ବିଜୁଳି ଚାଳିତ ଗାଡ଼ି ପାଇଁ ସବୁଜ ରଙ୍ଗର ନମ୍ବର ପ୍ଲେଟ୍‌ ଅନୁମୋଦନ କଲେ ସରକାର

ନୂଆଦିଲ୍ଲୀ: ବିଜୁଳି ଚାଳିତ ଯାନବାହନ ପାଇଁ କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟ ସବୁଜ ରଙ୍ଗର ରେଜିଷ୍ଟ୍ରେସନ୍‌ ପ୍ଲେଟ୍‌ ଅନୁମୋଦନ କରିଛନ୍ତି। ଫଳରେ ଏହି ଯାନବାହନ ସବୁ ଅନ୍ୟାନ୍ୟ ଯାନବାହନ ଠାରୁ ବାରି ହୋଇ ପଡ଼ିବ। ଏହି ଗାଡ଼ିଗୁଡ଼ିକୁ ପାର୍କିଂସ୍ଥଳ ଅଗ୍ରାଧିକାର ଏବଂ ଟୋଲ୍‌ ଗେଟ୍‌ରେ ରିହାତି ମିଳିବ ବୋଲି ଏ ଭଳି ନିଷ୍ପତ୍ତି ନିଆଯାଇଛି।

ଏ ବାବଦରେ ମନ୍ତ୍ରାଳୟ ଖୁବ୍‌ ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରିବ ବୋଲି ଜଣାପଡ଼ିଛି। ବ୍ୟକ୍ତିଗତ ବ୍ୟବହାର ପାଇଁ କିଣାଯାଇଥିବା ବିଜୁଳି ଚାଳିତ ଯାନ ସବୁ ସବୁଜ ପୃଷ୍ଠଭୂମି ଥିବା ପ୍ଲେଟ୍‌ରେ ଧଳା ଅକ୍ଷରରେ ନମ୍ବର ଲେଖାଯିବ। ବ୍ୟାବସାୟିକ ପରିବହନ ନିମନ୍ତେ ଖରିଦ କରାଯାଇଥିବା ବିଜୁଳି ଚାଳିତ ଯାନବାହନର ନମ୍ବର ପ୍ଲେଟ୍‌ ସବୁଜ ରଙ୍ଗର ହେବା ସହ ହଳଦିଆ ରଙ୍ଗରେ ନମ୍ବର ଲେଖାଯିବ।

ସବୁଜ ରଙ୍ଗର ନମ୍ବର ପ୍ଲେଟ୍‌ ପାଇଁ ନୀତି ଆୟୋଗ ଅନୁମୋଦନ କରିଛି। ବିଜୁଳି ଚାଳିତ ଯାନବାହନର ବହୁଳ ପ୍ରଚଳନକୁ ଉତ୍ସାହ ଦେବା ପାଇଁ ଗାଇଡ୍‌ଲାଇନ୍‌ ପ୍ରସ୍ତୁତ କରିବା ନିମନ୍ତେ ନୀତି ଆୟୋଗ ଶକ୍ତି, ସଡ଼କ ଓ ଭାରୀ ଶିଳ୍ପ ଆଦି ସାତଟି ମନ୍ତ୍ରଳାୟକୁ ମିଶାଇ ଏକ ଟିମ୍‌ ଗଠନ କରିଛି।
୨୦୩୦ ସୁଦ୍ଧା ଭାରତରେ ସମସ୍ତ ଯାନବାହନ ବିଜୁଳି ଶକ୍ତିରେ ଚାଲିବ ବୋଲି ସରକାର ସ୍ଥିର କରିଥିବା କଥା ନେସ୍‌ନାଲ୍‌ ଇଲେକ୍ଟ୍ରିକ୍‌ ମୋବିଲିଟି ମିସନ୍‌ କହିଛି।

ସମ୍ବନ୍ଧିତ ଖବର