିପ୍ୟାଡ୍‌, ବଙ୍କର ନିର୍ମାଣ

ଚୀନ୍‌ ଯୋଗାଉଛି ସବୁ ସହାୟତା

0 516

ନୂଆଦିଲ୍ଲୀ : ଭାରତ ସହ ଶାନ୍ତି କଥାବାର୍ତା ପାଇଁ ପାକିସ୍ତାନର ନବନିର୍ବାିଚିତ ଇମ୍ରାନ୍‌ ଖାନ୍‌ ସରକାର ବ୍ୟଗ୍ର ଥିବା ଦାବି କରୁଥିବା ବେଳେ ଭାରତ ସୀମାରେ ତାହାର ଓଲଟା କାର୍ଯ୍ୟ ଦେଖିବାକୁ ମିଳୁଛି। ଭାରତ ସଂଲଗ୍ନ ଅନ୍ତର୍ଜାତୀୟ ସୀମା ଅଞ୍ଚଳରେ ପାକିସ୍ତାନ ଏବେ ବିପୁଳ ଅସ୍ତ୍ରଶସ୍ତ୍ର ଠୁଳ କରୁଛି। ଏକାଧିକ ସ୍ଥାନରେ ଗୋଦାମ ତିଆରି କରି ଅସ୍ତ୍ରଶସ୍ତ୍ର ସମେତ ଅନ୍ୟ ଆନୁଷଙ୍ଗିକ ସାମଗ୍ରୀ ମହଜୁଦ ରଖୁଛି। ସୀମା ଅଞ୍ଚଳରେ ଥିବା ସେନାକୁ ଖୁବ୍‌ଶୀଘ୍ର ଅସ୍ତ୍ରଶସ୍ତ୍ର ଯୋଗାଣ ଲାଗି ଏଭଳି ପଦକ୍ଷେପ ନେଉଛି ପାକିସ୍ତାନ। ଭାରତର ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍‌) ଏ ନେଇ ଏକ ବିସ୍ତତ ରିପୋର୍ଟ କେନ୍ଦ୍ର ଗୃହ ମନ୍ତ୍ରାଳୟ ନିକଟରେ ଦାଖଲ କରିଛି। ଏହାକୁ ନେଇ ଭାରତ ସରକାର ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଇମ୍ରାନ୍‌ ଖାନ୍‌ ଶପଥ ନେବା ପୂର୍ବରୁ ଓ ପରେ ଭାରତ ପ୍ରତି ନରମ ମନୋଭାବ ପୋଷଣ ସହିତ ଶାନ୍ତି ଆଲୋଚନା ପାଇଁ ଆହ୍ଵାନ ଦେଇଥିଲେ। କିନ୍ତୁ ଏବେ ସୀମାରେ ଉତ୍ତେଜନା ବଢ଼ାଇବାକୁ ପାକିସ୍ତାନ ପ୍ରୟାସ କରୁଛି। ଗତକାଲି ପାକିସ୍ତାନୀ ଆତଙ୍କବାଦୀମାନେ ଜମ୍ମୁ-କଶ୍ମୀରରେ ତିନି ଜଣ ପୁଲିସ କର୍ମଚାରୀ ଏବଂ ଜଣେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରିଛନ୍ତି।

ବିଏସ୍‌ଏଫ୍‌ ଏହାର ରିପୋର୍ଟରେ ଦର୍ଶାଇଛି ଯେ ରାଜସ୍ଥାନର ଜୟସଲମେର ସହର ନିକଟବର୍ତ୍ତୀ ପାକ୍‌ ସହର ରହିମ୍‌ ୟାର୍‌ ଖାନ୍‌ରେ ପାକିସ୍ତାନ ଅସ୍ତ୍ରଶସ୍ତ୍ର ଠୁଳ କରିବାରେ ଲାଗିଛି। ନବନିର୍ମିତ ଗୋଦାମ ପରିସରରେ ନୂଆ ହେଲିପ୍ୟାଡ୍‌ ନିର୍ମାଣ ମଧ୍ୟ କରାଯାଇଛି। ଏହାଦ୍ୱାରା ପାକ୍‌ ସେନାକୁ ଆବଶ୍ୟକ ବେଳେ ତୁରନ୍ତ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଯୋଗାଇ ଦିଆଯିବ। ଏଭଳି କରି ସୀମା ଅଞ୍ଚଳରେ ପାକ୍‌ ସେନାକୁ ସଶକ୍ତ କରିବାକୁ ଦେଶର ନୂଆ ସରକାର ଉଦ୍ୟମ କରୁଛନ୍ତି। ଭାରତୀୟ ସୀମାଠାରୁ ପାକ୍‌ର ଏହି ଗୋଦାମ ପ୍ରାୟ ୩୭ କିଲୋମିଟର ହେବ। ଖାଲି ସେତିକି ନୁହେଁ, ପାକିସ୍ତାନର ଆଉ ଏକ ସହର ବାହାଓ୍ଵଲପୁରରେ ମଧ୍ୟ ଆଉଏକ ଗୋଦାମ ତିଆରି କରାଯାଉଛି। ବାହାଓ୍ଵଲପୁର ଗୋଦାମରେ ପାକିସ୍ତାନ ଅନେକ ବଙ୍କର ନିର୍ମାଣ କରିଛି। ଏଠାରେ ବିପୁଳ ଅସ୍ତ୍ରଶସ୍ତ୍ର ଠୁଳ କରିବାରେ ଲାଗିଛି। ଏହି ବଙ୍କର ମାଧ୍ୟମରେ ପାକିସ୍ତାନ ଏହାର ମିସାଇଲ୍‌ ମଧ୍ୟ ଛାଡ଼ିବାକୁ ଯୋଜନା ରଖିଛି।

ପାକିସ୍ତାନର ଏଭଳି କାର୍ଯ୍ୟରେ ଚୀନ୍‌ ଯଥାସମ୍ଭବ ସହାୟତା ଯୋଗାଇ ଦେଉଛି। ବଙ୍କରଠାରୁ ଆରମ୍ଭ କରି ମିସାଇଲ୍‌ ନିର୍ମାଣ ପର୍ଯ୍ୟନ୍ତ ଚୀନ୍‌ ସବୁ କ୍ଷେତ୍ରରେ ପାକିସ୍ତାନକୁ ସହଯୋଗ କରୁଛି। ଏମିତି କି ଯୁଦ୍ଧ ଜାହାଜ ନିର୍ମାଣରେ ଚୀନ୍‌ ଯଥେଷ୍ଟ ସହଯୋଗ କରି ପାକ୍‌ ସେନାକୁ ଆଧୁନିକୀକରଣ କରିବା ପାଇଁ ଯଥାସାଧ୍ୟ ଉଦ୍ୟମ ଚଳାଇଛି। ଏହାବ୍ୟତୀତ ପାକିସ୍ତାନ-ଚୀନ୍‌ ଫାଇବର ଅପ୍ଟିକ୍‌ ପ୍ରକଳ୍ପ ଜରିଆରେ ଚୀନ୍‌ ଏହାର ପାକିସ୍ତାନ ସଂଲଗ୍ନ ସୀମା ଅନ୍ତର୍ଗତ ଅଞ୍ଚଳରେ ୮୨୦ କିଲୋମିଟର ଲମ୍ବର ଅପ୍ଟିକାଲ୍‌ ଫାଇବର କେବଲ୍‌ ବିଛାଉଛି। ଏହାଦ୍ୱାରା ସୀମାଞ୍ଚଳରେ ନିୟୋଜିତ ପାକ୍‌ ସେନା ସହିତ ଶୀଘ୍ର ଯୋଗାଯୋଗ କରାଯାଇ ପ୍ରସ୍ତୁତ ରହିବାକୁ କୁହାଯାଇ ପାରିବ। ଭାରତୀୟ ସେନା ଉପରେ ଆକ୍ରମଣ ପାଇଁ ଦୁଇ ରାଷ୍ଟ୍ର ଏଭଳି ଯୋଜନାବଦ୍ଧ ଭାବେ ପ୍ରଚେଷ୍ଟା ଚଳାଇଛନ୍ତି।

ଗୁଇନ୍ଦା ରିପୋର୍ଟ ଦର୍ଶାଇଛି ଯେ ପାକିସ୍ତାନର ଆଇଏସ୍‌ଆଇ ଦେଶର ଆତଙ୍କବାଦୀମାନଙ୍କୁ ସ୍ୱତନ୍ତ୍ର ତାପ-ନିରୋଧୀ ଜ୍ୟାକେଟ୍‌ ଯୋଗାଇ ଦେଇଛି। ଏହାଦ୍ୱାରା ନିୟନ୍ତ୍ରଣରେଖା (ଏଲ୍‌ଓସି) ନିକଟରେ ଭାରତ ଦ୍ୱାରା ଖଞ୍ଜାଯାଇଥିବା ଥର୍ମାଲ୍‌ ଇମେଜିଂ ଯନ୍ତ୍ରାଂଶକୁ ଠାବ କରାଯାଇ ପାରିବ। ଏମିତି କି ଏହି ଜ୍ୟାକେଟ୍‌ ପିନ୍ଧି ସୀମା ଡେଇଁ ଆତଙ୍କବାଦୀମାନେ ପ୍ରବେଶ କଲେ ଭାରତୀୟ ସେନା ତାହାର ଟେର୍‌ ପାଇପାରିବ ନାହିଁ। ସ୍ୱତନ୍ତ୍ର ଜ୍ୟାକେଟ୍‌ ଏଥିରେ ସହାୟକ ହେବ। ଉଲ୍ଲେଖଯୋଗ୍ୟ, ଆତଙ୍କବାଦୀମାନେ ଏଭଳି ଜ୍ୟାକେଟ୍‌ ପିନ୍ଧି ଭାରତରେ ପ୍ରବେଶ ପାଇଁ ଚେଷ୍ଟା କରୁଥିବା ନେଇ ରିପୋର୍ଟ ପ୍ରକାଶ ପାଇବା ପରେ ଏଲ୍‌ଓସିରେ ଥର୍ମାଲ୍‌ ଇମେଜିଂ ଯନ୍ତ୍ରାଂଶ ଖଞ୍ଚାଯାଇଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.