ଦେଶକୁ ଫେରି ଖୁସି ଅନୁଭବ କରୁଛି: ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ

ନୂଆଦିଲ୍ଲୀ: ସ୍ୱଦେଶ ମାଟିରେ ଶୁକ୍ରବାର ରାତି ୯ଟା ୨୧ ମିନିଟରେ ପାଦ ଥାପିବା ପରେ ବାୟୁସେନାର ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ କହିଛନ୍ତି, ଦେଶକୁ ଫେରି ଖୁସି ଅନୁଭବ କରୁଛି। ଅଭିନନ୍ଦନଙ୍କ ପ୍ରଥମ ପ୍ରତିକ୍ରିୟା ଶୁଣିବା ତଥା ବିଭିନ୍ନ ଗଣମାଧ୍ୟମ ମାଧ୍ୟମରେ ତାଙ୍କୁ ଦେଖିବା ପରେ ଭାରତର କୋଟି କୋଟି ଜନତାଙ୍କ ଅପେକ୍ଷା ଶେଷ ହୋଇଛି। ଭାରତୀୟ ଜନତା ଆଜି ବହୁ ଖୁସି ଅନୁଭବ କରୁଛନ୍ତି।

ଭାରତୀୟ ବାୟୁସେନାର ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତମାନ ପାକିସ୍ତାନରୁ ଆସି ଭାରତରେ ପହଂଚିଛନ୍ତି।  ଅଟାରୀ ସୀମାରେ ପହଂଚିବା ପରେ ଅଭିନନ୍ଦନଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ପଂଜାବର ଅମୃତସର ନିଆଯାଇଛି। ଅମୃତସରରୁ ସେ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଯିବେ। ଦିଲ୍ଲୀରେ ତାଙ୍କର ମେଡିକାଲ ଟେଷ୍ଟ ହେବ। ହସ୍ପିଟାଲରେ ଅଭିନନ୍ଦନଙ୍କ ସହିତ ଡାକ୍ତରୀ ଟିମ୍‌ ରହିବେ।

ଅଭିନନ୍ଦନ ଭାରତକୁ ଫେରିବା ପରେ ଦେଶର କୋଟି କୋଟି ଜନତା ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ସେ ଟୁଇଟ ମାଧ୍ୟମରେ କହିଛନ୍ତି, କମାଣ୍ଡର ଅଭିନନ୍ଦନ, ଘର ବାହୁଡାକୁ ସ୍ବାଗତ। ଦେଶ ଅଆପଣଙ୍କ ଲାଗି ଗର୍ବିତ। ଦେଶର ୧୩୦ କୋଟି ଲୋକଙ୍କ  ପାଇଁ ସେନା ପ୍ରେରଣା ଅଟେ। ମୋଦିଙ୍କ ବ୍ୟତୀତ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି।କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ମଧ୍ୟ ଅଭିନନ୍ଦନଙ୍କ ଭାରତ ପ୍ରତ୍ୟାବର୍ତ୍ତନକୁ ସ୍ୱାଗତ ଜଣାଇଛନ୍ତି।

ସମ୍ବନ୍ଧିତ ଖବର