ମସ୍‌ଜିଦ୍‌ରେ ମହିଳାଙ୍କ ପ୍ରବେଶକୁ ସମର୍ଥନ

ସୁପ୍ରିମ୍‌ କୋର୍ଟରେ ସତ୍ୟପାଠ ଦାଖଲ

ନୂଆଦିଲ୍ଲୀ : ଅଲ୍‌ ଇଣ୍ଡିଆ ମୁସ୍‌ଲିମ ପର୍ସନାଲ ଲ ବୋର୍ଡ (ଏଆଇଏମ୍‌ପିଏଲ୍‌ବି) ମସ୍‌ଜିଦ୍‌ରେ ମହିଳାଙ୍କ ପ୍ରବେଶକୁ ସମର୍ଥନ କରିଛି। ଏଆଇଏମ୍‌ପିଏଲ୍‌ବି ସୁପ୍ରିମ୍‌ କୋର୍ଟରେ ସତ୍ୟପାଠ ଦାଖଲ କରି ଏ ବାବଦରେ ନିଜର ମତ ରଖିଛି। ବୋର୍ଡ କହିଛି ଯେ ମସଜିଦ୍‌ରେ ମହିଳାଙ୍କ ପ୍ରବେଶ ପାଇଁ ଇସ୍‌ଲାମ ଧର୍ମଶାସ୍ତ୍ରରେ କୌଣସି ନିଷେଧାଦେଶ ନାହିଁ। ତେଣୁ ଏ ବାବଦରେ ଥିବା ସମସ୍ତ ଫତୱା କୌଣସି ଅର୍ଥ ରଖୁନାହିଁ । ଇସ୍‌ଲାମ ମସ୍‌ଜିଦରେ ମହିଳାଙ୍କ ପ୍ରବେଶ ଏବଂ ପ୍ରାର୍ଥନା ପାଇଁ ଅନୁମତି ଦେଉଛି। ତେବେ ପୁରୁଷଙ୍କ ଭଳି ଏହା ମହିଳାଙ୍କ କ୍ଷେତ୍ରରେ ବାଧ୍ୟତାମୂଳକ ନୁହେଁ। ଏହି ପ୍ରସଙ୍ଗରେ ଚୂଡ଼ାନ୍ତ ନିଷ୍ପତ୍ତି ମସ୍‌ଜିଦ୍‌ ପ୍ରବନ୍ଧକ କମିଟି ନେଇଥାଏ। ପରିସ୍ଥିତି ଏବଂ ସୁବିଧାକୁ ଦେଖି ଏ ସଂକ୍ରାନ୍ତ ନିଷ୍ପତ୍ତି ସେମାନେ ନେଉଛନ୍ତି ବୋଲି ଏଆଇଏମ୍‌ପିଏଲ୍‌ବି କହିଛି।

କେରଳର ସବରିମାଳା ମନ୍ଦିରରେ ସବୁ ବୟସର ମହିଳାଙ୍କ ପ୍ରବେଶକୁ ନେଇ ଉପୁଜିଥିବା ବିବାଦ ମାମଲାରେ ଏଆଇଏମ୍‌ପିଏଲ୍‌ବି ପକ୍ଷରୁ ଏଭଳି ସତ୍ୟପାଠ ସୁପ୍ରିମ୍‌କୋର୍ଟରେ ଦାଖଲ କରାଯାଇଛି । ଏହି ମାମଲାରେ ସୁପ୍ରିମ୍‌ କୋର୍ଟ ସବରିମାଳା ସମେତ ଅନ୍ୟ ଧର୍ମର ଧାର୍ମିକ ସ୍ଥଳରେ ମହିଳାଙ୍କ ପ୍ରବେଶ ମାମଲାକୁ ମଧ୍ୟ ଯୋଡ଼ି ବିଚାର କରୁଛନ୍ତି। ଧାର୍ମିକ ପରମ୍ପରାରେ ସୁପ୍ରିମ୍‌ କୋର୍ଟ କେତେଦୂର ହସ୍ତକ୍ଷେପ କରିପାରିବ ସେହି ଦିଗକୁ ମଧ୍ୟ ସୁପ୍ରିମ୍‌ କୋର୍ଟ ଗୁରୁତ୍ବ ଦେଉଛନ୍ତି।

ସମ୍ବନ୍ଧିତ ଖବର