ରାଜସ୍ଥାନରେ ‘ପଦ୍ମ’ ରାଜ ଶେଷ, ମଙ୍ଗ ଧରିବ ‘ହାତ’!

ଜୟପୁର: ରାଜସ୍ଥାନରେ ଭାରତୀୟ ଜନତା ପାର୍ଟି ହାତରୁ ଶାସନ ଡୋରି ଖସିବା ଏକ ପ୍ରକାର ନିଶ୍ଚିତ ହୋଇପଡ଼ିଛି। ୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନ ସଭାର ୧୯୯ଟି ଆସନରେ ଭୋଟ ଗଣନା ଚାଲିଛି। ଅପରାହ୍ନ ୩.୩୦ଟା ସୁଦ୍ଧା ହସ୍ତଗତ ହୋଇଥିବା ଟ୍ରେଣ୍ଡ୍‌ ଅନୁସାରେ କଂଗ୍ରେସ ୧୦୪ ଟି ଆସନରେ ଆଗୁଆ ରହିଥିବା ବେଳେ ବିଜେପି ୬୭ଟିରେ ଆଗୁଆ ରହିଛି। ଏଠାରେ ବହୁଜନ ସମାଜ ପାର୍ଟି ୬ଟିରେ ଆଗୁଆ ରହିଥିବା ବେଳେ ଅନ୍ୟମାନେ ୨୨ଟିରେ ଆଗୁଆ ରହିଛନ୍ତି।

ଏଠାରେ ଯେହେତୁ ମ୍ୟାଜିକ ନମ୍ବର ୧୦୧ ରହିଛି ତେଣୁ କଂଗ୍ରେସ ସଂଖ୍ୟା ଗରିଷ୍ଠତା ହାସଲ କରି ସରକାର ଗଢି ଶାସନକୁ ଆସିବା ଏକପ୍ରକାର ନିଶ୍ଚିତ ହୋଇପଡିଛି। କାରଣ ବର୍ତ୍ତମାନର ଟ୍ରେଣ୍ଡ ଅନୁସାରେ ବିଜେପି ଅନ୍ୟ ଦଳର ସବୁ ବିଧାୟକଙ୍କୁ ନିଜ ପକ୍ଷକୁ ଆଣି ସରକାର ଗଢିବା ସମ୍ଭବ ନୁହେଁ। ଅନ୍ୟ ପଟେ ବହୁଜନ ସମାଜ ପାର୍ଟି ବିଜେପିକୁ ସମର୍ଥନ ଦେବ ନାହିଁ ବୋଲି ଏହାର ନେତ୍ରୀ ମାୟାବତୀ ଘୋଷଣା କରିଛନ୍ତି।

ରାଜସ୍ଥାନରେ କଂଗ୍ରେସର ସଫଳତା ପରେ ବରିଷ୍ଠ ନେତା ଅଶୋକ ଗେହଲଟ୍‌ କହିଛନ୍ତି କି ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବ ସେ ନିଷ୍ପତ୍ତି ଦଳର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନେବେ। ସେହିପରି ରାଜସ୍ତାନ ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ସଚିନ୍‌ ପାଇଲଟ ନିର୍ବାଚନ ସଫଳତାର ଶ୍ରେୟ ରାହୁଲଙ୍କୁ ଦେଇଛନ୍ତି। ଅନ୍ୟପକ୍ଷରେ ପରାଜୟ ନେଇ କୌଣସି ବକ୍ତବ୍ୟ ରଖି ନାହାନ୍ତି ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ।

ସମ୍ବନ୍ଧିତ ଖବର