ଖଲିସ୍ତାନୀ ଆତଙ୍କବାଦୀକୁ ଡିନର ପାଇଁ ଡାକି ବିବାଦରେ କାନାଡା ଦୂତାବାସ

ନୂଆଦିଲ୍ଲୀ: ଭାରତ ଗସ୍ତରେ ଥିବା କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୁଙ୍କୁ ନେଇ ବିବାଦ ଥମିବାର ନାଁ ଧରୁନାହିଁ । ଖଲିସ୍ତାନି ଆତଙ୍କବାଦୀଙ୍କୁ ପ୍ରଶ୍ରୟ ଦେଉଥିବା ଅଭିଯୋଗ ପରେ ତାଙ୍କ ଗସ୍ତକୁ ନେଇ ଭାରତ ସରକାର ବିଶେଷ ଉତ୍ସାହ ଦେଖାଉନାହାନ୍ତି । ବିବାଦକୁ ପ୍ରଶମିତ କରିବାକୁ ଟୁଡ୍ୟୁ ଙ୍କୁ ବାଧ୍ୟ ହୋଇ କହିବାକୁ ପଡିଥିଲା ଯେ ଭାରତର ଅଖଣ୍ଡତା ପ୍ରତି କାନାଡାର ସମର୍ଥନ ଅଛି । ଏହା ପରେ ହିଁ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂ ତାଙ୍କୁ ଭେଟିଥିଲେ । କିନ୍ତୁ ପୁଣି ଏକ ଘଟଣାକୁ ନେଇ ସଂଦେହ ଓ ବିବାଦ ଦେଖାଦେଇଛି ।

 

ଟ୍ରୁଡ୍ୟୁଙ୍କ ସମ୍ମାନରେ ଭାରତରେ ଥିବା କାନାଡା ଦୂତାବାସ ତରଫରୁ ଏକ ରାତ୍ରଭୋଜି ଦିଆଯାଉଛି । ଏହି ଡିନର ପାଇଁ ଅଭିଯୁକ୍ତ ଖଲିସ୍ତାନୀ ଆତଙ୍କବାଦୀ ଯଶପାଲ ଅଟଓ୍ଵାଲଙ୍କୁ ନିମନ୍ତ୍ରିତ କରାଯାଇଥିବା କାନାଡାର ଏକ ସମ୍ବାଦପତ୍ରରେ ଖବର ପ୍ରକାଶିତ ହେବା ପରେ ବିବାଦ ସୃଷ୍ଟି ହୋଇଛି । ଅବଶ୍ୟ ବିବାଦ ପରେ ଏହି ନିମନ୍ତ୍ରଣକୁ ବାତିଲ କରିଦିଆଯାଇଛି । ଆହୁରି ମଧ୍ୟ ଏଥିପାଇଁ ଦାୟୀ ବ୍ୟକ୍ତି ମାନଙ୍କୁ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଟ୍ରୁଡୁ ଘୋଷଣା କରିଛନ୍ତି ।

ଅଟଓ୍ଵାଲ ନିଷିଦ୍ଧ ଘୋଷିତ ଇଣ୍ଟରନାସନାଲ ଶିଖ ୟୁଥ ଫେଡେରେସନର ସଦସ୍ୟ ଥିଲା । ୧୯୮୬ରେ ଅଟଓ୍ଵାଲ ଓ ଆଉ ୪ଜଣ ପଂଜାବର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ମଲକିଅତ ସିଂ ସିନ୍ଧୁଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ । ଗତ ୨୦ ତାରିଖରେ ଟ୍ରୁଡ୍ୟୁଙ୍କ ପତ୍ନୀଙ୍କ ସହ ଅଟଓ୍ଵାଲ ଉଠାଇଥିବା ଏକ ଫଟୋ ମଧ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ଏହା ଫଳରେ କନାଡା ସରକାରଙ୍କ ଉଦ୍ଦେଶ୍ୟ ପ୍ରତି ପୁଣି ଥରେ ସଂଦେହ ସୃଷ୍ଟି ହୋଇଛି ।

ସମ୍ବନ୍ଧିତ ଖବର