ହାର୍ଦ୍ଦିକ ପଟେଲଙ୍କ ଆମରଣ ଅନଶନ ପହଞ୍ଚିଲା ୯ମ ଦିନରେ; ପାଣି ସୁଦ୍ଧା ପିଉ ନାହାନ୍ତି ସ୍ୱାସ୍ଥ୍ୟାବସ୍ଥା ଗୁରୁତର

ଗାନ୍ଧୀନଗର (ଗୁଜୁରାଟ): ଗୁଜୁରାଟର ପଟ୍ଟିଦାର ନେତା ହାର୍ଦ୍ଦିକ ପଟେଲ ଆରମ୍ଭ କରିଥିବା ଆମରଣ ଅନଶନ ଆଜି ନବମ ଦିନରେ ପହଞ୍ଚିଛି। ଅନ୍ୟପକ୍ଷରେ ଆମରଣ ଅନଶନ ଆରମ୍ଭ କରିଥିବା ହାର୍ଦ୍ଦିକ ପାଣି ସୁଦ୍ଧା ନପିଇବା ପାଇଁ ଜିଦ୍‌ ଧରି ବସିଥିବାରୁ ତାଙ୍କ ସ୍ୱାସ୍ଥାବସ୍ଥା ଗୁରୁତର ହୋଇପଡ଼ିଛି। ହାର୍ଦ୍ଦିକଙ୍କ ଗୁରୁତର ସ୍ୱାସ୍ଥ୍ୟାବସ୍ଥା ଦେଖିବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ସେ ସାଲାଇନ୍‌ ନେବାକୁ ମନା କରିଦେଇଛିନ୍ତି।

ଉଲ୍ଲେଖଯୋଗ୍ୟ, ପଟ୍ଟିଦାରମାନଙ୍କୁ ସଂରକ୍ଷଣ ଦେବା ଦାବିରେ ପଟ୍ଟିଦାର ମନାମତ ଆନ୍ଦୋଳନ ସମିତିର ମୁଖ୍ୟ ହାର୍ଦ୍ଦିକ ପଟେଲ ଗତ ଅଗଷ୍ଟ ୨୫ ତାରିଖ ଠାରୁ ତାଙ୍କ ନିଜ ଘରେ ଆନ୍ଦୋଳନରେ ବସିଛନ୍ତି। ତେବେ, ଅନଶନରେ ବସିଥିବା ପଟ୍ଟିଦାର ନେତା ହାର୍ଦ୍ଦିକଙ୍କୁ ସାକ୍ଷାତ କରିବାକୁ ଆସୁଥିବା ସମର୍ଥକମାନଙ୍କୁ ପୁଲିସ୍‌ ତାଙ୍କ ନିକଟକୁ ଛାଡ଼ୁ ନଥିବା ହାର୍ଦ୍ଦିକ ଅଭିଯୋଗ କରିଥିବା ବେଳେ ହାର୍ଦ୍ଦିକଙ୍କର ଏହି ଅଭିଯୋଗକୁ ଖଣ୍ଡନ କରିଛି ଗୁଜୁରାଟ ପୁଲିସ୍‌। କୌଣସି ସର୍ବସାଧାରଣ ସ୍ଥାନରେ ଅନଶନରେ ବସିବା ପାଇଁ ଗୁଜୁରାଟ ସରକାର ହାର୍ଦ୍ଦିକଙ୍କୁ ଅନୁମତି ଦେବାକୁ ମନା କରିଦେବା ପରେ ହାର୍ଦ୍ଦିକ ନିଜ ଘରେ ଆମରଣ ଅନଶନରେ ବସିଥିଲେ। କଂଗ୍ରେସ ଓ ଏନ୍‌ସିପିର ନେତାମାନେ ହାର୍ଦ୍ଦିକଙ୍କୁ ସମର୍ଥନ ଦେବା ସହ ହାର୍ଦ୍ଦିକଙ୍କ ଦାବିକୁ ମାନନେବା ପାଇଁ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କୁ ପତ୍ର ଲେଖିଛନ୍ତି।

ସମ୍ବନ୍ଧିତ ଖବର