ନ୍ୟାୟପାଳିକା ବନାମ କାର୍ଯ୍ୟପାଳିକା:ସରକାର ନିଜ ଦୋଷ ଘୋଡ଼ାଇବାକୁ ଚାହୁଛନ୍ତି

ନୂଆଦିଲ୍ଲୀ: ସମାଜରେ ଅବହେଳିତ ଓ ଉପେକ୍ଷିତ ବର୍ଗଙ୍କ ସୁରକ୍ଷା ପାଇଁ ଯେତେବେଳେ ନ୍ୟାୟପାଳିକା ରାୟ ପ୍ରକାଶ କରନ୍ତି ସେତେବେଳେ କାର୍ଯ୍ୟପାଳିକା ଏବଂ ବ୍ୟବସ୍ଥାପିକା ଦ୍ୱାରା ‘ଅଯଥା ହସ୍ତକ୍ଷେପ’ ଅଭିଯୋଗ କରାଯାଉଛି। ଆଜି ସୁପ୍ରିମ୍‌ କୋର୍ଟ କହିଛନ୍ତି ଯେ ସରକାରଙ୍କ ଏଭଳି ଆଚରଣ ନିଜର ଦୋଷ ଦୁର୍ବଳତା ଘୋଡ଼ାଇବାକୁ ଉଦ୍ଦିଷ୍ଟ। ସୁପ୍ରିମ୍‌ କୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ମଂଗଳବାର କହିଛନ୍ତି, ଲୋକଙ୍କୁ ସାମାଜିକ ନ୍ୟାୟ ଦେବାରେ ବିଫଳ ହେଉଥିବାରୁ ସରକାର ‘ନ୍ୟାୟପାଳିକାର ମାତ୍ରାଧିକ ସକ୍ରିୟତା’ ପ୍ରସଙ୍ଗ ଉଠାଉଛନ୍ତି। ନ୍ୟାୟପାଳିକା ଦ୍ୱାରା ଜନସ୍ୱାର୍ଥ ମାମଲାଗୁଡ଼ିକର ଶୁଣାଣିକୁ ସରକାର ସମାଲୋଚନା କରୁଛନ୍ତି ଏବଂ ପ୍ରତ୍ୟେକ କଥାରେ ‘ନ୍ୟାୟପାଳିକାର ହସ୍ତକ୍ଷେପ ଗ୍ରହଣୀୟ ନୁହେଁ’ ବୋଲି ଦର୍ଶାଉଛନ୍ତି। ତେବେ ଏହା ଯୁକ୍ତି ସଂଗତ ନୁହେଁ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି।

ଜଷ୍ଟିସ୍‌ ମଦନ ବି ଲୋକୁର, ଏସ୍‌୍‌. ଅବଦୁଲ୍‌ ନାଜିର ଏବଂ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ କହିଛନ୍ତି ଯେ ନ୍ୟାୟପାଳିକାର ଏଭଳି ସକ୍ରିୟତା ସାମାଜିକ ପରିବର୍ତ୍ତନ ଦିଗରେ ଏକ ଅସ୍ତ୍ର ଭଳି କାର୍ଯ୍ୟ କରୁଛି। ସୁପ୍ରିମ୍‌ କୋର୍ଟ ଦ୍ୱାରା ଅନେକ ମାମଲାରେ ଦିଆଯାଇଥିବା ରାୟ ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ବଳିଷ୍ଠ ଭୂମିକା ଗ୍ରହଣ କରିଛି। ଖଣ୍ଡପୀଠ କହିଛନ୍ତି ଯେ ବିଗତ କିଛି ଦଶନ୍ଧି ମଧ୍ୟରେ ପିଆଇଏଲ୍‌ ମାଧ୍ୟମରେ କୋର୍ଟ ପରିବେଶ, ସାମାଜିକ ନ୍ୟାୟ, ମାନବାଧିକାର ଉଲ୍ଲଂଘନ, ସମ୍ବିଧାନର ଧାରା ୨୧କୁ ଉପେକ୍ଷା ମାମଲାରେ ଶୁଣାଣି କରିଛନ୍ତି। ସାଂପ୍ରତିକ ସମୟରେ ଏହାକୁ ନ୍ୟାୟପାଳିକାର ଅଯଥା ସକ୍ରିୟତା ନାମ ଦେଇ ଏହି ପ୍ରକ୍ରିୟାକୁ ଶେଷ କରିବା ପାଇଁ ପ୍ରୟାସ ହେଉଛି । ତେବେ ଏଭଳି ପ୍ରୟାସ କେବଳ ସରକାରଙ୍କ ଦୋଷ ଦୁର୍ବଳତା ଘୋଡ଼ାଇବାକୁ ଉଦ୍ଦିଷ୍ଟ ବୋଲି କୋର୍ଟ କହିଛନ୍ତି। ଜଷ୍ଟିସ୍‌ ଲୋକୁର କହିଛନ୍ତି ଯେ ସମାଜର ଲକ୍ଷ ଲକ୍ଷ ଅବହେଳିତ ଜନତାଙ୍କୁ ପିଆଇଏଲ ମାଧ୍ୟମରେ ସ୍ୱର ମିଳିଛି ।

ସମ୍ବନ୍ଧିତ ଖବର