ସୁପ୍ରିମକୋର୍ଟରେ ଧର୍ମାନୁଷ୍ଠାନ ଉଚ୍ଛେଦ ମାମଲା: ୩ ମାସ ଭିତରେ କମିଟି ନେବ ନିଷ୍ପତ୍ତି

ପ୍ରତ୍ୟେକ ମାମଲାକୁ ସ୍ୱତନ୍ତ୍ର ଭାବେ ତର୍ଜମା କରାଯିବ

ନୂଆଦିଲ୍ଲୀ/କଟକ: ବେଆଇନ୍‌ ଭାବେ ଗଢି ଉଠିଥିବା ଧର୍ମାନୁଷ୍ଠାନ ଉଚ୍ଛେଦ ପ୍ରସଂଗରେ ସରକାର ପୁନର୍ବିଚାର କରି ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ଆଜି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ଅରୁଣ ମିଶ୍ର ଓ ଜଷ୍ଟିସ ଅମିତାଭ ରାୟଙ୍କୁ ନେଇ ଗଠିତ ଖଣ୍ଡପୀଠରେ ବେଆଇନ ଧର୍ମାନୁଷ୍ଠାନ ସଂପର୍କିତ ମାମଲା ଗୁଡିକର ଆଜି ଏକତ୍ର ଶୁଣାଣି ହୋଇଥିଲା। ବେଆଇନ୍‌ ଧର୍ମାନୁଷ୍ଠାନ ଗୁଡିକ ସଂପର୍କରେ ନିଷ୍ପତ୍ତି ଗ୍ରହଣ ପାଇଁ ରାଜ୍ୟ ସରକାର ନିୟମାବଳୀ କରିଥିବା ବେଳେ ଜିଲ୍ଲା ସ୍ତରରେ ଗଠିତ କମିଟି ନିୟମ ଉଲ୍ଲଘଂନ କରି ଗଢି ଉଠିଥିବା ଧର୍ମାନୁଷ୍ଠାନ ଗୁଡିକ ପ୍ରସଂଗରେ ସ୍ୱତନ୍ତ୍ର ଭାବେ ବିଚାର କରି ନିଷ୍ପତ୍ତି ଗ୍ରହଣ କରିବେ। ପ୍ରତ୍ୟେକ ଧର୍ମାନୁଷ୍ଠାନ ପ୍ରସଂଗରେ ସ୍ୱତନ୍ତ୍ର ଭାବେ ପରିସ୍ଥିତିର ତର୍ଜମା କରି ନିଷ୍ପତ୍ତି ନିଆଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି। ପରିସ୍ଥିତିକୁ ବିଚାରକୁ ନେଇ କେଉଁ ଧର୍ମାନୁଷ୍ଠାନକୁ ନିୟମିତ କରାଯାଇ ପାରିବ, କେଉଁ ଧର୍ମାନୁଷ୍ଠାନକୁ ସ୍ଥାନାନ୍ତର କରାଯିବ ଓ କେଉଁ ଧର୍ମାନୁଷ୍ଠାନକୁ ସଂପୂର୍ଣ୍ଣ ଭାବେ ଉଚ୍ଛେଦ କରାଯିବ, ସେ ସଂସପର୍କରେ କମିଟି ସ୍ୱତନ୍ତ୍ର ଭାବେ ନିଷ୍ପତ୍ତି ନେବ ବୋଲି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏପରି ନିର୍ଦ୍ଦେଶ ପରେ କଟକ ସହରର ବହୁ ଧର୍ମାନୁଷ୍ଠାନ ଆଶ୍ୱସ୍ତ ହୋଇଛନ୍ତି। ବେଆଇନ ଭାବେ ଗଢି ଉଠିଥିବା ଧର୍ମାନୁଷ୍ଠାନକୁ ନିୟମିତ କରିବା ପାଇଁ ପ୍ରାଥମିକତା ଦେବା ଉପରେ ସୁପ୍ରିମକୋର୍ଟ ଗୁରୁତ୍ୱାରୋପ କରିଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ସର୍ବସାଧାରଣ ରାସ୍ତା, ପାର୍କ ଓ ଅନ୍ୟାନ୍ୟ ସରକାରୀ ଜମିରେ ମନ୍ଦିର, ମସଜିଦ, ଚର୍ଚ୍ଚ, ଗୁରୁଦ୍ଵାର ଭଳି ଧାର୍ମିକ ଅନୁଷ୍ଠାନ ନାମରେ କୌଣସି ବେଆଇନ୍‌ ନିର୍ମାଣ ପାଇଁ ଅନୁମତି ଦିଆଯିବ ନାହିଁ ବୋଲି ସୁପ୍ରିମକୋର୍ଟ ୨୦୦୯, ସେପ୍ଟେମ୍ବର ୯ରେ ନିର୍ଦ୍ଦେଶ ଦେଇଥିଲେ। ଯେଉଁ ବେଆଇନ୍‌ ଧର୍ମାନୁଷ୍ଠାନ ଗୁଡିକର ନିର୍ମାଣ ସରିଛି ସେ ଗୁଡିକ ସଂପର୍କରେ ସମସ୍ତ ସରକାର ପୁନର୍ବିଚାର କରି ନିଷ୍ପତ୍ତି ନେବେ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ୨୦୧୧, ଜାନୁଆରି ୬ରେ ୧୯୮୭ ମସିହା ପରେ କଟକ ସହରରେ ଗଢି ଉଠିଥିବା ବେଆଇନ୍‌ ଧର୍ମାନୁଷ୍ଠାନ ଉଚ୍ଛେଦ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ୨୦୧୩ରେ ଜିଲ୍ଲା ପ୍ରଶାସନ, ସିଏମ୍‌ସି ଓ କଟକ ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ) ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟାକୁ ଜୋରଦାର କରାଯାଇଥିଲା। ବିଭିନ୍ନ ବେଆଇନ୍‌ ଧର୍ମାନୁଷ୍ଠାନ ଗୁଡିକୁ ନୋଟିସ୍‌ ଦିଆଯାଇ ନିର୍ମାଣ କରାଯାଇଥିବା ସୌଧକୁ ଭାଙ୍ଗି ଦିଆଯାଇଥିଲା। ଚାନ୍ଦିନୀଚୌକ ଗୁଣ୍ଡିଚା ମନ୍ଦିର ସହିତ ଶ୍ୟାମାଶ୍ୟାମ ଧାମ ଓ ଅନ୍ୟ ୩୦ଟି ଛୋଟ ବଡ ମନ୍ଦିରକୁ ପ୍ରଶାସନ ଭାଙ୍ଗି ଦେଇଥିଲା। ଅନ୍ୟ ପକ୍ଷରେ ଉଚ୍ଛେଦ ନୋଟିସକୁ ଚ୍ୟାଲେଞ୍ଜ୍‌ କରି ଖାନ୍‌ନଗର ଶିରିଡି ସାଇ ମନ୍ଦିର, ଚହଟା ରମନିଗମେଶ୍ୱର ମନ୍ଦିର, ଚହଟା ଗାୟତ୍ରୀ ପରିବାର ଟ୍ରଷ୍ଟ୍‌ ଓ ମହାନଦୀ ବିହାର ନିକଟ ଅନନ୍ତଗୋପାଳ ଆଶ୍ରମ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ୨୦୧୩, ମେ ୩୧ରେ ଆବେଦନକାରୀ ଧର୍ମାନୁଷ୍ଠାନ ଗୁଡିକ ଉଚ୍ଛେଦ ଉପରେ ସୁପ୍ରିମକୋର୍ଟଙ୍କ ୨ ଜଣିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଅନ୍ତରୀଣ ରହିତାଦେଶ ଜାରି କରିଥିଲେ। ଏଥି ସହିତ ରାଜ୍ୟ ସରକାର ଓ ସିଡିଏକୁ ନୋଟିସ୍‌ ଜାରି କରାଯାଇଥିଲା। ଏହାପରେ ଖାନନଗର ପଞ୍ଚମୁଖୀ ହନୁମାନ ମନ୍ଦିର, ପୂର୍ବାଞ୍ଚଳ କଟକ ସଦର ଯାଦବ ମହାସଭା ଦ୍ଵାରା ପରିଚାଳିତ ଅନୁଷ୍ଠାନ, ଶନି ମନ୍ଦିର, ଶ୍ୟାମାଶ୍ୟାମ ଧାମ, ଅଭିରାମ ଆଶ୍ରିତ ପରିବାର ସଂଘ, ଶନି ମନ୍ଦିର କଟକ, ମା ଭୁଆଷୁଣି ମନ୍ଦିର ଓ ଅନ୍ୟ କେତେକ ଅନୁଷ୍ଠାନ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ବିଭିନ୍ନ ଧର୍ମାନୁଷ୍ଠାନ ପକ୍ଷରୁ ମାମଲା ପରିଚାଳନା କରୁଛନ୍ତି ବରିଷ୍ଠ ଆଇନଜୀବୀ ସୁରେଶ ଚନ୍ଦ୍ର ତ୍ରିପାଠୀ ଓ ଆଇନଜୀବୀ ପ୍ରସନ୍ନ କୁମାର ନନ୍ଦ। ଖାନନଗର ସାଇ ମନ୍ଦିର ତରଫରୁ ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ ଓ ସୁପ୍ରିମକୋର୍ଟର ଆଇନଜୀବୀ ସାର୍ଥକ ନାୟକ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର