ଥରୁଛି ଉତ୍ତର ଭାରତ: ୨୪ ଘଣ୍ଟାରେ ୭୦ ମୃତ

ହିମାଚଳ ଓ କଶ୍ମୀରରେ ପ୍ରବଳ ବରଫପାତ

ନୂଆଦିଲ୍ଲୀ: ସମଗ୍ର ଉତ୍ତର ଭାରତରେ ଏବେ ଶୀତ ଲହରୀର ପ୍ରକୋପ ଜାରି ରହିଛି। ପ୍ରବଳ ଥଣ୍ଡା ଯୋଗୁଁ ବିଗତ ୨୪ ଘଣ୍ଟା ମଧ୍ୟରେ ଉତ୍ତର ପ୍ରଦେଶରେ ୭୦ ଜଣ ବେସାହାରା ଲୋକଙ୍କ ମୃତ୍ୟୁ ଘଟିଛି । ଶୀତ ଲହରି ଯୋଗୁଁ ପୂର୍ବାଞ୍ଚଳରେ ୨୨ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଆହ୍ଲାବାଦ ଡିଭିଜନରେ ୧୧ ଜଣ, ବୁନ୍ଦେଲଖଣ୍ଡରେ ୨୮ ଜଣଙ୍କ ମୃତ୍ୟୁ ଘଟିଛି । ରାଜ୍ୟର ସୁଲତାନପୁର ଜିଲ୍ଲା ସବୁଠାରୁ ଅଧିକ ଥଣ୍ଡା ରହଛି। ଏଠାରେ ତାପାମାତ୍ରା ୨.୮ ଡିଗ୍ରି ରେକର୍ଡ କରାଯାଇଛି ।

ଲକ୍ଷ୍ନୌରେ ତାପାମତ୍ରା ୩ ଡିଗ୍ରି ସେଲ୍‌୍‌ସିୟସ ରହିଛି। ଉତ୍ତରାଖଣ୍ଡ, ହିମାଚଳରେ ପ୍ରବଳ ବରପପାତ ଜାରି ରହିଥିବାରୁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି ଏବଂ ପରିବହନ ବ୍ୟବସ୍ଥା ବହୁଳ ଭାବେ ପ୍ରଭାବିତ ହୋଇଛି । ବରଫ ଗଦା ଭିତରେ ଅନେକ ଜନବସତି ଲୁଚି ଯାଉଥିବା ଦେଖାଯାଇଛି। ହାଡ଼ଥରା ଶୀତ ଓ କୁହୁଡ଼ି ଯୋଗୁଁ ଜନଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଅନେକ ସ୍ଥାନରେ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଛି। ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ ଓ ଜମ୍ମୁ-କଶ୍ମୀରର ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ଶୂନ ଡିଗ୍ରିଠାରୁ ତଳକୁୁ ଖସିଯାଇଛି। ଶ୍ରୀନଗରରେ ତାପମାତ୍ରା -୪.୮ ଡିଗ୍ରିକୁ ଖସିବା ସହ ଅଣାୟତ୍ତ ସ୍ଥିତି ଉପୁଜିଛି। ଉତ୍ତରାଖଣ୍ଡର ଅନେକ ସ୍ଥାନରେ ପାଣି ବରଫ ପାଲଟିଯିବାରୁ ସମସ୍ୟା ଉପୁଜିଛି। ହିମାଚଳ ପ୍ରଦେଶରେ ଲଗାତାର ବରଫପାତ ଫଳରେ ବିଜୁଳି ଓ ପାଣି ସମସ୍ୟା ଦେଖାଦେଇଛି ।

ଉତ୍ତରାଞ୍ଚଳରେ ପ୍ରବଳ ଶୀତଲହରୀ ଫଳରେ ପାର୍ବତ୍ୟାଞ୍ଚଳରେ ରହୁଥିବା ଲୋକମାନେ ଘୋର ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି। ୫ ଶହରୁ ଅଧିକ ସଂଯୋଗକାରୀ ରାସ୍ତା ଅବରୋଧ ଯୋଗୁଁ ଲୋକଙ୍କ ପାଖରେ ସାମଗ୍ରୀ ପହଞ୍ଚୁନାହିଁ। ଗତ କିଛିଦିନ ଠାରୁ ହିମାଚଳ ପ୍ରଦେଶରେ ବରଫପାତ ଆରମ୍ଭ ହୋଇଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ସ୍ଥିତିରେ ସୁଧାର ଆସିପାରିନାହିଁ। ଆସନ୍ତାକାଲି ଓ ସୋମବାର ପ୍ରବଳ ବରଫପାତ ହେବ ବୋଲି ମଧ୍ୟ ଅନୁମରାନ କରାଯାଇଛି । ରାଜ୍ୟ ସରକାରମାନେ ଏ ନେଇ ସ୍ଥିତି ସମୀକ୍ଷା କରି ବିହୀତ ପଦକ୍ଷେପ ଗ୍ରହଣ କରିଛନ୍ତି। ମନାଲି, ସିମଲା ଭଳି ସହରରେ ସକାଳର ତାପମାତ୍ରା ଶୂନ ଡିଗ୍ରି ରହୁଥିବା ଦେଖାଯାଇଛି।

ଜମ୍ମୁ-କଶ୍ମୀରରେ ଲଗାତାର ବରଫପାତ ଯୋଗୁଁ ସବୁକିଛି ଅଚଳ ହୋଇଯାଇଛି। ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥରେ ଯାନ ଚଳାଚଳ କେତେକାଂଶରେ ବ୍ୟାହତ ହୋଇଛି। ରାସ୍ତାରେ ହଜାର ହଜାର ଯାନ ଅଟକି ରହିଥିବା ବେଳେ ସ୍ଥିତି ସୁଧୁରିବାକୁ ଆହୁରି ୫ ଦିନ ଲାଗିଯିବ ବୋଲି ଜଣାପଡ଼ିଛି। ବିହାରରେ ମଧ୍ୟ ପ୍ରବଳ ଶୀତ ଲହରୀ ଅନୁଭୂତ ହୋଇଛି । ପୂର୍ବ ଚମ୍ପାରଣ, ମୁଜାଫରଫୁର, ମୀନାପୁରର କେତେକ ସ୍ଥାନରେ ବରଫର ପତଳା ଆସ୍ତରଣ ପଡ଼ିଥିବା ଦେଖିବାକୁ ମିଳିଛି। ହିମାଚଳ ପ୍ରଦେଶରେ ପ୍ରବଳ ବରଫପାତ ଯୋଗୁଁ ପର୍ଯ୍ୟଟକଙ୍କ ପାଇଁ ସମସ୍ୟା ଉପୁଜିଛି। କୁଲ୍ଲ ଜିଲ୍ଲା ରାଜ୍ୟର ସର୍ବାଧିକ ଶୀତଳ ଅଂଚଳ ଭାବେ ପରିଗଣିତ ହୋଇଛି। ଏଠାରେ ତାପମାତ୍ରା -୫ରେ ପହଞ୍ଚିଛି। ପଂଜାବ ଏବଂ ହରିୟାଣାରେ ମଧ୍ୟ ପାରଦ ଖସି ଚାଲିଛି । ହରିୟାଣାର ନାର୍ନୁଲ ସହରର ସର୍ବନିମ୍ନ ତାମମାତ୍ରା ୫.୫ ଡିଗ୍ରି ସେଲ୍‌ସିୟସରେ ପହଞ୍ଚିଛି। ଘନ କୁହୁଡ଼ି ଯୋଗୁଁ ବିମାନ ଯାତ୍ରା, ରେଳ ଓ ସଡ଼କ ପଥରେ ଚଳାଚଳ ବାଧାପ୍ରାପ୍ତ ହୋଇଛି।

ସମ୍ବନ୍ଧିତ ଖବର