ଜିଏସଟି ପରିଷଦ ବୈଠକରେ ଅନେକ ସାମଗ୍ରୀ ଉପରେ ଟିକସ ହ୍ରାସ, କମିଲା ‌କାର୍‌ ଦାମ୍‌, ହୋଟେଲ୍‌ ଭଡ଼ା 

ନୂଆଦିଲ୍ଲୀ : ମାନ୍ଦାବସ୍ଥାର ବୁକାବିଲା ଲାଗି ଆଜି ଗୋଟିଏ ଦିନରେ କେନ୍ଦ୍ର ସରକାର ଦୁଇଟି ବଡ଼ ଧରଣର ରିହାତି ଘୋଷଣା କରିଛନ୍ତି। ଦିନରେ କଂପାନି ଟିକସରେ ହ୍ରାସ ଘୋଷଣା କରିଥିବ‌ା ବେଳେ ସନ୍ଧ୍ୟାରେ ହୋଟେଲ ଏବଂ ପର୍ଯ୍ୟଟନ ଶିଳ୍ପକୁ ଉତ୍ସାହିତ କରିବା ଲାଗି ବଡ଼ ଧରଣର ଶୁଳ୍କ ରିହାତି ଦେଇଛନ୍ତି। ଗୋଆଠାରେ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜିଏସଟି ପରିଷଦ ବୈଠକରେ ଅନେକ ସାମଗ୍ରୀ ଉପରେ ଟିକସ ହ୍ରାସ କରାଯାଇଛି। କାର ଉପରେ ୧୨% ଟିକସ ରହାତି ଘୋଷଣା କରାଯାଇଥିବା ବେଳେ ପର୍ଯ୍ୟଟନ ଶିଳ୍ପର ବିକାଶ ଉଦ୍ଦେଶ୍ୟରେ ହୋଟେଲ ଭଡ଼ା ଉପରେ ଟିକସ କମାଇ ଦିଆଯାଇଛି। ୭୫୦୦ ଟଙ୍କା ବା ତଦୂର୍ଦ୍ଧ୍ବ ମୂଲ୍ୟରେ ବୁକ୍ ହେଉଥିବା ହୋଟେଲ ରୁମ୍‌ ପାଇଁ ଏବେ ୨୮ ପ୍ରତିଶତ ଜିଏସଟି ଆଦାୟ ହେଉଥିବା ବେଳେ ଆଜିର ବୈଠକରେ ଏହାକୁ ୧୮ ପ୍ରତିଶତକୁ କମାଇ ଦିଆଯାଇଛି।

ଏତଦବ୍ୟତୀତ ୧୦୦୧ ଟଙ୍କାରୁ ୭୫୦୦ ଟଙ୍କା ମଧ୍ୟରେ ବୁକ୍ ହେଉଥିବା ହୋଟେଲ ରୁମ୍‌ର ଜିଏସ୍‌ଟିକୁ ୧୨ ପ୍ରତିଶତକୁ କମାଇ ଦିଆଯାଇଛି। କିନ୍ତୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ହୋଟେଲ ରୁମ୍‌ ବୁକିଂକୁ ଜିଏସଟି ମୁକ୍ତ କରାଯାଇଛି।

ଫୁଲ, ପତ୍ର ଏବଂ ପରିବେଶ ଅନୁକୂଳ ପଦାର୍ଥରୁ ପ୍ରସ୍ତୁତ ହେଉଥିବା କପ୍ ଏବଂ ପ୍ଲେଟ୍‌ ଉପରେ ଜିଏସ୍‌ଟିକୁ ୫ ପ୍ରତିଶତରୁ ଶୂନ ପ୍ରତିଶତକୁ କମାଇ ଦିଆଯାଇଛି। ଅଟୋମୋବାଇଲ ଶିଳ୍ପ ଉପରୁ ଜିଏସଟି ପରିଷଦ ଶୁଳ୍କ ହ୍ରାସ କରିବ ବୋଲି ଆଶା ରଖାଯାଇଥିଲେ ମଧ୍ୟ ତାହା ହୋଇନାହିଁ। ତେବେ ୧୦ରୁ ୧୩ ଜଣ ବସିବା କ୍ଷମତା ଥିବା ୧୨୦୦ ସିସି ବିଶିଷ୍ଟ ପେଟ୍ରୋଲ ଚାଳିତ ଯାନ ଉପରେ କ୍ଷତିପୂରଣ ସେସ୍‌କୁ ୧ ପ୍ରତିଶତକୁ କମାଇ ଦିଆଯାଇଛି। ସେହିଭଳି ଏହି ବର୍ଗର ୧୫୦୦ ସିସି କ୍ଷମତା ବିଶିଷ୍ଟ ଡିଜେଲ ଚାଳିତ ଯାନ ଉପରୁ କ୍ଷତିପୂରଣ ସେସ୍‌ ୩ ପ୍ରତିଶତକୁ ହ୍ରାସ କରାଯାଇଛି। ବର୍ତ୍ତମାନ ଏସବୁ ଯାନ ଉପରେ କ୍ଷତିପୂରଣ ସେସ୍ ୧୫ ପ୍ରତିଶତ ରହିଛି। ସମୁଦ୍ରରେ ପରିଚାଳିତ ଯାନର ଇନ୍ଧନ ଉପରେ ଟିକସକୁ ୧୮ ପ୍ରତିଶତକୁ ୫ ପ୍ରତିଶତକୁ କମାଇବାକୁ ପରିଷଦ ନିଷ୍ପତ୍ତି ନେଇଛି। ହାତ ତିଆରି ଏବଂ ମେସିନ ତିଆରି ପଲିଥିନ୍ ବ୍ୟାଗ୍ ଉପରେ ଗୋଟିଏ ହାରରେ ଅର୍ଥାତ୍ ୧୨ ପ୍ରତିଶତ ଜିଏସଟି ଆଦାୟ ପାଇଁ ସ୍ଥିର ହୋଇଛି। ଭାରତରେ ନିଜସ୍ବ ଜ୍ଞାନକୌଶଳରେ ନିର୍ମାଣ ହେଉଥିବା ନିର୍ଦ୍ଦିଷ୍ଟ କେତେକ ପ୍ରତିରକ୍ଷା ସାମଗ୍ରୀର ଆମଦାନି ଉପରୁ ଜିଏସଟି ଏବଂ ଆଇଜିଏସଟିକୁ ଛାଡ଼ କରାଯାଇଛି। ତେବେ ଏହି ସୁବିଧା ଆସନ୍ତା ୨୦୨୪ ପର୍ଯ୍ୟନ୍ତ ପ୍ରଦାନ କରାଯିବ।

ଏତଦବ୍ୟତୀତ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଅନୁଯାୟୀ, ଆସନ୍ତାବର୍ଷ ଭୁବନେଶ୍ବରରେ ୧୭ ବର୍ଷରୁ କମ୍ ମହିଳା ଫୁଟବଲ୍ ବିଶ୍ବକପ୍ ଅନୁଷ୍ଠିତ ହେବାକୁ ଥିବାବେଳେ ଏଥିପାଇଁ ଫିଫା ଏବଂ ଅନ୍ୟ ନି‌ର୍ଦ୍ଦି‌ଷ୍ଟ କେତେକ ଏଜେନ୍ସିକୁ ସାମଗ୍ରୀ ଏବଂ ସେବା ଯୋଗାଣ ଉପରୁ ଜିଏସଟି ଛାଡ଼ କରାଯାଇଛି। ହୀରା ଶିଳ୍ପରେ ହେଉଥିବା ଜବ୍ ୱାର୍କ ଉପରୁ ଜିଏସଟିକୁ ୫ ପ୍ରତିଶତରୁ ୧.୫ ପ୍ରତିଶତକୁ ହ୍ରାସ କରାଯାଇଛି। ମୂଲ୍ୟବାନ ପ୍ରସ୍ତର ଏବଂ ଗହଣା ଶିଳ୍ପକୁ ପ୍ରୋତ୍ସାହନ ଦେବା ପାଇଁ କଟ୍ ଏବଂ ପଲିସ୍‌ଯୁକ୍ତ ମୂଲ୍ୟବାନ(ସେମି-ପ୍ରିସିଅସ୍‌) ସାମଗ୍ରୀ ଉପରୁ ଜିଏସଟିକୁ ୩ ପ୍ରତିଶତରୁ ୦.୨୫ ପ୍ରତିଶତକୁ କମାଇ ଦିଆଯାଇଛି। ସ୍ଲାଇଡ୍ ଫାଷ୍ଟେନର ଉପରୁ ଜିଏସଟିକୁ ୧୮ ପ୍ରତିଶତରୁ ୧୨ ପ୍ରତିଶତକୁ କମାଇ ଦିଆଯାଇଛି। ଶୁଖିଲା ତେନ୍ତୁଳିର ଜିଏସଟିକୁ ୫ ପ୍ରତିଶତରୁ ହ୍ରାସ କରାଯାଇ ଶୂନ ପ୍ରତିଶତ ବର୍ଗରେ ରଖାଯାଇଛି। ଷ୍ଟୋନଯୁକ୍ତ ୱେଟ୍‌ ଗ୍ରାଇଣ୍ଡ୍‌ରର ଜିଏସଟିକୁ ୧୨ ପ୍ରତିଶତରୁ ୫ ପ୍ରତିଶତକୁ କମାଇ ଦିଆଯାଇଛି।

ଅନ୍ୟପକ୍ଷରେ ରେଳବାଇକୁ ଯୋଗାଣ ହେଉଥିବା ଉତ୍ପାଦ ଯେଉଁଗୁଡ଼ିକ ଚାପ୍ଟର ୧୨ ଅଧୀନରେ ଆସୁଛି ତାହାର ଜିଏସଟିକୁ ୫ ପ୍ରତିଶତରୁ ୧୨ ପ୍ରତିଶତକୁ ବଢ଼ାଇ ଦିଆଯାଇଛି। ଏତଦବ୍ୟତୀତ କଫିନଯୁକ୍ତ ପାନୀୟର ଜିଏସ୍‌ଟିକୁ ୧୮ ପ୍ରତିଶତ ପରିବର୍ତ୍ତେ ୨୮ ପ୍ରତିଶତକୁ ବଢ଼ାଇ ଦିଆଯାଇଛି। ଏପରିକି ଏହି ପାନୀୟ ଉପରେ ଅତିରିକ୍ତ ୧୨ ପ୍ରତିଶତ କ୍ଷତିପୂରଣ ସେସ୍ ଆଦାୟ ପାଇଁ ନିଷ୍ପତ୍ତି ନିଆଯାଇଛି। ଗ୍ୟାସଭର୍ତ୍ତି ବା ଏରେଟେଡ ଥଣ୍ଡାପାନୀୟକୁ କ୍ଷତିପୂରଣ ସ୍କିମ ପରିସରରୁ କାଢ଼ି ନିଆଯାଇଛି। ଆଉଟଡୋର୍ କ୍ୟାଟରିଂ ଉପରେ ଟିକସ ହାର ୫ ପ୍ରତିଶତରୁ ୧୮ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଆଜିର ଜିଏସ୍‌ଟି ପରିଷଦ ବୈଠକରେ ନିଆଯାଇଥିବା ନିଷ୍ପତ୍ତିକୁ ଆସନ୍ତା ଅକ୍ଟୋବର ପହିଲାରୁ କାର୍ଯ୍ୟକାରୀ କରାଯିବ।

କମିଲା

ହୋଟେଲ ରହଣି
ପେଟ୍ରୋଲ/ଡିଜେଲ ଯାନ
ମେରାଇନ୍ ଇନ୍ଧନ
ପଲିଥିନ୍ ବ୍ୟାଗ୍
ପ୍ରତିରକ୍ଷା ସାମଗ୍ରୀ ଆମଦାନି
କନିଷ୍ଠ ମହିଳା ଫିଫା ବିଶ୍ବକପ୍ ପାଇଁ ସାମଗ୍ରୀ ଓ ସେବା ଯୋଗାଣ

ବଢ଼ିଲା
ରେଳବାଇକୁ ଯୋଗାଣ ହେଉଥିବା ସାମଗ୍ରୀ
ରେଳ ୱାଗନ୍‌ ଓ ବଗି
କାଫେନଯୁକ୍ତ ପାନୀୟ
‌ଏରେଟେଡ୍ ଥଣ୍ଡାପାନୀୟ

ସମ୍ବନ୍ଧିତ ଖବର