ପାରିକରଙ୍କ ପରଲୋକ : ରାଷ୍ଟ୍ରୀୟ ଶୋକ ଘୋଷଣା, ଆଜି ଶେଷକୃତ୍ୟ

ପାନାଜି : ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କର ଆଜି ପରଲୋକ ହୋଇଯାଇଛି। ତାଙ୍କୁ ୬୩ ବର୍ଷ ହୋଇଥିଲା। କର୍କଟ ରୋଗରେ ପୀଡ଼ିତ ଥିବା ପାରିକରଙ୍କର ଅବସ୍ଥା ଗତକାଲି ଠାରୁ ସଙ୍କଟାପନ୍ନ ହୋଇଯାଇଥିଲା। ତାଙ୍କୁ ଗତ ସନ୍ଧ୍ୟାରୁ ଲାଇଫ ସପୋର୍ଟିଂ ସିଷ୍ଟମରେ ରଖାଯାଇଥିଲା। ଡାକ୍ତରମାନଙ୍କର ସମସ୍ତ ଉଦ୍ୟମ ସତ୍ତ୍ବେ ଆଜି ସନ୍ଧ୍ୟା ୬ଟା ୪୦ ମିନିଟ‌ରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ପ୍ରଥମେ ଟୁଇଟ୍ କରି ଏହି ଦୁଃଖଦ ଖବର ଜଣାଇଛନ୍ତି। ପାରିକରଙ୍କ ପାଇଁ ସରକାର ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ଆସନ୍ତାକାଲି ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯିବ।

ଗତବର୍ଷ ଫେବ୍ରୁଆରିରେ ସେ ପାନକ୍ରିଆଟିକ୍ କ୍ୟାନସରରେ ପୀଡ଼ିତ ଥିବା ଜଣାପଡ଼ିବା ପରଠାରୁ ଆମେରିକା, ଦିଲ୍ଲୀ ଏମସ୍ ଏବଂ ଗୋଆ ସମେତ ମୁମ୍ବାଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତେବେ ୬୩ ବର୍ଷୀୟ ପାରିକରଙ୍କୁ ଆଜି ମୃତ୍ୟୁ ପାଖରେ ହାର ମାନିବାକୁ ପଡ଼ିଛି।

ଗତ କିଛି ଦିନ ହେଲା ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅସ୍ଥିର ରହୁଥିଲା। ଫଳରେ‌ ଅନେକ ସମୟରେ ତାଙ୍କୁ ଡାକ୍ତରଖାନାରେ ଭର୍ତି ହେବାକୁ ପଡ଼ିଥିଲା। ତଥାପି ‌େସ ହାର ମାନିନଥିଲେ। ଦୃଢ଼ ମନୋବଳ ସହିତ ସେ ମୁଖ୍ୟମନ୍ତ୍ରୀ ଭାବେ ତାଙ୍କ ଦାୟିତ୍ବ ତୁଲାଇ ଚାଲିଥିଲେ। ତାଙ୍କର ସ୍ବାସ୍ଥ୍ୟାବସ୍ଥା ଦିନକୁ ଦିନ ଖରାପ ହେବାକୁ ଲାଗିଥିଲା। ଏପରିକି ‌ଖାଦ୍ୟ ପାଇଁ ତାଙ୍କ ନା‌କରେ ଟ୍ୟୁବ୍ ମଧ୍ୟ ଲାଗିଥିଲା। ଏଭଳି ଅବସ୍ଥାରେ ମଧ୍ୟ ସେ ଅଫିସ ଯାଉଥିଲେ ଏବଂ ବିଧାନସଭା ଯାଇ ବଜେଟ ଉପସ୍ଥାପନ କରିଥିଲେ। ଆସନ୍ତା‌ ଲୋକସଭା ନିର୍ବାଚନରେ ‌େସ ପ୍ରଚାର କରିବେ ବୋଲି ଗତମାସ ସୂଚନା ଦେଇଥିଲେ।

ତାଙ୍କ ବିୟୋଗରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବିଭିନ୍ନ କେନ୍ଦ୍ର ମନ୍ତ୍ରୀ ଏବଂ ଅନ୍ୟାନ୍ୟ ରାଜନେତାମାନେ ଗଭୀର ଶୋକବ୍ୟକ୍ତ କରିଛନ୍ତି। ନିଜକୁ ଜନସେବାରେ ଉତ୍ସର୍ଗ କରି ନିଷ୍ଠାର ପ୍ରତୀକ ଥିବା ପାରିକରଙ୍କ ଭୂମିକାକୁ ଗୋଆର ଜନସାଧାରଣ ସମେତ ଦେଶବାସୀ କେବେ ଭୁଲିପାରିବେ ନାହିଁ ବୋଲି ରାଷ୍ଟ୍ରପତି କହିଛନ୍ତି।

ଗୋଆର ଚାରି ଥର ମୁଖ୍ୟମନ୍ତ୍ରିତ୍ବ ସମ୍ଭାଳିଥିବା ପାରିକର ଦେଶର ପ୍ରତିରକ୍ଷା ମନ୍ତ୍ରୀ ଥିବା ସମୟରେ ହିଁ ୨୦୧୬ ମସିହାରେ ଭାରତୀୟ ସେନା ପାକିସ୍ତାନୀ ଆତଙ୍କବାଦୀ ଶିବିର ଉପରେ ପ୍ରଥମ ସର୍ଜିକାଲ ଷ୍ଟ୍ରାଇକ୍ କରିଥିଲା। ସେହିପରି ପାରିକରଙ୍କ ଅମଳରେ ହିଁ ଫ୍ରାନ୍ସ ସହ ବହୁ ଚର୍ଚ୍ଚିତ ରାଫେଲ୍ ସଂକ୍ରାନ୍ତ ଚୂଡ଼ାନ୍ତ ବୁଝାମଣା ହୋଇଥିଲା।

ଗତ ଜାନୁଆରିରେ ଗୋଆ ବିଧାନସଭାରେ ଅତ୍ୟନ୍ତ କ୍ଲାନ୍ତ ଓ ଅବସନ୍ନ ଜଣାପଡ଼ୁଥିବା ପାରିକର ଭାବପୂର୍ଣ୍ଣ ସମ୍ବାଧନ କରି ଶେଷ ଥର ପାଇଁ ସଂକ୍ଷେପରେ ବଜେଟ ଉପସ୍ଥାପନ କରିଥିଲେ। ତାଙ୍କର ସ୍ବାସ୍ଥ୍ୟାବସ୍ଥା ତାଙ୍କୁ ମନଖୋଲି କିଛି କହିବାକୁ ଅନୁମତି ଦେଉନାହିଁ ବୋଲି ସେ ସୂଚନା ଦେବା ସହ ମନ ଭିତରେ ତାଜା ଉତ୍ସାହ ଭରି ରହିଛି ଏବଂ ସେ ସଜାଗ ଅଛନ୍ତି ବୋଲି କହିଥିଲେ। ତାଙ୍କ ପରଲୋକ ଗୋଆ ରାଜନୀତିରେ ଏକ ବିରାଟ ଶୂନ୍ୟସ୍ଥାନ ଆଣିବା ସହ ସେଠାରେ ବିଶେଷ କରି ବିଜେପି ନେତୃତ୍ବାଧୀନ ମେଣ୍ଟ ସରକାର ପାଇଁ ସଂକଟ ବଢ଼ାଇଦେଇଛି।

ସମ୍ବନ୍ଧିତ ଖବର