ସିନେମା ମାୟାରେ ବାୟା ହେଲା ଦ୍ୱିତୀୟ ଶ୍ରେଣୀ ଛାତ୍ର; ପାଟନା ବିମାନ ବନ୍ଦରକୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦେଇ ଗିରଫ
ପାଟନା / ନୂଆଦିଲ୍ଲୀ: ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ୮ ବର୍ଷ ବୟସ୍କ ଜନୈକ ନାବାଳକ ପାଟନା ବିମାନ ବନ୍ଦରକୁ ବୋମା ଦ୍ୱାରା ଉଡ଼ାଇ ଦେବାର ମିଥ୍ୟା ଧମକ ଦେଇ ପୁଲିସ୍ ହାତରେ ଗିରଫ ହେବା ଘଟଣା ସଂପ୍ରତି ଦେଶବ୍ୟାପି ଚର୍ଚ୍ଚାର ବିଷୟ ପାଲଟିଛି। ଅପରପକ୍ଷରେ ପୁଲିସ ହାତରେ ଗିରଫ ହେବାପରେ ଅବୋଧ ନିଷ୍ପାପ ନାବାଳକ ଶିଶୁଟି ନିଜ ଦୋଷକୁ ସ୍ୱୀକାର କରିବା ସହ ଏପରି କରିବା ପଛରେ ସେ ଯେଉଁ କାରଣ ଦର୍ଶାଇଛି ତାକୁ ଶୁଣିବା ପରେ ପୁଲିସ୍ର ହୋସ୍ ଉଡ଼ି ଯାଇଛି। ବାଳକଟି ପୁଲିସ୍କୁ କହିଛି ଯେ ଏକ ଭୋଜପୁରୀ ଚଳଚ୍ଚିତ୍ର ‘ଟ୍ରେନ୍ ସେ ପାକିସ୍ତାନ’ରେ ଥିବା ଏକ ଦୃଶ୍ୟକୁ ଦେଖି ପ୍ରଭାବିତ ହେବା ସହ ସେ ଏପରି କାଣ୍ଡ ଭିଆଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଘଟଣା ସଂପର୍କରେ ଗଣମାଧ୍ୟମକୁ ସବିଶେଷ ସୂଚନା ପ୍ରଦାନ କରିବାକୁ ଯାଇ ପାଟନା ଡିଏସ୍ପି ରାଜେଶ କୁମାର ପ୍ରଭାକର କହିଛନ୍ତି ଯେ ଗତ ସୋମବାର ଦିନ ପାଟନାର ଜୟପ୍ରକାଶ ନାରାୟଣ ଅନ୍ତର୍ଜାତିକ ବିମାନ ବନ୍ଦରକୁ ଏକ ଫୋନ୍ କଲ୍ ଆସିଥିଲା। ଯେଉଁଥିରେ ଫୋନ୍ କରିଥିବା ବ୍ୟକ୍ତି ଜଣକ ବିମାନ ବନ୍ଦରକୁ ବୋମା ଦ୍ୱାରା ଉଡ଼ାଇ ଦିଆଯିବ ବୋଲି ଧମକ ଦେଇଥିଲା। ଘଟଣା ସଂପର୍କରେ ବିମାନ ବନ୍ଦର କର୍ତ୍ତୃପକ୍ଷ ପୁଲିସ୍ରେ ଖବର ଦେବାପରେ ପୁଲିସ୍ ଘଟଣା ସଂପର୍କରେ ତଦନ୍ତ ଆରମ୍ଭ କରିଥିଲା।
ତଦନ୍ତ କାଳରେ ପୁଲିସ୍ ବିମାନ ବନ୍ଦରର କଲ୍ ରେକର୍ଡକୁ ଯାଞ୍ଚ କଲା ପରେ ଜାଣିବାକୁ ପାଇଥିଲା ଯେ ଧମକପୂର୍ଣ୍ଣ କଲ୍ଟି ଏକ ମୋବାଇଲ ନମ୍ବରରୁ ପାଟନା ବିମାନ ବନ୍ଦରକୁ ଆସିଥିଲା। ଏବଂ ସଂପୃକ୍ତ ମୋବାଇଲ ନମ୍ବରଟି ପାଟନା ବିର୍ଲା କଲୋନୀର ବାସିନ୍ଦା ସିଦ୍ଧାନ୍ତ ଶର୍ମାଙ୍କର ବୋଲି ତଦନ୍ତରୁ ଜଣା ପଡ଼ିବା ପରେ ପୁଲିସ୍ ଯାଇ ତାଙ୍କ ନିକଟରେ ପହଞ୍ଚିଥିଲା।
ପୁଲିସ୍ ବିର୍ଲା ନଗରରେ ପହଞ୍ଚି ୭୦ ବର୍ଷ ବୟସ୍କ ସିଦ୍ଧାନ୍ତ ଶର୍ମାଙ୍କୁ ଘଟଣା ସଂପର୍କରେ ଜେରା କରୁଥିବା ବେଳେ ସେ ଘଟଣା ବାବଦରେ କିଛି ବି ହେଲେ ଜାଣି ନଥିବା ପୁଲିସ୍କୁ କହିଥିଲେ। ହେଲେ, ଏହି ସମୟରେ ସେଠାରେ ଉପସ୍ଥିତ ଥିବା ତାଙ୍କର ୮ ବର୍ଷ ବୟସ୍କ ନାତି ପୁଲିସ୍କୁ କହିଥିଲା ଯେ ତା’ ଜେଜେ ଶୋଇଥିବା ବେଳେ ସେ ତାଙ୍କ ଫୋନ୍ରୁ ଫୋନ୍ କରି ଏପରି ଧମକ ଦେଇଥିଲା। ଏକ ଭୋଜପୁରୀ ଚଳଚ୍ଚିତ୍ର ‘ଟ୍ରେନ୍ ସେ ପାକିସ୍ତାନ’ରେ ଥିବା ଏକ ଦୃଶ୍ୟକୁ ଦେଖି ପ୍ରଭାବିତ ହେବା ସହ ସେ ଏପରି କାଣ୍ଡ ଭିଆଇ ଥିବା ପୁଳିସ୍କୁ କହିଥିଲା। ପ୍ରଥମେ ଗୁଗୁଲ୍ ସର୍ଚ୍ଚକୁ ଯାଇ ପାଟନା ବିମାନ ବନ୍ଦର ନମ୍ବର ପାଇଯିବା ପରେ ସେଇ ନମ୍ବରରେ ଫୋନ୍ କରି ଏପରି ଧମକ ଦେଇଥିଲା। ନାବାଳକଟିର ଏପରି ସ୍ୱୀକାରୋକ୍ତିରେ ପୁଲିସ୍ ଚକିତ ହେବା ସହ ତାକୁ ଗିରଫ କରି ନେଇଥିଲା। ତେବେ, ଗିରଫ ନାବାଳକକୁ ତା’ର ପିତା ଆଜି ପୁଲିସ୍ ଠାରୁ ବ୍ୟକ୍ତିଗତ ମୁଚାଲିକାରେ ଜାମିନ୍ରେ ନେଇଥିବା ଜାଣିବାକୁ ମିଳିଛି।