ଆଇଏସ୍‌ ଆକ୍ରମଣ: ଇଣ୍ଡୋନେସିଆରେ ୧୨ ମୃତ

ଜାକର୍ତ୍ତା: ମୁସ୍‌ଲିମ ବହୁଳ ଇଣ୍ଡୋନେସିଆର ସୁରାବାୟା ସହରର ତିନିଟି ଚର୍ଚ୍ଚରେ ଇସ୍‌ଲାମିକ ଷ୍ଟେଟ୍‌ (ଆଇଏସ୍‌) ଆତଙ୍କବାଦୀଙ୍କ ସିରିଜ ଆତ୍ମଘାତୀ ବିସ୍ଫୋରଣ ଆତଙ୍କ ଖେଳାଇ ଦେଇଛି। ଏହି ବିସ୍ଫୋରଣରେ ଅନ୍ୟୁନ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଆହତ ହୋଇଛନ୍ତି। ଘଟଣା ପଛରେ ସିରିୟାରୁ ଆସିଥିବା ଆଇଏସ୍‌ ଆତଙ୍କବାଦୀଙ୍କ ହାତ ଥିବା ତଦନ୍ତରୁ ଜଣାପଡ଼ିଛି । ଇସଲାମିକ ଷ୍ଟେଟ୍‌ର ଶାଖା ସଂଗଠନ ଜେମାହ ଅସ୍‌ରାଉତ ଦୌଲା(ଜେଏଡି) ଏହି କାଣ୍ଡ ଭିଆଇଥିବା ସୁରାକ୍‌ ମିଳିଛି। ଆତ୍ମଘାତୀ ବିସ୍ଫୋରଣ ଘଟାଇଥିବା ଆତଙ୍କବାଦୀଙ୍କ ମଧ୍ୟରେ ମହିଳା ଆତଙ୍କବାଦୀ ମଧ୍ୟ ସାମିଲ ଥିଲେ ବୋଲି ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ଜଣାପଡ଼ିଛି। ଏହି ସମସ୍ତ ଆକ୍ରମଣ ଚର୍ଚ୍ଚକୁ ଟାର୍ଗେଟ୍‌ କରି ହୋଇଥିବାରୁ ଏହା ପଛରେ ଆଇଏସ୍‌୍‌ର ବଡ଼ ଷଡ଼ଯନ୍ତ୍ର ଥିବା କୁହାଯାଉଛି । ସୁରାବାୟାରେ ରବିବାର ଗୀର୍ଜା ପ୍ରାର୍ଥନା ପାଇଁ ଚର୍ଚ୍ଚଗୁଡ଼ିରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ସକାଳ ପ୍ରାୟ ୭ଟା ବେଳେ ସ୍କୁଟର୍‌ରେ ଜଣେ ମହିଳା ଆତଙ୍କବାଦୀ ଦୁଇ ଜଣ ଶିଶୁଙ୍କ ସହ ସାଣ୍ଟା ମାରିଆ କ୍ୟାଥଲିକ ଚର୍ଚ୍ଚ ପରିସରକୁ ଆସି ବିସ୍ଫୋରଣ ଘଟାଇଥିଲା। ଆତଙ୍କବାଦୀମାନେ ଇଣ୍ଡୋନେସିଆ ଡିପୋନୋଗୋରୋ ଏବଂ ପେଣ୍ଟେକୋଷ୍ଟ ସେଣ୍ଟ୍ରାଲ ଚର୍ଚ୍ଚରେ ମଧ୍ୟ ବିସ୍ଫୋରଣ ଘଟାଇଛନ୍ତି। ମାତ୍ର ୧୦ ମିନିଟ ବ୍ୟବଧାନରେ ୩ଟି ବିସ୍ଫୋରଣ ହୋଇଥିଲା। ସିରିୟାରୁ ଆସିଥିବା ଆଉ କେତେକ ଆତଙ୍କବାଦୀ ଏବେ ବି ସହରରେ ରହିଥିବା ସୁରାକ୍‌ ମିଳିଥିବାରୁ ବ୍ୟାପକ ସର୍ଚ୍ଚ ଅପରେସନ ଚାଲିଛି। ଇଣ୍ଡୋନେସିଆ ଗୁଇନ୍ଦା ବିଭାଗ କହିଛି ଯେ ଜେଲରେ କିଛି ଆତଙ୍କବାଦୀଙ୍କ ତୁମୁଳ କାଣ୍ଡ ଓ ଏହି ବିସ୍ଫୋରଣ ମଧ୍ୟରେ ସମ୍ପର୍କ ରହଛି। ଉଲ୍ଳେଖଯୋଗ୍ୟ, ଗତ ଶୁକ୍ରବାର ଦିନ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଥିବା ଜାକର୍ତ୍ତା ଜେଲରେ ୫ ଜଣ ଆଇଏସ୍‌ ଆତଙ୍କବାଦୀ ଏନକାଉଣ୍ଟରରେ ନିହତ ହୋଇଥିଲେ। ୨୦୦୯ ମସିହାରେ ଜାକର୍ତ୍ତାର ଦୁଇଟି ବିଳାସପୂର୍ଣ୍ଣ ହୋଟେଲରେ ହୋଇଥିବା ଆତ୍ମଘାତୀ ବିସ୍ଫୋରଣ ପରେ ଦେଶରେ ଏହା ସବୁଠୁ ବଡ଼ ଆତଙ୍କବାଦୀ ଆକ୍ରମଣ ବୋଲି କୁହାଯାଉଛି।

ସାମିଲ ଥିଲେ ଗୋଟିଏ ପରିବାର ୬ ସଦସ୍ୟ
ଜାକର୍ତ୍ତା: ଆଜି ସକାଳେ ୩ଟି ଚର୍ଚ୍ଚରେ ହୋଇଥିବା ସିରିଜ ଆତ୍ମଘାତୀ ବିସ୍ଫୋରଣ ପଛରେ ଗୋଟିଏ ପରିବାରର ୬ ଜଣ ସଦସ୍ୟଙ୍କ ହାତଥିବା ଜଣାପଡ଼ଛି। ଘରର ମୁରବି କାର ବୋମା ବିସ୍ଫୋରଣ କରିଥିବା ବେଳେ ଦୁଇ ପୁଅ ବାଇକରେ ଆସି ବିସ୍ଫୋରଣ କରିଥିଲେ। ସେପଟେ ମା’ ତା’ର ଦୁଇ ଝିଅଙ୍କୁ ନେଇ ସ୍କୁଟିରେ ଅନ୍ୟ ଏକ ବିସ୍ଫୋରଣ କରିଥିବା ଜଣାପଡ଼ିଛି। ସିରିୟାରୁ ଏହି ଆତଙ୍କବାଦୀ ପରିବାର ଇଣ୍ଡୋନେସିଆ ଆସିଥିବା ଦେଶର ପୁଲିସ ମୁଖ୍ୟ ଟିଟୋ କାର୍ନାଭିଆନ କହିଛନ୍ତି। ଏହି ଘଟଣାରେ ସମ୍ପୃକ୍ତି ସନ୍ଦେହରେ ପୁଲିସ ଦକ୍ଷିଣ ଜାଭାରେ ୪ ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଥିବା ବେଳେ ଅନ୍ୟ ୨ ଜଣଙ୍କୁ ଗିରଫ କରି ପଚରାଉଚରା ଜାରି ରଖିଛନ୍ତି।

ପ୍ୟାରିସରେ ଛୁରାମାଡ଼ ଜଣେ ମୃତ, ୪ ଗୁରୁତର

ପ୍ୟାରିସ୍‌: ଫ୍ରାନ୍ସ ରାଜଧାନୀ ପ୍ୟାରିସ୍‌ର ଓପେରାରେ ଗତରାତିରେ ଜଣେ ଆଇଏସ୍‌ ଆତଙ୍କବାଦୀ ବର୍ବର କାଣ୍ଡ ଘଟାଇଛି। ରାସ୍ତାରେ ଚାଲୁଥିବା ଲୋକଙ୍କ ଉପରେ ସେ ଅଚାନକ ଛୁରିରେ ଆକ୍ରମଣ କରିବାକୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୪ଜଣ ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ଏହି ଘଟଣା ପାଇଁ ଆଇଏସ୍‌ ନିଜକୁ ଦାୟୀ କର ବିବୃତି ଜାରି କରିଛି । ଫ୍ରାନ୍ସ ସ୍ୱରାଷ୍ଟ୍ରମନ୍ତ୍ରୀ ଜେରାଡ କୋଲାବ ଏହି ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି। ତେବେ ଆକ୍ରମଣକାରୀ ଆତଙ୍କବାଦୀ ରୁଷିଆର ନାଗରିକ ବୋଲି ଜଣାପଡ଼ିବା ପରେ ଏହି ଘଟଣା ଅନ୍ତର୍ଜାତୀୟ ସ୍ତରରେ ତୀବ୍ର ଆଲୋଡନ ସୃଷ୍ଟି କରିଛି।ଏହି ଆକ୍ରମଣ ପରେ ପ୍ୟାରିସରେ ହାଇ ଆଲର୍ଟ ଜାରି କରାଯାଇଛି।

ସମ୍ବନ୍ଧିତ ଖବର