‘ମାଣିକ୍ୟ ମଲରାୟ ପୂବି’ ଗୀତ ପାଇଁ ପ୍ରିୟା ପ୍ରକାଶ ଓ୍ଵାରିଏର୍ଙ୍କ ନାଁ’ରେ ଏତଲା
ନୂଆଦିଲ୍ଲୀ: ବୁଧବାର ଦିନ ଦଳେ ମୁସଲମାନ ଯୁବକ ଇଣ୍ଟର୍ନେଟ୍ ସେନ୍ସାସନ୍ ଏବଂ ମାଲାୟାଲମ୍ ଅଭିନେତ୍ରୀ ପ୍ରିୟା ପ୍ରକାଶ ଓ୍ଵାରିଏର୍ଙ୍କ ନାଁ’ରେ ଫଲକ୍ନମା ଥାନାରେ ଏତଲା ଦେଇଛନ୍ତି। ସେମାନଙ୍କର ଅଭିଯୋଗ: ‘ଓରୁ ଅଦାର ଲଭ୍’ ସିନେମାର ‘ମାଣିକ୍ୟ ମାଲାରାୟ ପୂବି’ ଗୀତଟି ମୁସଲମାନଙ୍କ ଭାବନାକୁ ଆଘାତ ଦେଉଛି।
Sambad is now on WhatsApp
Join and get latest news updates delivered to you via WhatsApp
ରିପୋର୍ଟରେ ଉଲ୍ଲେଖ ଅଛି ଯେ ‘ମାଣିକ୍ୟ ମଲରାୟ ପୂବି’ ଗୀତଟିକୁ ଇଂରାଜୀରେ ଅନୁବାଦ କଲେ ତାହା ପ୍ରଫେଟ୍ଙ୍କୁ ଅପମାନିତ କରୁଛି।
ଶାନ୍ ରହମନଙ୍କ ସ୍ୱରସଂଯୋଜନାରେ ପ୍ରସ୍ତୁତ ଗୀତଟିରେ ଚିତ୍ରିତ ପ୍ରିୟା ପ୍ରକାଶ ଓ୍ଵାରିଏର୍ ଏବେ ଦେଶବାସୀଙ୍କର ପ୍ରିୟପାତ୍ରୀ ପାଲଟି ଯାଇଛନ୍ତି।
କିନ୍ତୁ ପୁଲିସ ଏଯାଏ ଏଫ୍ଆଇଆର୍ ରେଜିଷ୍ଟର୍ କରି ନାହିଁ।
ପିଏମ୍ଏ ଜାବ୍ବର୍ ଲେଖିଥିବା ମୂଳ ମାଲାୟାଲି ଭାଷାରୁ ଇଂରାଜି ଏବଂ ତହିଁରୁ ଓଡ଼ିଆକୁ ଭାଷାନ୍ତର ହୋଇଥିବା ଗୀତଟି ଏମିତି:
ମୁକୁତାର ଫୁଲ ପରି ଝିଅଟିଏ…
ମୁକୁତାର ଫୁଲ ପରି ଝିଅଟିଏ
ରାଜଜେମା ଖାଦୀଜା ବିବି ସିଏ।
ନିସର୍ଗ ସୁଷମା ମକା ନଗରେ
ରାଣୀସମ କି ସେ ବାସ କରେ।
ମୁକୁତାର ଫୁଲ ପରି ଝିଅଟିଏ
ରାଜଜେମା ଖାଦୀଜା ବିବି ସିଏ।
ଖାତିନୁମ୍ ନବି ରାଇଜ ସେବାରେ
ଚଳିଲେ ସେ ଦେଶ ବଣିଜ ବେଭାରେ।
ପ୍ରଥମ ଦେଖାରେ ସେ ଝିଅ ଆଖି
ସଉଦାଗର ଠାରେ ରହିଲା ଲାଖି।
ମୁକୁତାର ଫୁଲ ପରି ଝିଅଟିଏ
ରାଜଜେମା ଖାଦୀଜା ବିବି ସିଏ।
ବଣିଜ ବେଭାର ଅଭିସାର ସାରି
ଭାଗ୍ୟବନ୍ତ ରସୁଲ୍ଲା ଆସିଲେ ଫେରି।
ସେ ଦିବ୍ୟପୁରୁଷଙ୍କୁ ହେବାକୁ ବାହା
ବିବିଙ୍କର ମନ କିବା ବଳିଲା ଆହା।
ମୁକୁତାର ଫୁଲ ପରି ଝିଅଟିଏ
ରାଜଜେମା ଖାଦୀଜା ବିବି ସିଏ।
ନିସର୍ଗ ସୁଷମା ମକା ନଗରେ
ରାଣୀସମ କି ସେ ବାସ କରେ।
ଗୀତରେ ‘ଦିବ୍ୟପୁରୁଷ’ଙ୍କୁ ଇଂରାଜୀରେ ପ୍ରଫେଟ୍ ବୋଲି କୁହାଯାଇଛି। ଏହାହିଁ ମୁସଲମାନ୍ଙ୍କ ଭାବନାକୁ ଆଘାତ କରୁଛି ବୋଲି ଏତଲାରେ ଦର୍ଶାଯାଇଛି।