ଯାତ୍ରୀମାନଙ୍କ ପାଇଁ ନୂଆ ବ୍ୟବସ୍ଥା କଲା ଭାରତୀୟ ରେଳ : ପଲିମର ପ୍ଲେଟ୍‌ ବଦଳରେ ଆଖୁ ଚୋପାରେ ତିଆରି ପ୍ଲେଟ୍‌ରେ ପରଶାଯିବ ଖାଦ୍ୟ

ନୂଆଦିଲ୍ଲୀ : ପୂର୍ବରୁ ରେଳବାଇରେ ଯାତ୍ରୀମାନଙ୍କୁ ଦିଆଯାଇଥିବା ସୁବିଧାକୁ ନେଇ ଅନେକ ଥର ଅଭିଯୋଗ ଆସି ସାରିଛି । କିଛି ଦିନ ପୂର୍ବରୁ ଟ୍ରେନ୍‌ରେ ଯାତ୍ରୀମାନଙ୍କୁ ଦିଆଯାଉଥିବା ଚା’ପଛର ଅସଲ ଚିତ୍ର ସମସ୍ତଙ୍କ ସାମ୍ନାକୁ ଆସିଥିଲା । ଏହି ଖବର ଆସିବା ପରେ ଲୋକମାନଙ୍କ ମଧ୍ୟରେ ରେଳବାଇ ପ୍ରତି ବିତୃଷ୍ଣାଭାବ ସୃଷ୍ଟି ହେବା ସହ ସରକାର କଠୋର କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ଲୋକମାନେ କହିବା ଆରମ୍ଭ କରିଥିଲେ ।

ତେବେ ଏତେ ସବୁ ବାଦବିବାଦ ଭିତରେ ରେଳବାଇ ଯାତ୍ରୀମାନଙ୍କ ପାଇଁ ଏକ ନୂଆ ନିୟମ ଆରମ୍ଭ କରିବାକୁ ଯାଉଛି । ଗୋ ଗ୍ରୀନ୍‌ କ୍ୟାମ୍ପେନ୍‌କୁ ସମର୍ଥନ କରି ରେଳବାଇ ଟ୍ରେନ୍‌ ଭିତରେ ପଲିମର ପ୍ଲେଟର ବ୍ୟବହାରକୁ ହଟାଇବାକୁ ନିଷ୍ପତ୍ତି ନେଇଛି । ପଲିମର ପ୍ଲେଟ୍‌ ବଦଳରେ ଏବେ ଯାତ୍ରୀମାନଙ୍କୁ ଆଖୁ ଚୋପାରେ ତିଆରି ପ୍ଲେଟ୍‌ରେ ଖାଇବାକୁ ଦିଆଯିବ ବୋଲି ରେଳବାଇ ତରଫରୁ ଘୋଷଣା କରାଯାଇଛି । ଏହି ପଦକ୍ଷପ ଦ୍ୱାରା ଯାତ୍ରୀମାନେ ସବୁବେଳେ ସଫା ପ୍ଲେଟ୍‌ରେ ଖାଇବାର ସୁବିଧା ପାଇପାରିବେ ।

www.indiatimes.com

ସୂଚନା ମୁତାବକ, ଏହାକୁ ପ୍ରଥମେ ସିଆଲଦା ରାଜଧାନୀ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ବ୍ୟବହାର କରାଯିବ । ସଫଳ ହେବା ପରେ ଧିରେ ଧିରେ ଏହାକୁ ଅନ୍ୟ ଟ୍ରେନମାନଙ୍କରେ ଉପଲବ୍ଧ କରାଯିବ ବୋଲି ଜଣାପଡ଼ିଛି । ଏହି ପ୍ଲେଟ୍‌ ବ୍ୟବହାର ଦ୍ୱାରା ଯାତ୍ରୀମାନଙ୍କୁ ଲାଭ ମିଳିବା ସହ ପରିବେଶ ପ୍ରଦୂଷଣକୁ ମଧ୍ୟ ରୋକା ଯାଇପାରିବ । ପୂର୍ବରୁ ବ୍ୟବହାର କରାଯାଉଥିବା ପ୍ଲେଟ୍‌ରେ ଖାଇବା ସମୟରେ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ପ୍ଲେଟ୍‌ ସଫା ନ ଥିବା ବା ଖାଦ୍ୟରେ କିଛି ମିଶା ଯାଇଥିବାକୁ ଅନେକ ଥର ଯାତ୍ରୀମାନେ ଅଭିଯୋଗ କରି ଆସିଛନ୍ତି । ଏହି ସବୁ ସମସ୍ୟାର ସମାଧାନ ପାଇଁ ରେଳବାଇ ତରଫରୁ ଏହି ପଦକ୍ଷପ ନିଆ ଯାଇଥିବା ସୂଚନା ମିଳିଛି । ଏହା ଦ୍ୱାରା ଖାଇବା ପ୍ଲେଟ୍‌କୁ ନେଇ ଯାତ୍ରୀମାନଙ୍କୁ ହେଉଥିବା ଅସୁବିଧା କମ ହେବ ବୋଲି ଆଶା କରିଛି ରେଳବାଇ ।

ସମ୍ବନ୍ଧିତ ଖବର