ସିଲଂ: ୪ ଦିନ ବିତିବ ଥମୁନି ହିଂସା; ଆଉ ଥରେ ଜାରି ହେଲା କର୍ଫ୍ୟୁ

ସିଲଂ (ମେଘାଳୟ): ଜନୈକ ବସ୍‌ କଣ୍ଡକ୍ଟରଙ୍କ ସହ ସାମନ୍ୟ ବଚସାକୁ କେନ୍ଦ୍ର କରି ମେଘାଳୟ ରାଜଧାନୀ ସିଲଂ ଠାରେ ଶୁକ୍ରବାର ରାତି ଠାରୁ ଆରମ୍ଭ ହୋଇଥିବା ହିଂସା ଥମିବାର ନାଁ ନେଉନାହିଁ। ଆଜି ଅପରାହ୍ନରେ ପୁଣି ଥରେ ହିଂସା ଉପଦ୍ରୁତ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବା ସହ ଶାନ୍ତି ରକ୍ଷା ପାଇଁ ମୁତୟନ ହୋଇଥିବା ସୁରକ୍ଷା କର୍ମୀଙ୍କ ଉପରେ ପ୍ରବଳ ଟେକା ପଥର ମାଡ଼ ହେବାରୁ ଆଜି ୯ (ସୋମବାର) ଅପରାହ୍ନ ୪ଟା ଠାରୁ ଆସନ୍ତାକାଲି (ମଙ୍ଗଳବାର) ସକାଳ ୫ଟା ପର୍ଯ୍ୟନ୍ତ କର୍ଫ୍ୟୁକୁ ବଳବତ୍ତର ରଖାଯାଇଛି।

ଉଲ୍ଲେଖଯୋଗ୍ୟ, ଗତ ରବିବାର ଠାରୁ ସିଲଂରେ ବଳବତ୍ତର ଥିବା କର୍ଫ୍ୟୁକୁ ଆଜି ସକାଳ ୮ଟା ସମୟରେ ଉଠାଇ ଦିଆଯାଇଥିଲା। ତେବେ, କର୍ଫ୍ୟୁ ଉଠିବାର କିଛି ସମୟ ପରେ ପ୍ରାୟ ୪୦୦ରୁ ସଂଘବଦ୍ଧ ଭାବେ ସୁରକ୍ଷା ଦାୟିତ୍ୱରେ ଥିବା ସିଆରପିଏଫ୍‌ ଜବାନଙ୍କ ଉପରେ ପ୍ରବଳ ମାତ୍ରାରେ ଟେକା ପଥର ମାଡ଼ କରିଥିଲେ। ଏହି ଘଟଣାରେ ପ୍ରାୟ ୧୦ରୁ ଅଧିକ ସୁରକ୍ଷା କର୍ମୀ ଆହତ ହେବାପରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଲୁହବୁହା ଗ୍ୟାସ ପ୍ରୟୋଗ ସମେତ ଲାଠିଚାଳନା କରିବାକୁ ପଡ଼ିଥିଲା। ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଆଜି ଆଉ ୧୦ କମ୍ପାନି ଅର୍ଦ୍ଧସାମରିକ ବାହିନୀଙ୍କୁ ସିଲଂ ପଠାଯାଇଛି। ପ୍ରତିଷେଧମୂଳକ ବ୍ୟବସ୍ଥା ସ୍ୱରୂପ ସମଗ୍ର ସିଲଂରେ ଫୋନ୍‌ ଓ ଇଣ୍ଟରନେଟ୍‌ ବ୍ୟବସ୍ଥାକୁ କାଟି ଦିଆଯିବା ସହ ପେଟ୍ରୋଲ ବିକ୍ରୟ ଉପରେ ନିଷେଧାଦେଶ ଜାରି କରାଯାଇଛି। ସିଲଂରେ ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ଥିଲେ ମଧ୍ୟ ସଂପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି ବୋଲି ଗଣମାଧ୍ୟମକୁ କହିଛନ୍ତି ପୁଲିସ୍‌ ଡିଜି ଏସ୍‌ ବି ସିଂହ।

ପ୍ରସଙ୍ଗକ୍ରମେ ଉଲ୍ଳେଖଯୋଗ୍ୟ, ଗତ ଶୁକ୍ରବାର ସନ୍ଧ୍ୟାରେ ଜନୈକ ବସ୍‌ କଣ୍ଡକ୍ଟରଙ୍କ ସହ କିଛି ମହିଳାଙ୍କର ବଚସା ହେବା ପରେ ସିଲଂରେ ଏହି ହିଂସା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର