୨୦ ବର୍ଷ ତଳେ କ’ଣ ଘଟିଥିଲା

ନୂଆଦିଲ୍ଲୀ : ବିରଳ କୃଷ୍ଣସାର ଶିକାର ମାମଲାରେ ସଲମାନଙ୍କୁ ସଙ୍କଟ ପିଛା ଛାଡ଼ୁନାହିଁ। ୨୦୧୬ ଜୁଲାଇରେ ରାଜସ୍ଥାନ ହାଇକୋର୍ଟ ୧୯୯୮ ମସିହାର କୃଷ୍ଣସାର ଶିକାର ମାମଲାରେ ସଲ୍‌୍‌ମାନଙ୍କୁ ଦୋଷମୁକ୍ତ କରିବା ପରେ ନ୍ୟାୟିକ ପ୍ରକ୍ରିୟାକୁ ନେଇ ବଡ଼ ବିତର୍କ ସୃଷ୍ଟି ହୋଇଥିଲା। ତେବେ ଏ ବାବଦ ଚତୁର୍ଥ ମାମଲାରେ ଆଜି ସଲମାନ ଦୋଷୀ ସାବ୍ୟସ୍ତ ହୋଇଥିବାରୁ ନ୍ୟାୟ ପାଇଁ ଦୀର୍ଘ ୨୦ ବର୍ଷ ଧରି ସଂଘର୍ଷ କରୁଥିବା ବୈଷ୍ଣୋଇ ସଂପ୍ରଦାୟ ଏହାକୁ ନ୍ୟାୟର ବିଜୟ ବୋଲି କହିଛି। ଏହି ମାମଲାରେ ମୁଖ୍ୟ ସାକ୍ଷୀ ତାଙ୍କ ବୟାନ ବଦଳାଇ ଦେଇଥିବା ଏବଂ ଅଭିଯୋଗକାରୀ ପକ୍ଷ ହଠାତ ନିଜ ସ୍ଥିତିକୁ ଦୁର୍ବଳ କରଥିଲେ ମଧ୍ୟ ୪ର୍ଥ ମାମଲାରେ ସଲ୍‌୍‌ମାନଙ୍କୁ ବଡ଼ ଝଟ୍‌୍‌କା ମିଳିଛି।
୧୯୯୮, ସେପ୍ଟେମ୍ବରେ ଯୋଧପୁରରେ ଚଳଚ୍ଚିତ୍ର ନିର୍ମାତା ସୁରଜ ବଡ଼ଜାତ୍ୟାଙ୍କ ଚଳଚ୍ଚିତ୍ର ‘ହମ୍‌୍‌ ସାଥ୍‌ ସାଥ୍‌ ହୈ’ର ସୁଟିଂ ଚାଲିଥିଲା। ଏଥିପାଇଁ ଭବାଦ ଏବଂ ମଥାନିଆରେ ଦୁଇଟି ଫାର୍ମ ହାଉସ୍‌ରେ ସଲମାନ ଏବଂ ତାଙ୍କ ସହ କଳାକାର ସୈଫ ଅଲି ଖାନ, ସୋନାଲି ବେନ୍ଦ୍ରେ, ତବୁ ଏବଂ ନିଲମ ରହିଥିଲେ। ସଲମାନଙ୍କୁ ତାଙ୍କ ସାଥୀ କଳାକାରମାନେ କୃଷ୍ଣସାର ଶିକାର ପାଇଁ ଉସୁକାଇବା ପରେ ଭିନ୍ନ ଭିନ୍ନ ସ୍ଥାନରେ ସଲମାନ ୩ଟି କୃଷ୍ଣସାର ଶିକାର କରିଥିବା ଜଣାପଡ଼ିଥିଲା। ପ୍ରଥମେ ୨୬ ତାରିଖ ରାତିରେ ଯୋଧପୁରର ଭବାଡ଼ ଗ୍ରାମରେ ସଲମାନ କୃଷ୍ଣସାର ଶିକାର କରିଥିବା ଅଭିଯୋଗ ହୋଇଥିଲା।

ଏହି ମାମଲାରେ ପ୍ରଥମ ଥର ପାଇଁ ୨୦୦୬, ଫେବ୍ରୁଆରି ୧୭ରେ ଯୋଧପୁର ଅଦାଲତ ସଲମାନଙ୍କୁ ଗୋଟିଏ ବର୍ଷ କାରାଦଣ୍ଡାଦେଶ ଶୁଣାଇଥିଲେ। ଏହାପରେ ଅନ୍ୟ କୃଷ୍ଣସାର ଶିକାର ମାମଲାରେ ୧୦ ଏପ୍ରିଲ ୨୦୦୬ରେ ୫ ବର୍ଷ କାରାଦଣ୍ଡାଦେଶ ହୋଇଥିଲା। ସୁଟିଂ ପାଇଁ ଏକ ଫାର୍ମ ହାଉସ୍‌୍‌ରେ ଅବସ୍ଥାନ ବେଳେ ସଲ୍‌ମାନ କୃଷ୍ଣସାର ଶିକାର କରିଥିବା ନେଇ ବଳିଷ୍ଠ ପ୍ରମାଣ ମିଳିଥିଲା। ଏ ବାବଦ ନ୍ୟାୟିକ ପ୍ରକ୍ରିୟା ମଧ୍ୟ ଅନେକ ବିବାଦ ଦେଇ ଗତି କରିଛି। ପରିବେଶପ୍ରେମୀ ଏବଂ ବୈଷ୍ଣୋଇ ସଂପ୍ରଦାୟ ନ୍ୟାୟିକ ଲଢ଼େଇ ଜାରି ରଖିବାକୁ ନିଷ୍ପତ୍ତି ନେଇଥିଲେ। କୃଷ୍ଣସାର ଶିକାର ମାମଲାରେ ସଲମାନଙ୍କ ବିରୋଧରେ ମୋଟ ୪ଟି ମାମଲା ରୁଜୁ ହୋଇଥିବା ବେଳେ ତୃତୀୟ ମାମଲାରେ ୨୦୧୬ରେ ସଲ୍‌୍‌ମାନ ଦୋଷମୁକ୍ତ ହୋଇଥିଲେ।

ସମ୍ବନ୍ଧିତ ଖବର