ବରିଷ୍ଠତାକୁ ଅଣଦେଖା କରି ବିଚାରପତି ନିଯୁକ୍ତି ପାଇଁ କଲେଜିୟମର ସୁପାରିସ୍ ଏକ ‘ଐତିହାସିକ ତ୍ରୁଟି’: ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଗମ୍ଭୀର
ନୂଆଦିଲ୍ଲୀ: ସର୍ବଭାରତୀୟ ସ୍ତରରେ ବରିଷ୍ଠତାକୁ ଜଳାଞ୍ଜଳି ଦେବା ସହ ଦିଲ୍ଲୀ ହାଇକୋର୍ଟର ତିନିଜଣ ବିଚାରପତିଙ୍କ ବରିଷ୍ଠତାକୁ ଅଣଦେଖା କରି ଦୁଇଜଣ କନିଷ୍ଠ ବିଚାରପତିଙ୍କୁ ସୁପ୍ରିମ୍ କୋର୍ଟର ବିଚାରପତି ଭାବେ ନିଯୁକ୍ତି ପ୍ରଦାନ କରିବା ପାଇଁ କଲେଜିୟମ କେନ୍ଦ୍ର ସରକାରଙ୍କୁ ଯେଉଁ ସୁପାରିସ କରିଛନ୍ତି, ତା’କୁ କେନ୍ଦ୍ର କରି ଏବେ ବିବାଦ ଓ ବିତର୍କର ସୂତ୍ରପାତ ହୋଇଛି। ସୁପ୍ରିମ୍ କୋର୍ଟ କଲେଜିୟମର ଏପ୍ରକାର ନିଷ୍ପତ୍ତିକୁ ବେଶ ଶାଣିତ ଶବ୍ଦରେ କଟୁ ସମାଲୋଚନା କରିବା ସହ ଦିଲ୍ଲୀ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ କୈଲାଶ ଗମ୍ଭୀର ଏହାକୁ ଏକ ‘ଭୂକମ୍ପ ସୃଷ୍ଟିକାରୀ’ ନିଷ୍ପତ୍ତି ବୋଲି ଅଭିହିତ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
କେଉଁ ପରିସ୍ଥିତିରେ, କିପରି ଭାବରେ ଓ କାହିଁକି ସର୍ବ ଭାରତୀୟ ସ୍ତରରେ ୩୨ ଜଣ ବିଚାରପତି ଓ ଦିଲ୍ଲୀ ହାଇକୋର୍ଟର ୩ ଜଣ ବରିଷ୍ଠ ବିଚାରପତିଙ୍କ ବରିଷ୍ଠତାକୁ ଅଣଦେଖା କରି କଲେଜିୟମ ଏହି ଦୁଇ ବିଚାରପତିଙ୍କୁ ସୁପ୍ରିମ୍ କୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେବାକୁ ସୁପାରିସ କଲା ତାହାର ଉତ୍ତର ଦେଶର ପ୍ରଧାନ ବିଚାରପତି ତଥା ସୁପ୍ରିମ୍ କୋର୍ଟ କଲେଜିୟମର ଅଧ୍ୟକ୍ଷ ଜଷ୍ଟିସ୍ ରଂଜନ ଗୋଗେଇଙ୍କୁ ଦେବାକୁ ପଡ଼ିବ; ବୋଲି କହିଛନ୍ତି, ଦିଲ୍ଲୀ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ କୈଲାଶ ଗମ୍ଭୀର।
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ସୁପ୍ରିମ୍ କୋର୍ଟର କଲେଜିୟମ ଗତ ୧୦ ତାରିଖରେ ବିଚାରପତି ଜଷ୍ଟିସ୍ ଦୀନେଶ ମାହେଶ୍ୱରୀ ଓ ଜଷ୍ଟିସ୍ ସଞ୍ଜୀବ୍ ଖାନ୍ନାଙ୍କୁ ପଦୋନ୍ନତି ଦେଇ ସେମାନଙ୍କୁ ସୁପ୍ରିମ୍ କୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେବାକୁ ସୁପାରିସ୍ କରିଥିଲା। ତେବେ, ଏହି ସୁପାରିସ୍ କାଳରେ କଲେଜିୟମ ସର୍ବ ଭାରତୀୟ ସ୍ତରରେ ୩୨ ଜଣ ବିଚାରପତି ଓ ଦିଲ୍ଲୀ ହାଇକୋର୍ଟର ୩ ଜଣ ବରିଷ୍ଠ ବିଚାରପତିଙ୍କ ବରିଷ୍ଠତାକୁ ଅଣଦେଖା କରିଥିଲା। ଏ ସଂପର୍କରେ କଲେଜିୟମ ପକ୍ଷରୁ କୁହାଯାଇଥିଲା ଯେ ଏନିଷ୍ପତ୍ତି ନେବା କାଳରେ ବରିଷ୍ଠତା ସହ ବିଚାରପତିଙ୍କ ଯୋଗ୍ୟତା ଓ ବିଶ୍ୱସନୀୟତାକୁ ମଧ୍ୟ ବିଚାରକୁ ନିଆଯାଇ ସୁପ୍ରିମ୍ କୋର୍ଟ ପାଇଁ ଜଷ୍ଟିସ୍ ମାହେଶ୍ୱରୀ ଓ ଜଷ୍ଟିସ୍ ଖାନ୍ନାଙ୍କୁ ବିଚାରପତି ଚୟନ କରାଯାଇଛି। ତେବେ କଲେଜିୟମର ଏପ୍ରକାରର ନିଷ୍ପତ୍ତିକୁ ଏକ ‘ଐତିହାସିକ ତ୍ରୁଟି’ ବୋଲି କହିଛନ୍ତି ଦିଲ୍ଲୀ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ କୈଲାଶ ଗମ୍ଭୀର।
ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ଅମଳରେ ବିଚାରପତିଙ୍କ ମଧ୍ୟରେ ମାମଲା ଆବଣ୍ଟନରେ ପକ୍ଷପାତିତା ହେଉଥିବା ଅଭିଯୋଗ କରିବା ସହ ସମସ୍ତ ନୀତି ନିୟମ ପ୍ରତି ଆଖିବୁଜି ଦେଇ ଯେଉଁ ଜଷ୍ଟିସ୍ ରଂଜନ ଗୋଗେଇ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଥିଲେ, ସେ କିପରି ଭାବେ ଖୋଦ୍ ବିଚାରପତି ନିଯୁକ୍ତି କ୍ଷେତ୍ରରେ ଏତେବଡ଼ ଭୁଲ କରି ବସିଲେ ବୋଲି ପ୍ରଶ୍ନ କରିଛନ୍ତିି ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଗମ୍ଭୀର? ଏଥିସହ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଏକ ପତ୍ର ଲେଖି ‘ନ୍ୟାୟାଳୟର ସ୍ୱାଧୀନତା ଓ ବିଶ୍ୱାସନୀୟତା’ ବଜାୟ ରଖିବା ପାଇଁ ଏ ମାମଲାରେ ହସ୍ତକ୍ଷେପ କରିବାକୁ ମଧ୍ୟ ସେ ଅନୁରୋଧ କରିଛନ୍ତି।