ଏକସଙ୍ଗେ ନିର୍ବାଚନ ପ୍ରସଙ୍ଗ:ଇଭିଏମ୍‌ ପାଇଁ ୪୫୫୫ କୋଟି ଆବଶ୍ୟକ

ନୂଆଦିଲ୍ଲୀ: ଦେଶରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକସଙ୍ଗେ ହେବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏଥିପାଇଁ ପର୍ଯ୍ୟାପ୍ତ ସଂଖ୍ୟକ ଇଭିଏମ୍‌ (ଇଲେକ୍ଟ୍ରୋନିକ୍‌ ଭୋଟିଂ ମେସିନ୍‌) ଆବଶ୍ୟକ ବୋଲି ଆଇନ କମିସନ୍‌ କହିଛନ୍ତି। ସେହିଭଳି ଇଭିଏମ୍‌ କିଣିବା ପାଇଁ ୪,୫୫୫ କୋଟି ଟଙ୍କା ଦରକାର ବୋଲି କମିସନ୍‌ ସୂଚାଇଛନ୍ତି।
୨୦୧୯ ସାଧାରଣ ନିର୍ବାଚନ ନିମନ୍ତେ ନିର୍ବାଚନ କମିସନ୍‌ କରିଥିବା ଆକଳନ ଉପରେ ଆଇନ କମିସନ୍‌ ଏଭଳି ରିପୋର୍ଟ ଦେଇଛନ୍ତି। ନିର୍ବାଚନ କମିସନ୍‌ ନିଜର ଏକ ରିପୋର୍ଟରେ ଦର୍ଶାଇଛନ୍ତି ଯେ ଦେଶରେ ପ୍ରାୟ ୧୦,୬୦,୦୦୦ ମତଦାନ ଶିବିର ସ୍ଥାପନ ହେବ। ସେହିଭଳି ବର୍ତ୍ତମାନ ପାଖାପାଖି ୧୨.୯ ଲକ୍ଷ ବ୍ୟାଲଟ୍‌ ୟୁନିଟ୍‌ ଅଭାବ ଥିବା ବେଳେ ୯.୪ ଲକ୍ଷ କଣ୍ଟ୍ରୋଲ୍‌ ୟୁନିଟ୍‌ ଏବଂ ୧୨.୩ ଲକ୍ଷ ଭିଭିପିଏଟିର ଅଭାବ ରହିଛି। ତେଣୁ ଯଦି ଏକସଙ୍ଗେ ନିର୍ବାଚନ ପାଇଁ ଯୋଜନା ପ୍ରସ୍ତୁତ ହୁଏ, ସେଥିପାଇଁ ଏ ଦିଗରେ ସରକାରଙ୍କୁ ଦୃଷ୍ଟି ଦେବାକୁ ପଡ଼ିବ ବୋଲି ଇସି ନିଜ ରିପୋର୍ଟରେ ଦର୍ଶାଇଥିଲେ। ଚିଠା ରିପୋର୍ଟରେ ଦର୍ଶାଯାଇଛି ଯେ ଇଭିଏମ୍‌ରେ କଣ୍ଟ୍ରୋଲ୍‌ ୟୁନିଟ୍‌, ବ୍ୟାଲଟ୍‌ ୟୁନିଟ୍‌ ଓ ଭିଭିପିଏଟି ରହିଥିବା ବେଳେ ଏହାର ମୂଲ୍ୟ ୩୩,୨୦୦ ଟଙ୍କା ରହିଛି। ସେହି ଦୃଷ୍ଟିରୁ ଏକସଙ୍ଗେ ନିର୍ବାଚନ ନିମନ୍ତେ ଆବଶ୍ୟକ ଇଭିଏମ୍‌ କିଣିବା ପାଇଁ ମୋଟ ୪,୫୫୫ କୋଟି ଟଙ୍କା ବ୍ୟୟ ହେବ। ଇସି ରିପୋର୍ଟକୁ ଆଧାର କରି ଲ’ କମିସନ୍‌ ଦର୍ଶାଇଛନ୍ତି ଯେ ଏକ ଇଭିଏମ୍‌ର ଜୀବନକାଳ ୧୫ ବର୍ଷ ରହିଥିବାରୁ ୨୦୨୪ରେ ହେବାକୁ ଥିବା ଦ୍ୱିତୀୟ ସମ୍ଭାବ୍ୟ ଏକକ ନିର୍ବାଚନ ନିମନ୍ତେ ଇଭିଏମ୍‌ ହାସଲ ପାଇଁ ୧,୭୫୧.୧୭ କୋଟି ଟଙ୍କା ଦରକାର। ସେହିଭଳି ୨୦୨୯ ନିର୍ବାଚନ ପାଇଁ ୨,୦୧୭.୯୩ କୋଟି ଟଙ୍କା ଦରକାର। ଏହାପରେ ୨୦୩୪ରେ ପ୍ରସ୍ତାବିତ ଏକକ ନିର୍ବାଚନ ଲାଗି ମୋଟ ୧୩,୯୮୧.୫୮ କୋଟି ଟଙ୍କା ଦରକାର ପଡ଼ିବ। କାରଣ ଏଥିପାଇଁ ସଂପୂର୍ଣ୍ଣ ନୂଆ ଇଭିଏମ୍‌ କିଣିବାକୁ ପଡ଼ିବ। ତେବେ ବର୍ତ୍ତମାନର ଦରକୁ ଭିତ୍ତିକରି ଏହି ମୂଲ୍ୟ ଆକଳନ କରାଯାଇଛି। ତେଣୁ ଏହି ମୂଲ୍ୟ ଅଧିକ ହୋଇପାରେ।

ସମ୍ବନ୍ଧିତ ଖବର